ଆଦର୍ଶ ଗ୍ରୁପ୍ ଚିଟ୍ଫଣ୍ଡ ଠକେଇ : କଟକ ଓ ଭୁବନେଶ୍ୱରରେ ଇଡ଼ି ରେଡ୍
ଭୁବନେଶ୍ୱର : ଆଦର୍ଶ ଗ୍ରୁପ ଚିଟଫଣ୍ଡ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କଟକ ଓ ଭୁବନେଶ୍ୱରରେ ଚଢ଼ାଉ କରିଛି । ନତକାଇ ଗ୍ରାମ ପଞ୍ଚାୟତର ବିଜୟ ରାଉତ ଓ ରାମକୃଷ୍ଣପୁର ପଞ୍ଚାୟତ ଜିତେନ୍ଦ୍ର ଓଝାଙ୍କ ଘରେ ସକାଳୁ ସକାଳୁ ଇଡି ଚଢ଼ାଉ କରିଛି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ନତକାଇ ଓ ରାମକୃଷ୍ଣପୁର ଦୁଇ ଜଣ ବ୍ୟକ୍ତିଙ୍କ ଘରେ ଇଡି ରେଡ କରିଛି। ସେମାନଙ୍କ ଘରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ ପଚରା ଉଚରା କରିଛି । ଏହାପରେ ଜିତେନ୍ଦ୍ର ଓଝାଙ୍କୁ ନିଜ ସହ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି କମ୍ପାନିର ବହୁ କର୍ମଚାରୀଙ୍କ ଘରେ ଏକାଧିକ ଜାଗାରେ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଏହି ଖୋଳତାଡ଼ରେ ଦୁଇଟି ଟିମର ୮ ଅଫିସର ସାମିଲ ହୋଇଛନ୍ତି । ସେପଟେ ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଧିନରେ ଥିବା ଏମଡ଼ି ନିକୁଞ୍ଜ ସାମନ୍ତରାୟଙ୍କ ଆପାର୍ଟମେଣ୍ଟରେ ମଧ୍ୟ ସିବିଆଇ ଚଢ଼ାଉ କରିଛି ।
ସୂଚନା ଅନୁଯାୟୀ, ୨୦୧୪ରେ ସିବିଆଇ କେଶ ଆଧାରରେ ଇଡି ଆଜି ଯାଞ୍ଚ ପ୍ରକିୟା ଜାରି ରଖିଛି । ଆଦର୍ଶ ଗ୍ରୁପର ମୁଖ୍ୟ କୁହାଯାଉଥିବା ବିଜୟ ରାଉତକୁ ସେହି ସମୟରେ ଚିଟ୍ଫଣ୍ଡ ଅର୍ଥ ଅନିୟମିତତା ଅଭିଯୋଗରେ ଗିରଫ କରାଯାଇଥିଲା । ୪ ବର୍ଷ ଜେଲରେ ବିତାଇଲା ପରେ ବିଜୟ ରାଉତ ବେଲରେ ଆସିଥିଲେ । ସେହି ମାମଲାକୁ ଆଧାର କରି ଇଡିର ଦୁଇଟି ଟିମ୍ ନିଶ୍ଚିନ୍ତକୋଇଲି ବିଜୟ ରାଉତଙ୍କ ପୈତୃକ ଘର ସହିତ ଅନ୍ୟ ବୋର୍ଡ ମେମ୍ବରମାନଙ୍କ ଘରେ ମଧ୍ୟ ଚଢ଼ାଉ ଜାରିରଖିଛି । ଏହି ରେଡ୍ ସେଣ୍ଟ୍ରାଲ ଫୋର୍ସ ଉପସ୍ଥିତିରେ କରାଯାଉଛି । ଆଦର୍ଶ ଚିଟଫଣ୍ଡ ଏମଡି ନିକୁଞ୍ଜ ସାମନ୍ତରାୟଙ୍କ ଘରେ ଇଡିର ଛାନଭିନ୍ ଜାରି ରହିଛି। ଚିଟଫଣ୍ଡ ଠକେଇ ମାମଲାରେ ନିକୁଞ୍ଜଙ୍କୁ କୋର୍ଟ ୪ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ ।