ଅଶ୍ଳୀଳ ଭିଡ଼ିଓ ଦେଖାଇ ବ୍ଲାକମେଲିଂ ଘଟଣା : ୫ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ଅଶ୍ଳୀଳ ଭିଡ଼ିଓ ଦେଖାଇ ବ୍ଲାକମେଲିଂ ଘଟଣା : ୫ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ନଗଦ ୧୪ଲକ୍ଷ, ସୁନାଗହଣା ଓ ୨ଟି ବାଇକ୍‌ ଜବତ

କଟକ : ଅଶ୍ଳୀଳ ଭିଡ଼ଓ ଦେଖାଇ ବ୍ଲାକମେଲିଂ କରୁଥିବା ଏକ ରାକେଟର କଟକ ସାଇବର ଥାନା ପୁଲିସ ପର୍ଦ୍ଦାଫାଶ କରିଛି । ଅଶ୍ଳୀଳ ଭିଡ଼ିଓ ମାଧ୍ୟମରେ କଟକର ଜଣେ ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ଅଧିକାରୀ (୭୨)ଙ୍କ ଠାରୁ ୮୮ଲକ୍ଷ ଟଙ୍କା ଲୁଟ ଘଟଣାରେ ସାଇବର ଥାନା ପୁଲିସ ୫ ଜଣ ଠକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ପୋବଳା ଗ୍ରାମର ମନୋଜ ଜେନା (୨୭), ପ୍ରଫୁଲ ବିଶ୍ୱାଳ (୬୫), ସଂଗ୍ରାମ ଜେନା (୨୨), ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ଉପୁଳା ଗ୍ରାମର ବାସୁଦେବ ରାଉତ (୨୫) ଓ ଭୁବନେଶ୍ୱର ଏୟାରଫିଲ୍ଡ ତାନା ଅନ୍ତର୍ଗତ କପିଳପ୍ରସାଦ ମହତାବରୋଡ଼ ଅଂଚଳର ମନୋରଂଜନ ରାଉତରାୟ (୬୦) । ପୁଲିସ ସେମାନଙ୍କଠାରୁ ନଗଦ ୧୪ ଲକ୍ଷ ୪୬୦ଟଙ୍କା, ୧୬ଟି ରୂପା ମୁଦ୍ରା, ୨ଯୋଡ଼ି ସୁନା କାନଫୁଲ, ଗୋଟିଏ ସୁନା ମୁଦି, ଗୋଟିଏ ସୁନା ମଂଗଳସୂତ୍ର, ୨ଟି ରୂପା ଆର୍ମଲେଟ ଓ ୨ଟି ବାଇକ ଜବତ କରିଛି । ଏହାଛଡ଼ା ଅଭିଯୁକ୍ତଙ୍କ ଆକାଉଣ୍ଟରେ ଥିବା ୫ଲକ୍ଷରୁ ଅଧିକ ଟଙ୍କା ପୁଲିସ ଫ୍ରିଜ କରିଛି । ତେବେ ମୁଖ୍ୟ ଅଭିଯୁକ୍ତ ସରୋଜ ଜେନା ଫେରାର ହୋଇଯାଇଛି । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି  ।


  ସୂଚନା ମୁତାବକ, କଟକର ଜଣେ ବରିଷ୍ଠ ନାଗରିକ ସାଇବର ଠକଙ୍କ ଦ୍ୱାରା ୮୮ଲକ୍ଷ ଟଙ୍କା ଠକାମୀର ସୀକାର ହୋଇଥିବା କଟକ ସାଇବର ଥାନାରେ ଗତ ଜାନୁୟାରୀ ୧୯ ତାରିଖରେ ଅଭିଯୋଗ କରିଥିଲେ । ପୀଡ଼ିତ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଥିଲେ ଯେ, ଯାଜପୁର ଜିଲ୍ଲାର ସରୋଜ ଜେନା ଓ ତାଙ୍କର ୨ ସହଯୋଗୀଙ୍କ ସହିତ ଜାନୁୟାରୀ ୨୦୨୫ରେ ପ୍ରଥମେ ଫେସବୁକ ମାଧ୍ୟମରେ ବନ୍ଧୁତା ସ୍ଥାପନ ହୋଇଥିଲା । ଏହାପରେ ଅଭିଯୁକ୍ତମାନେ ପୀଡ଼ିତଙ୍କ ସହିତ ଘନିଷ୍ଠ ସଂପର୍କ ରଖି ସ୍ଥାନୀୟ ରକ୍ସି ହୋଟେଲ, ସାଗର ହୋଟେଲ ଏବଂ ଜଗବନ୍ଧୁ ହୋଟେଲରେ ବାରମ୍ବାର ବ୍ୟକ୍ତିଗତ ସାକ୍ଷାତ କରିଥିଲେ । ଏହାପରେ ଅଭିଯୁକ୍ତମାନେ ଧୀରେ ଧୀରେ ପୀଡ଼ିତଙ୍କ ବିଶ୍ୱାସ ହାସଲ କରିଥିଲେ । ୨୦୨୫ ମସିହା ମେ ମାସରେ ପୀଡ଼ିତ ଅନଲାଇନ ମୋଡ଼ ମାଧ୍ୟମରେ ଅଭିଯୁକ୍ତ ସରୋଜର ଚିକିତ୍ସା ନିମନ୍ତେ ୧ଲକ୍ଷ ୪୮ହଜାର ଟଙ୍କା ଧାର ସୂତ୍ରରେ ହସ୍ତାନ୍ତର କରିଥିଲେ । ତୁରନ୍ତ ଏ ଟଙ୍କା ଫେରାଇ ଅଭିଯୁକ୍ତ ବରିଷ୍ଠ ନାଗରିକଙ୍କ ମନରେ ବିଶ୍ୱାସ ଜନ୍ମାଇ ଥିଲା । ଏହାପରେ କ୍ରମଶଃ ସରୋଜ ବରିଷ୍ଠ ନାଗରିକଙ୍କୁ ଏକ ଫେକ୍‌ ଆଇଡ଼ି ମାଧ୍ୟମରେ ଝିଅ ପରିଚୟ ଦେଇ ଦୀର୍ଘଦିନ ଧରି ଅଶ୍ଳୀଳ ଭିଡ଼ିଓ କଲ କରିଥିଲେ । ଏହି ଭିଡ଼ିଓ କଲବେଳର ରେକଡର଼୍ ଓ ସ୍କ୍ରିନ ସର୍ଟକୁ ଭାଇରାଲ କରିଦେବାର ଧମକ ଦେଇ ସାଇବରଠକମାନେ ବରିଷ୍ଠ ନାଗରିକଙ୍କ ଠାରୁ ୮୮ଲକ୍ଷଟଙ୍କା ଲୁଟ କରିଥିଲେ । ଏହାପରେ ବରିଷ୍ଠ ନାଗରିକ ଜଣକ କଟକ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହି ଏତଲାକୁ ଆଧାର କରି ସାଇବର ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହିତ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଛାନଭିନ ଆରମ୍ଭ କରିଥିଲା । ଏହି ଘଟଣାର କଟକ ସାଇବର ଥାନା ପୋଲିସ ୫ ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି । ତେବେ ମୁଖ୍ୟ ଅଭିଯୁକ୍ତ ସରୋଜ ଜେନା ଫେରାର ହୋଇଯାଇଛି । ଯେଉଁମାନେ ଏଭଳି ଠକାମୀର ଶିକାର ହେଉଛନ୍ତି, ସେମାନେ ସାଇବର ଥାନାକୁ ଜଣାନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ଏସ ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି ।