ଆଦିବାସୀଙ୍କ ପାଇଁ ସରକାରଙ୍କ ଦରଦ ନାହିଁ : ଭକ୍ତ
ଦାନଗଦୀ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଣେ ଆଦିବାସୀ ହୋଇଥିଲେ ହେଁ ଆଦିବାସୀଙ୍କ ପାଇଁ ଟିକେ ବି ଦରଦ ନାହିଁ । କଳିଙ୍ଗନଗରରେ ଆଦିବାସୀଙ୍କ ଜମିକୁ ସରକାର ଲକ୍ଷେ ଟଙ୍କାରେ ନେଇ ଶିଳ୍ପପତିଙ୍କୁ ଚଢାମୂଲ୍ୟରେ ବିକ୍ରି କରୁଛନ୍ତି । କଳିଙ୍ଗନଗରରେ ବସବାସ କରୁଥିବା ଆଦିବାସୀ ଆଜି ପ୍ରଦୂଷଣ ବଳୟ ଭିତରେ ଘେରି ହୋଇଛନ୍ତି । ମାଟି ତଳେ କୋଟି କୋଟିର ସଂପତି ଏବଂ ମାଟି ଉପରେ କୋଟି କୋଟିର ନିବେଶ, ହେଲେ ଏଠାକାର ଆଦିବାସୀ ଋଣଗସ୍ତ ସାଙ୍ଗକୁ ପଦୂଷଣ କାରଣରୁ ରୋଗାଗସ୍ତ ହେଉଛନ୍ତି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଡ଼ୁବୁରୀ ଠାରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ଓ ପରିବେଶ ବଞ୍ଚାଅ ସମାବେଶରେ ମତବ୍ୟକ୍ତ କରିଥିଲେ ।
ଗୁରୁବାର ସୁକିନ୍ଦା ନିର୍ବାଚନମଣ୍ଡଳୀ ଡ଼ୁବୁରୀ ଇନ୍ଦିରା ପଡିଆ ଠାରେ ଆୟୋଜିତ ସମାବେଶରେ ଯୋଗ ଦେଇ ପିସିସି ସଭାପତି ଭକ୍ତଚରଣ ଦାସ କହିଥିଲେ କି କଳିଙ୍ଗନଗର ଗୁଳିକାଣ୍ଡର ହାତ କଟା ଦୃଶ୍ୟ ଏବେ ବି ମନେ ପଡୁଛି । ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇ ଆଦିବାସୀଙ୍କ ପାଇଁ ଟିକେ ବି ଦରଦ ନାହିଁ । ସାରା ଓଡିଶାର ଆଦିବାସୀ ମାନଙ୍କୁ ଏହା ବିରୋଧରେ ବିପ୍ଳବ କରିବା ଦରକାର । ସୁକିନ୍ଦାରେ ୮୫% ଲୋକ ପ୍ରଦୂଷଣରେ ରୋଗାକ୍ରାନ୍ତ । କମ୍ପାନୀ ମାନେ କଳିଙ୍ଗନଗରକୁ ନର୍କ କରିଦେଲେଣି; ଏହା କ'ଣ ବିକାଶର ନମୁନା । ମଦ ଛାଡ଼ ଲଢେଇ ପାଇଁ ପ୍ରସ୍ତୁତ ହୁଅ; ଦରକାର ପଡିଲେ ହକ ପାଇଁ ପଦଯାତ୍ରାରେ ରାଜଧାନୀ ପର୍ଯ୍ୟନ୍ତ ଯିବାକୁ ହେବ ।
ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ସହ ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ ଲୁଲୁ, ରାଷ୍ଟ୍ରୀୟ ମଜଦୁର କମିଟି ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ମନ୍ତ୍ରୀ ଶରତ ରାଉତ ଉପସ୍ଥିତ ରହି କହିଥିଲେ କି ସୁକିନ୍ଦା ମାଟି ତଳେ ୯୭ % କ୍ରୋମ ଅଛି । ଜମି, ଜଙ୍ଗଲ, ଖଣି, ପାଣି ସବୁ ଆମର ହୋଇଥିବା ବେଳେ କମ୍ପାନୀ ସରକାରଙ୍କ ମାଧ୍ୟମରେ ଲୁଟ କରୁଥିବା ବେଳେ ସ୍ଥାନୀୟ ନିଯୁକ୍ତି ନାହିଁ, ୮୪% ଲୋକ ପ୍ରଦୂଷଣ ଜନିତ ମୃତୁ୍ୟ ମୁଖରେ ପଡୁଛନ୍ତି । ଏଥିପାଇଁ ହକ ମାଗିଲେ ସୁକିନ୍ଦାରେ ଗୁଳି ଓ ଲାଠି ଖାଇବାକୁ ଲୋକଙ୍କୁ ପଡୁଛି । ଆଦିବାସୀ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କୁ ଭୁଲିଗଲେ ଟାଟା, ଜିନ୍ଦଲ ପରି ବଡ଼ ବଡ଼ କମ୍ପାନୀର ହୋଇଗଲେ । ମୁଖ୍ୟମନ୍ତ୍ରୀ ରିମୋଟରେ ଚାଲୁଛନ୍ତି । ସହିଦ ହୋଇଥିବା ଭାଇମାନଙ୍କ ପାଇଁ ଲଢେଇ ଏବେ ବି ସରିନାହିଁ, ଜୀବନ ଦେବା କିନ୍ତୁ ସମ୍ପଦ ଆଉ ଦେବା ନାହିଁ ବୋଲି କହିଥିଲେ, ଯେଉଁ ମାଟି ତଳେ ୯୭% କ୍ରୋମାଇଟ ସେଠି କାହିଁକି ଲୋକେ ଗରିବ ଆଉ ବାହାର ଲୋକେ ଧନୀ ବୋଲି ପ୍ରଶ୍ନ କରିଥିଲେ । ସୁକିନ୍ଦାରେ ଲୋକେ ଗୋଟେ ବାପ-ପୁଅର ଶାସନକୁ ହଟାଇ ଆଉ ଗୋଟେ ବାପ-ପୁଅ ହାତରେ ଶାସନ ଟେକି ଦେଇଛନ୍ତି । ତେଣୁ ସୁକିନ୍ଦାର ଅବସ୍ଥା ଶୋଚନୀୟ ହୋଇଛି ।