ତାରକସି ହବ୍କୁ ମିଳିବ ଐତିହ୍ୟ ଶିଳ୍ପୀ ଗ୍ରାମର ମାନ୍ୟତା
କଟକ/ଭୁବନେଶ୍ୱର : ରୌପ୍ୟ ନଗରୀ କଟକର ଅନ୍ୟତମ ଐତିହ୍ୟ ତାରକସିକୁ ବିଶ୍ୱ ଦରବାରରେ ପହଂଚାଇବା ନିମନ୍ତେ କଟକଠାରେ ରୌପ୍ୟ ତାରକସି ସର୍ବସାଧାରଣ ସୁବିଧା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି କଟକ ସିଡିଏ ସେକ୍ଟର ୬ ସ୍ଥିତ ବିଡାନାସୀ ପେଟାନାଳଠାରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରି ଏହି କେନ୍ଦ୍ର କଟକର ପରମ୍ପରାକୁ ସଂରକ୍ଷଣ କରିବା ସହିତ ନବସୃଜନକୁ ଆପଣାଇ ତାରକସି କାରିଗରମାନଙ୍କୁ ସଶକ୍ତ କରିବା ସହ କଟକ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି କହିଥିଲେ । ପ୍ରାୟ ସାଢେ ଆଠ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ୧୫୦୦ ବର୍ଗଫୁଟ ଆୟତନର ଏହି ସୁବିଧା କେନ୍ଦ୍ରରେ ଆଧୁନିକ ଉପକରଣ, କାରିଗରମାନଙ୍କୁ ତାଲିମ ଓ ବଜାର ସୁବିଧା ସବୁ କିଛି ଗୋଟିଏ ଛାତ ତଳେ ଯୋଗାଇ ଦିଆଯିବ । ଏହା କେବଳ ଏକ କୋଠା ନୁହେଁ ଏହା ଆଗାମୀପିଢ଼ିର କାରିଗରମାନଙ୍କ ପାଇଁ ଏକ ପ୍ରୟୋଗଶାଳା ହେବ । ଆଜି କଟକ ସହରରେ ୫୦୦ କାରିଗର ଥିବାବେଳେ ଆଗକୁ ୫୦୦୦ କାରିଗର ପରିବାର ଯେପରି ସୃଷ୍ଟି ହୋଇପାରିବେ ସେ ଦିଗରେ ଯନôଶୀଳ ହୋଇ କାର୍ଯ୍ୟକ୍ରମ ହାତକୁ ନିଆଯିବ । କଟକର ସ୍ୱାଭିମାନ କଟକ ତାରକସିର ଚମକ ଯେଭଳି ବିଶ୍ୱ ଦରବାରରେ ସ୍ଥାନ ପାଇବ ସେ ଦିଗରେ ଏହି ସୁବିଧା କେନ୍ଦ୍ର କାର୍ଯ୍ୟ କରିବ । ଏହା ଷ୍ଟାର୍ଟ ଅପ୍ ମାନଙ୍କୁ ମଧ୍ୟ ଦିଗଦର୍ଶନ ଦେବ । ଭୋକାଲ ଫର ଲୋକାଲ ଏବଂ ଲୋକାଲ ଟୁ ଗ୍ଲୋବାଲ ମନ୍ତ୍ରରେ ଏହି ସୁବିଧା କେନ୍ଦ୍ରକୁ ଏକ ପର୍ଯ୍ୟଟନସ୍ଥଳୀ ଭାବରେ ବିକଶିତ କରାଯିବ । କଟକର ଏହି ରୌପ୍ୟ ତାରକସି ସର୍ବସାଧାରଣ ସୁବିଧା କେନ୍ଦ୍ରକୁ ଐତିହ୍ୟ ଶିଳ୍ପୀ ଗ୍ରାମର ମାନ୍ୟତା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଆସନ୍ତା ଆଠ ମାସ ମଧ୍ୟରେ ଏହି ସୁବିଧା କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀମତୀ ପରିଡା ପ୍ରତିଶୃତି ଦେଇଛନ୍ତି ।
ଏହି ଅବସରରେ ବାରବାଟୀ କଟକ ବିଧାୟିକା ସୋଫିଆ ଫିରଦୋସ, ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଓଡିଶା ପୁଲିସ ହାଉସିଂ କର୍ପୋରେସନର ସିଏମଡି ସୌମେନ୍ଦ୍ର ପ୍ରିୟଦର୍ଶୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶେଷରେ କଟକ ମହାନଗର ନିଗମ କମିଶନର ସୁଶ୍ରୀ କିରନଦୀପ କୌର ସହୋଟା ଧନ୍ୟବାଦ ଅର୍ପଣ କରିଥିଲେ ।