ଆଜାଦ୍‌ ହିନ୍ଦ୍‌ ଫୌଜ

ଆଜାଦ୍‌ ହିନ୍ଦ୍‌ ଫୌଜ

ସୌରଚନ୍ଦ୍ର ମହାପାତ୍ର : ୨୧ ଅକ୍ଟୋବର ୧୯୪୩ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆଜାଦ୍‌ ହିନ୍ଦ ଫୌଜ ଗଠନ କରାଯାଇଥିଲା । ଭାରତକୁ ସ୍ୱାଧୀନ କରିବା ଲାଗି ବିଶ୍ୱର ଶୀର୍ଷ ଶକ୍ତିମାନଙ୍କ ସହାୟତାରେ ଭାରତୀୟ ରାଷ୍ଟ୍ରବାଦୀମାନଙ୍କ ଦ୍ୱାରା ଏହା ଗଠନ କରାଯାଇଥିଲା, ଯାହାର ନେତୃତ୍ୱ ନେଇଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଜାପାନରୁ ନେତାଜୀ ସିଙ୍ଗାପୁର ଆସି ସେଠାରେ ଆଜାଦ ହିନ୍ଦ ନାମରେ ଏକ ଅସ୍ଥାୟୀ ସରକାରର ମୂଳଦୁଆ ପ୍ରତିଷ୍ଠା କରିଥିଲେ । ନେତାଜୀ ଏହି ଆଜାଦ ହିନ୍ଦ ଫୌଜର ସର୍ବୋଚ୍ଚ ସେନାପତି ହୋଇଥିବାବେଳେ କୋରିଆ, ଚୀନ, ଜର୍ମାନୀ, ଜାପାନ, ଇଟାଲୀ, ଆୟର୍ଲାଣ୍ଡ ସହିତ ନଅଟି ଦେଶ ଆଜାଦ ହିନ୍ଦ ଫୌଜକୁ ସମର୍ଥନ କରୁଥିଲେ ।

    ଜାପାନ ସରକାରଙ୍କ ଆର୍ଥିକ, ସୈନିକ ଓ ନୈତିକ ସହାୟତାରେ ଏହି ସରକାର ତିଷ୍ଠି ରହିଲା । ୧୯୪୪ରେ ଆଜାଦ ହିନ୍ଦ ଫୌଜ ଇଂରେଜ ମାନଙ୍କ ବିରୁଦ୍ଧରେ ଭୟଙ୍କର ଯୁଦ୍ଧ ଲଢ଼ିଥିଲେ ଓ କୋହିମା, ପଲେଲ ଆଦି କେତେକ ଭାରତୀୟ ପ୍ରଦେଶକୁ ଇଂରେଜମାନଙ୍କ ଠାରୁ ମୁକ୍ତ କରିଥିଲେ । ନେତାଜୀ ଆଜାଦ ହିନ୍ଦ ଫୌଜକୁ ବେଶ ଶକ୍ତିଶାଳୀ ବନାଇଥିଲେ ଓ ଆଧୁନିକ ରୂପରେ ଫୌଜକୁ ନିର୍ମାଣ କରିବ।। ପାଇଁ ଧନଜନ ଓ ଉପକରଣ ଏକତ୍ରୀତ କରୁଥିଲେ । ଏହି ଫୌଜରେ ପ୍ରାୟ ୮୫୦୦ ସୈନିକ ସାମିଲ ହୋଇଥିଲେ । ଆଜାଦ ହିନ୍ଦର ନିଜସ୍ୱ ପତାକା, ନିଜସ୍ୱ ବ୍ୟାଙ୍କ, ନିଜସ୍ୱ ମୁଦ୍ରା, ନିଜସ୍ୱ ଡାକ ଟିକେଟ, ନିଜସ୍ୱ ଗୁପ୍ତଚର ସେବା ସବୁ କିଛି ଥିଲା । ସବୁଠାରୁ ବଡ଼କଥା ଥିଲା ଆଜାଦ ହିନ୍ଦ ଫୌଜରେ ଥିବା ମହିଳା ରେଜିମେଣ୍ଟ ଯାହାକୁ ରାଣୀ ଝାନ୍‌ସୀ ରେଜିମେଣ୍ଟ କୁହାଯାଉଥିଲା । ଏହାର ଦାୟିତ୍ୱ କ୍ୟାପଟେନ୍‌ ଲକ୍ଷ୍ମୀ ସ୍ୱାମୀନାଥନଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । କମ୍‌ ସମ୍ବଳରେ ବିଦେଶ ମାଟିରେ ଭାରତୀୟକୁ ଏକତ୍ରୀତ କରି ନେତାଜୀ ଯେଉଁ ଆଜାଦ ହିନ୍ଦ ଫୌଜର ପରିଚାଳନା କରିଥିଲେ ତାହା ତା'ର ଶେଷ ଲକ୍ଷ୍ୟ ହାସଲ କରିପାରି ନଥିଲେ ମଧ୍ୟ ବ୍ରିଟିଶ ଶାସନର ମୂଳଦୁଆକୁ ଦୋହଲାଇ ଦେଇଥିଲା ।



ମୋ : ୯୪୩୭୦୦୪୪୬୬