ଧର୍ମଶାଳାରେ ବିକ୍ରି ହେଉଛି ଏସିସି ବ୍ରାଣ୍ଡର ନକଲି ସିମେଣ୍ଟ
ଧର୍ମଶାଳା: ଧର୍ମଶାଳାରେ ବିକ୍ରି ହେଉଛି ଏସିସି ବ୍ରାଣ୍ଡର ନକଲି ସିମେଣ୍ଟ । ନକଲି ସିମେଣ୍ଟ ବ୍ୟବହାର କରି ଠକାମୀର ଶିକାର ହେଉଛନ୍ତି ଲୋକେ । ଅଭିଯୋଗ ମତେ ଥାନୁଆଳ ପଞ୍ଚାୟତ ଗୁଆରଙ୍ଗ ଗ୍ରାମର ଚାଷୀ ଯଦୁମଣୀ ଜେନା କିଛି ଦିନ ତଳେ ଧାନ ଶୁଖାଇବା ଲାଗି ଏକ କଂକ୍ରିଟ ଖଳା ନିର୍ମାଣ ନିମନ୍ତେ ନିକଟସ୍ଥ ଏକ ଦୋକାନରୁ ୫୦ବସ୍ତା ଏସିସି ଏଫ-୨ଆର ସିମେଣ୍ଟ ଆଣି କାମ କରିଥିଲେ । ହେଲେ କଂକ୍ରିଟ କାମ କରିବାର ସପ୍ତାହକ ମଧ୍ୟରେ ତାହା ଧୋଇ ଯାଇଥିଲା । ଏହା ନକଲି ସିମେଣ୍ଟ ଥିବାରୁ ଏଭଳି ହୋଇଥିବା ସେ ସନେ୍ଦହ କରି ସିମେଣ୍ଟ ଦୋକାନରେ ପହଞ୍ଚି ମାଲିକଙ୍କୁ ଏସମ୍ପର୍କରେ ଅବଗତ କରିଥିରେ । ହେଲେ ଦୋକାନୀ କିଛି ଜାଣି ନଥିବା କହି ସେ ଚଣ୍ଡିଖୋଲ ସ୍ଥିତ ଏକ ସିମେଣ୍ଟ ଏଜେନସି ପାଖରୁ ସିମେଣ୍ଟ ଆଣି ବିକ୍ରି କରୁଥିବା ନେଇ ସଫେଇ ଦେଇଥିଲେ । ଜଣେ ଚାଷୀ କଂକ୍ରିଟ ଖଳା ନିର୍ମାଣ ପାଇଁ ଠକାମିର ଶୀକାର ହେବା ପରେ ବାଜାରରେ ନକଲି ସମେଣ୍ଟ ଅସଲିବ୍ରାଣ୍ଡରେ ବିକ୍ରି ହେଉଥିବା ଚର୍ଚ୍ଚା ହେଉଛି । ଗୋଦାମରେ ଚଢାଉ କରାଯାଇ ନକଲି ସିମେଣ୍ଟ ଠାବ କରିବା ସହ ଏଥିରେ ସମ୍ପୃକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ସହ ଉକ୍ତ ଚାଷୀକୁ କ୍ଷତିପୂରଣ ପ୍ରଦାନ କରିବାକୁ ଥାନୁଆଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅମୂଲ୍ୟଧନ ଜେନା ଦାବି କରିଛନ୍ତି ।