ଆଜି ସ୍କୁଲ, କଲେଜ ଖୋଲା
ଭୁବନେଶ୍ୱର :ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଚଳିତବର୍ଷ ମାର୍ଚ୍ଚ ୫ ପରିବର୍ତ୍ତେ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ହେବ। ପୂର୍ବରୁ ମାର୍ଚ୍ଚ ୫ରେ ସମସ୍ତ ସ୍କୁଲ ଓ କଲେଜ ଛୁଟି ରହୁଥିଲା। ତେବେ ଏବର୍ଷ ମାର୍ଚ୍ଚ ୫ ବୁଧବାର ଦିନ ସବୁ ସ୍କୁଲ ଓ କଲେଜ ଖୋଲା ରହିବ। ଏ ନେଇ ମଙ୍ଗଳବାର ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୃଥକ୍ ନିର୍ଦ୍ଦେଶନାମା ଜାରି କରାଯାଇଛି। ମାର୍ଚ୍ଚ ୫ରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଘରୋଇ ସ୍କୁଲ ସ୍ବାଭାବିକ ଭାବେ କାର୍ଯ୍ୟ କରିବ ବୋଲି ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ସଚିବ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେହିପରି ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଘରୋଇ କଲେଜ ଖୋଲାରହିବ ବୋଲି ବିଭାଗୀୟ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ଏନେଇ ଯୁଗ୍ମସଚିବଙ୍କ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର, ପିଜି କାଉନସିଲ୍ ଚେୟାରମ୍ୟାନ ଏବଂ ପ୍ରିନ୍ସିପାଲମାନଙ୍କୁ ଚିଠି କରାଯାଇଛି।