ଅସହ୍ୟ ହେଲାଣି ନିଶାଡିଙ୍କ ଜୁଲମ

ବ୍ୟାସନଗର : ପୂର୍ବତଟ ରେଳବାଇର ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଭାବେ ପରିଚିତ ଯାଜପୁର ରୋଡ଼ ରେଳ ଷ୍ଟେସନ । ଦଳରଗାମି ହେଉ କି ପାସେଞ୍ଜର ଟ୍ରେନରେ ପ୍ରତିଦିନ ହଜାର ହଜାର ଯାତ୍ରୀ ଦୂରଦୂରାନ୍ତକୁ ଯାଇଥାନ୍ତି ଏବଂ ଫେରିଥାନ୍ତି । ବହୁ ଦ୍ରୁତଗାମି ଟ୍ରେନ ରହଣି କାରଣରୁ ସଂପୃକ୍ତ ରେଳଷ୍ଟେସନ ଉପରେ ଯାଜପୁର ସମେତ କେନ୍ଦୁଝର, ଢେଙ୍କାନାଳ, କେନ୍ଦ୍ରାପଡ଼ା ଭଳି ଜିଲାର ଲୋକେ ନିର୍ଭର କରିଥାନ୍ତି । ଏଣୁ ରାତି ହେଉ କି ଦିନରେ ଯାତ୍ରା କରିବା ନିମନ୍ତେ ଯାତ୍ରୀ ଷ୍ଟେସନରେ ପହଁଚିଥାନ୍ତି । ଏହାସହ ଶହଶହ ସଂଖ୍ୟାର ଯାତ୍ରୀ ଟ୍ରେନରୁ ଓହ୍ଲାଇ ଘର ମୁହାଁ ହୋଇଥାନ୍ତି । କିନ୍ତୁ ଯାତ୍ରା କରିବା ହେଉ କି ଫେରିଥିବା ଯାତ୍ରୀ ଯାଜପୁର ରୋଡ ଷ୍ଟେସନ ବଜାରରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ଷ୍ଟେସନ ସମ୍ମୁଖରେ ବେଆଇନ ଭାବେ ଗାଡି ରଖୁଥିବା ନିଶାଡ଼ି ଚାଳକଙ୍କ ଜୁଲମ ଯାତ୍ରୀଙ୍କ ପାଇଁ ଅସହ୍ୟ ହେବାରେ ଲାଗିଛି । କେବଳ ଯାତ୍ରୀନୁହଁନ୍ତି, ସାଧାରଣ ଲୋକେ ବି ଚାଳକଙ୍କ ଆକ୍ରୋଶର ଶୀକାର ହେଉଛନ୍ତି ।
ହେଲେ ବିଡମ୍ବନା ଷ୍ଟେସନ ବଜାର ସୁରକ୍ଷା ଦାୟିତ୍ୱ ରଖୁଥିବା ଆରପିଏଫ କି ଜିଆରପି ବାବୁ ମାନେ ଆଖିବୁଜି ଦେଇ ନିରବ ବସୁଛନ୍ତି । ଯାହା ଫଳରେ ନିଶାଡି ଚାଳକଙ୍କ ଜୁଲମ ବଢିବାରେ ଲାଗିଛି । ନିଶାଡି ଚାଳକ ଷ୍ଟେସନବଜାରରୁ ଗୋପବନ୍ଧୁ ଛକକୁ ପଡିଥିବା ରାସ୍ତା ଉପରେ ଗାଡ଼ି ରଖି ଅବରୋଧ କରିବାକୁ ପଛାଉ ନଥିବା ବେଳେ, ଭଡା ପାଇଁ ସମସ୍ତ ସୀମା ପାର କରୁଛନ୍ତି । ନିଶାଡି ଚାଳକ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଦଣ୍ଡନୃତ୍ୟ କରି ଯାତ୍ରୀଙ୍କୁ ଭୟଭୀତ କରୁଛନ୍ତି । ଚାଳକଙ୍କ ନାଲିଆଖି ଏବଂ ମହିଳା ଯାତ୍ରୀଙ୍କ ମନରେ ଡର ସୃଷ୍ଟି କରିଛି । କୌଣସି ଅଘଟଣ ଭୟରେ ମହିଳା ଯାତ୍ରୀ ଦୋକାନ ଆଗରେ ଆଶ୍ରିତ ହେଉଛନ୍ତି । ଏଭଳି ଅବସ୍ଥା ପ୍ରତ୍ୟେକ ଦିନ ଘଟୁଥିଲେ ହେଁ ଆରପିଏଫ କି ଜିଆରପି ବାବୁ ମାନେ କାର୍ଯ୍ୟାଳୟରେ ବସି ନିଜର ଡିୟୁଟି ସାରୁଛନ୍ତି । ଯାହାଫଳରେ ନିଶାଡ଼ି ଚାଳକଙ୍କ ଜୁଲମ ଦିନକୁ ଦିନ ବଢିଚାଲୁଛି । ରେଳବାଇ ଉଚ୍ଚକର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ପୂର୍ବକ ଷ୍ଟେସନ ସମ୍ମୁଖରୁ ଗାଡ଼ି ହଟାଇବା ସହ ନିଶାଡି ଚାଳକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଯାତ୍ରୀଙ୍କ ପକ୍ଷରୁ ଦାବି କରାଯାଇଛି ।