ଆଜିଠୁ ଦୁଇଦିନିଆ ହସ୍ତତନ୍ତ ଓ ହସ୍ତଶିଳ୍ପ ଜାତୀୟ ସମ୍ମିଳନୀ
ଭୁବନେଶ୍ୱର : ଆସନ୍ତାକାଲିଠୁ ଦୁଇ ଦିନିଆ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉପରେ ଏକ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଆୟୋଜନ କରାଯିବ । ବୟନଶିଳ୍ପ ମନ୍ତ୍ରଣାଳୟ ଅଧୀନ ଉନ୍ନୟନ କମିଶନର (ହସ୍ତତନ୍ତ ଏବଂ ହସ୍ତଶିଳ୍ପ)ଙ୍କ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ହେବାକୁ ଯାଉଥିବା ଏହି ସମ୍ମିଳନୀ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ବରିଷ୍ଠ ଅଧିକାରୀ ଏବଂ ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରର ପ୍ରତିନିଧିମାନଙ୍କୁ ଏକତ୍ର କରିବ । ସମ୍ମିଳନୀର ଦୁଇଟି ଉଦ୍ଦେଶ୍ୟ ହେଉଛି ଭାରତରେ ହସ୍ତତନ୍ତ କ୍ଷେତ୍ରର ସୁଯୋଗ ଓ ଆହ୍ୱାନକୁ ବୁଝିବା ଏବଂ ଦ୍ୱିତୀୟତଃ ଭାରତ ସରକାରଙ୍କ ଅଧୀନରେ ଏହି କ୍ଷେତ୍ର ପାଇଁ ଆଗାମୀ ନୂତନ ଯୋଜନା ଉପରେ ବିଚାରବିମର୍ଶ କରିବା । ଉଦଘାଟନୀ ଅଧିବେଶନରେ ମୁଖ୍ୟ ସଚିବ ମନୋଜ ଆହୁଜା ମୁଖ୍ୟ ଅତିଥି ଭାବରେ ଯୋଗଦେବେ ।
ଉଦଘାଟନୀ ଅଧିବେଶନରେ ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମ୍ମାନିତ ଅତିଥି ଭାବରେ ଯୋଗଦେବେ । ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରଣାଳୟର ସଚିବ ନୀଲମ ଶାମି ରାଓ ‘ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ର ପାଇଁ ନୂତନ ଯୋଜନା - ଏକ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ’ ଅଧିବେଶନକୁ ଉଦଘାଟନ କରିବେ ଏବଂ ଏହାର ଦ୍ୱିତୀୟ ଦିନରେ ‘ପ୍ରଶାସନିକ ଢାଞ୍ଚାରେ ମୌଳିକ ପରିବର୍ତ୍ତନ’ ଅଧିବେଶନକୁ ମଧ୍ୟ ସମ୍ବୋଧିତ କରିବେ । ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରଣାଳୟର ଉନ୍ନୟନ କମିଶନର (ହସ୍ତତନ୍ତ) ଡକ୍ଟର ଏମ୍. ବୀଣା, ଉନ୍ନୟନ କମିଶନର (ହସ୍ତଶିଳ୍ପ) ଅମୃତ ରାଜ, ଏବଂ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ କମିଶନର ତଥା ସଚିବ ପୁନମ ଗୁହା ମଧ୍ୟ ଉଦଘାଟନୀ ଅଧିବେଶନରେ ଯୋଗଦେବେ ।