ବାୟୁସେନା ଜେଟ୍ ଧ୍ୱଂସ : ୨ ପାଇଲଟ ମୃତ

 ଚୁରୁ:

ପୁଣି ଦୁର୍ଘଟଣାଗ୍ରସ୍ତ ହୋଇଛି ବାୟୁସେନାର ଲଢ଼ୁଆ ଜାଗୁଆର୍ ଜେଟ୍ । ରାଜସ୍ଥାନର ଚୁରୁ ଜିଲ୍ଲା ସ୍ଥିତ ଭାନୁଦା ଗାଁରେ ବାୟୁସେନାର ଏହି ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତୁ୍ୟ ହୋଇଛି । ରୁଟିନ୍ ତାଲିମ୍ରେ ବ୍ୟବହୃତ ହେଉଥିବା ଏହି ଜାଗୁଆର୍ ଜେଟ୍ଟି ଯାନ୍ତ୍ରିକ ତ୍ରୁଟି କାରଣରୁ ଅବତରଣ କରିବାକୁ ପ୍ରୟାସ କରୁଥିବା ବେଳେ କ୍ରାସ୍ ହୋଇ ଖସି ପଡ଼ିଥିଲା । ତେବେ ଗତ ୫ ମାସ ଭିତରେ ଜାଗୁଆର୍ ଜେଟ୍ର ଏହା ତୃତୀୟ ଦୁର୍ଘଟଣା ବୋଲି ବାୟୁସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ବାୟୁସେନା ପକ୍ଷରୁ କୁହାଯାଇଛି ଯେ, ଏହି ଦୁର୍ଘଟଣାରେ କୌଣସି ସାଧାରଣ ଜନତା କ୍ଷତିଗ୍ରସ୍ତ ହୋଇନାହାନ୍ତି । ସେହିପରି ପ୍ରାଣ ହରାଇଥିବା ପାଇଲଟଙ୍କୁ ନେଇ ବାୟୁସେନା ପକ୍ଷରୁ ଦୁଃଖପ୍ରକାଶ କରାଯାଇଥିବା ବେଳେ ଦୁର୍ଘଟଣା ନେଇ କୋର୍ଟ ଅଫ୍ ଇନ୍କ୍ୱାରୀ ବସିବ ବୋଲି କୁହାଯାଇଛି । ଏହାସହ ବାୟୁସେନା ପକ୍ଷରୁ ଶୋକସନ୍ତପ୍ତ ପାଇଲଟ ପରିବାରଙ୍କୁ ସମବେଦନା ଜ୍ଞାପନ କରାଯାଇଛି ।
ଅପରାହ୍ଣ ପ୍ରାୟ ୧.୨୫ ମିନିଟ୍ରେ ଭାନୁଦା ଗାଁର ଏକ ଚାଷ ଜମିରେ ବିମାନଟି କ୍ରାସ୍ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ବିସ୍ଫୋରଣର ଏକ ପ୍ରଚଣ୍ଡ ଶବ୍ଦ ଶୁଣାଯାଇଥିଲା । ବିମାନଟି ଏଭଳି ଭୟଙ୍କର ଭାବେ କ୍ରାସ ହୋଇଛି ଯେ, ଦୁର୍ଘଟଣା ସ୍ଥଳ ସମ୍ପୂର୍ଣ୍ଣ ପୋଡ଼ି କଳା ପଡ଼ି ଯାଇଛି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିବା ବେଳେ ସ୍ଥାନୀୟ ପୁଲିସ୍ ପହଞ୍ଚô  ଦୁର୍ଘଟଣାଗ୍ରସ୍ତ ବିମାନର ଅଂଶବିଶେଷ ଉପରେ ନଜର ରଖିଛି । ଏହାସହ ସ୍ଥାନୀୟଲୋକଙ୍କୁ ଦୁର୍ଘଟଣାସ୍ଥଳରୁ ଦୂରରେ ରହିବା ପାଇଁ ଅନୁରୋଧ କରିଛି । ଜିଲ୍ଲାପାଳ ଅଭିଷେକ ସରାନା, ସ୍ଥାନୀୟ ପୁଲିସ୍ ସମେତ ଆର୍ମିର ଏକ ତଦନ୍ତକାରୀ ଦଳ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଜାରି ରଖିଛନ୍ତି । ସୂଚନାଯୋଗ୍ୟ ଗତ ମାର୍ଚ୍ଚ ୭ରେ ଅମ୍ବାଲା ବାୟୁସେନା ଘାଟିରେ ଏହିଭଳି ଏକ ଜାଗୁଆର୍ ଜେଟ୍ ଉଡ଼ାଣ ଭରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଠିକ୍ ସେହିପରି ଏପ୍ରିଲ୍ ୨ରେ ଗୁଜରାଟର ଜାମନମର ଏୟାରବେସ୍ରେ ଦୁଇସିଟ୍ ବିଶିଷ୍ଟ ଟ୍ରେନର୍ ଜାଗୁଆର୍ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହିସବୁ ଦୁର୍ଘଟଣାକୁ ମିଶାଇ ଚଳିତବର୍ଷ ବାୟୁସେନା ମୋଟ୍ଭାବେ ୫ଟି ବିମାନ ଦୁର୍ଘଟଣାଗ୍ରସ୍ତର ସମ୍ମୁଖୀନ ହୋଇଛି । ଫେବ୍ରୁଆରୀ ୬ରେ ମଧ୍ୟପ୍ରଦେଶର ଶିବପୁରୀ ବେସ୍ ନିକଟରେ ମିରାଜ ୨୦୦୦ ବିମାନ, ସେହି ମାର୍ଚ୍ଚ ୭ରେ ଅମ୍ବାଲା ସ୍ଥିତ ବାଗଦୋଗ୍ରା ଠାରେ ଏନ୍-୩୨ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।