ଆଇପିଏଲ୍ କର୍ଣ୍ଣର : କ’ଣ ରହିଛି ବ୍ୟାଟ୍ ଯାଞ୍ଚର ନିୟମ

ନୂଆଦିଲ୍ଲୀ  : କ୍ରିକେଟ୍ରେ ବ୍ୟାଟ୍ର ଲମ୍ବ, ଓସାର, ଚଉଡା ଆଦି ସମ୍ପର୍କରେ ଆଇସିସିରେ ସ୍ପଷ୍ଟ ନିୟମ ରହିଛି । କ୍ରିକେଟ୍ ବ୍ୟାଟ୍ର ଦୁଇଟି ଭାଗ ଥାଏ ଗୋଟିଏ ବ୍ଲେଡ୍ ଓ ଅନ୍ୟଟି ହ୍ୟାଣ୍ଡଲ୍ । ବ୍ୟାଟ୍ର ହ୍ୟାଣ୍ଡଲ୍ ବେତ କିମ୍ବା କାଠରେ ତିଆରି ହେବା ଜରୁରୀ । ହ୍ୟାଣ୍ଡଲ୍ ଉପରେ ରବରର ଗ୍ରୀପ୍ ଲାଗିଥାଏ, ଯଦ୍ୱାରା ବ୍ୟାଟର୍ ହ୍ୟାଣ୍ଡଲ୍କୁ ଭଲ ଭାବେ ଧରିପାରନ୍ତି ବ୍ୟାଟର । ବ୍ଲେଡ୍ ମଧ୍ୟ କାଠର ହେବା ଆବଶ୍ୟକ । ବ୍ଲେଡ୍ର ସମ୍ମୁଖଭାଗର ଓସାର ୪.୨୫ ଇଞ୍ଚ (୧୦.୭୯ ସେଣ୍ଟିମିଟର) ଓ ମୋଟେଇ ୨.୬୪ ଇଞ୍ଚ (୬.୭ ସେଣ୍ଟିମିଟର) ଯାଏଁ ରହିପାରିବ । ବ୍ଲେଡ୍ ଧାରର ମୋଟେଇ ୧.୫୬ ଇଞ୍ଚ (୪ ସେଣ୍ଟିମିଟର)କୁ ଅତିକ୍ରମ କରିପାରିବ ନାହିଁ । ହ୍ୟାଣ୍ଡଲ୍ ସମେତ ବ୍ୟାଟ୍ର ମୋଟ୍ ଉଚ୍ଚତା ଅତି ବେଶୀରେ ୩୮ ଇଞ୍ଚ (୯୬.୪ ସେଣ୍ଟିମିଟର) ରହିପାରିବ । ଆଇପିଏଲ୍ ୨୦୨୫ ନିୟମାବଳୀରେ ମଧ୍ୟ ଏହାର ଉଲ୍ଲେଖ ରହିଛି ।
ବ୍ୟାଟ୍ର ନିମ୍ନଭାଗରେ ଏଭଳି ଏକ ସ୍ଥାନ ରହିଛି, ଯେଉଁଠି ବ୍ୟାଟର୍ ଅଧିକାଂଶ ଷ୍ଟ୍ରୋକ ଲଗାନ୍ତି । ଯଦି ଏହି ଅଂଶ ଉପର ଅଂଶ ତୁଳନାରେ ଅଧିକ ଚଉଡା କିମ୍ବା ଓଜନିଆ ହୁଏ, ତା’ହେଲେ ଷ୍ଟ୍ରୋକ୍ ଅଧିକ ଶକ୍ତିଶାଳୀ ହୋଇଥାଏ । ବିସ୍ଫୋରକ ବ୍ୟାଟର୍ ଏଭଳି ବ୍ୟାଟ୍କୁ ଗୁରୁତ୍ୱ ଦେଇଥାନ୍ତି, ଯାହାର ଧାର ଓସାରିଆ ହୋଇଥାଏ । ଅନେକ ସମୟରେ ବଲ୍ ଠିକ୍ ଟାଇମିଂରେ ବ୍ୟାଟ୍କୁ ନ ଆସିଲେ କିମ୍ବା ଧାରରେ ବାଜିଲେ ବି ବାଉଣ୍ଡାରୀ ଯାଏଁ ପହଞ୍ଚିଯାଏ । ଆଇପିଏଲ୍ରେ ଏବେ ବ୍ୟାଟ୍ ଉପରେ ଅଧିକ ଦୃଷ୍ଟି ରହିବ । ଏପରି ସ୍ଥଳେ ଆଶା କରାଯାଇପାରେ ଯେ କୌଣସି ବ୍ୟାଟର୍ ଧାର୍ଯ୍ୟ ସୀମା ଠାରୁ ବଡ କିମ୍ବା ଚଉଡା ବ୍ୟାଟ୍ ନେଇ ଗ୍ରାଉଣ୍ଡକୁ ଆସିବେ ନାହିଁ । ଏହା ସହିତ ବିଶ୍ୱର ସବୁଠାରୁ ବଡ ଟି-୨୦ ଲିଗ୍ର ସ୍ୱଚ୍ଛତା ବି ବଜାୟ ରହିବ ।