ଆନ୍ଧ୍ରରେ ଏନ୍ କାଉଣ୍ଟର : କୁଖ୍ୟାତ ମାଓ ନେତା ହିଡମା ନିପାତ
ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଛନ୍ତି । ଏହି ଏନକାଉଣ୍ଟରରେ ଟଳିଲା କୁଖ୍ୟାତ ମାଓ ନେତା ହିଡମା । ହିଡମା ନାଁରେ ଥିଲା ୧ କୋଟି ଟଙ୍କାର ପୁରସ୍କାର । ତାଙ୍କ ପତ୍ନୀ ରାଜେ ମଧ୍ୟ ଏହି ଏନ୍ କାଉଣ୍ଟରରେ ମୃତ୍ୟୁ ବରଣ କରିଛନ୍ତି । ଏନେଇ ଆନ୍ଧ୍ର ଡିଜିପି ହରିଶ କୁମାର ଗୁପ୍ତା ସୂଚନା ଦେଇଛନ୍ତି ।ଅନ୍ୟପଟେ ମାଲକାନଗିରି ସୀମାରେ ମଧ୍ୟ ପୁଣି ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ଛତିଶଗଡ ସୁକୁମା ଜିଲ୍ଲା ଏରାବୋର ଜଙ୍ଗଲରରେ ଗୁଳିବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଉଭୟ ପକ୍ଷରୁ ଏବେବି ଗୁଳିବିନିମୟ ଜାରି ରହିଛି ।
ସୂଚନା ଥାଉକି, ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମାରେଡୁମିଲ୍ଲୀରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସକାଳ ସମୟରେ ଏହି ଏନକାଉଣ୍ଟର କରାଯାଇଥିଲା । ଗୁଳି ବିନିମୟରେ ମାଓ ନେତାଙ୍କ ସମେତ ୬ ଜଣ ମାଓବାଦୀ ନିହତ ହୋଇଛନ୍ତି । ବର୍ତ୍ତମାନ ବି ସେଠାରେ ବଡ଼ କମ୍ବିଂ ଅପରେସନ ଚାଲିଛି ବୋଲି ଆନ୍ଧ୍ର ଡିଜିପି ହରିଶ କୁମାର ଗୁପ୍ତା ସୂଚନା ଦେଇଛନ୍ତି । ଏହି ଏନକାଉଣ୍ଟରରେ ନକ୍ସଲ କମାଣ୍ଡର ମାଡଭି ହିଡମା ଏବଂ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଛି । ହିଡମା ୧୯୮୧ ମସିହାରେ ଛତିଶଗଡ଼ର ସୁକମା ଜିଲ୍ଲାର ପୂର୍ବର୍ତି ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ । ବହୁତ କମ୍ ବୟସରେ ସେ ମାଓ ସଂଗଠନରେ ଯୋଗ ଦେଇ ଜଣେ କମାଣ୍ଡର ହୋଇଥିଲେ । ୨୦୧୩ ମସିହାରେ ଛତିଶଗଡ଼ର ଦରଭା ଉପତ୍ୟକା ହତ୍ୟାକାଣ୍ଡରେ ସେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ । ଯେଉଁଥିରେ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ୨୭ ଜଣ ପ୍ରାଣ ହରାଇଥିଲେ । ୨୦୧୭ ମସିହାରେ ସୁକମାରେ ସିଆରପିଏଫ ଉପରେ ହୋଇଥିବା ଭୟଙ୍କର ଆକ୍ରମଣରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଯେଉଁଥିରେ ୨୫ ଜଣ ସୈନିକ ସହିଦ ହୋଇଥିଲେ । ୨୬ଟି ବଡ଼ ଆକ୍ରମଣରେ ସେ ସାମିଲ ଥିଲା । ତାଙ୍କ ମୁଣ୍ଡରେ ୧ କୋଟି ଟଙ୍କାର ପୁରସ୍କାର ଥିଲା ।