କାହା ଛତ୍ରଛାୟା ତଳେ ଚାଲିଛି ଆୟୁଷ ଷ୍ଟୋନ କ୍ରସର?

 କବାଟବନ୍ଧ,: ସବୁ ସମୟରେ କଳାପଥର ଲୁଟକୁ ନେଇ ସବୁ ସମୟରେ ଚର୍ଚ୍ଚାରେ ରହିଥାଏ ଧର୍ମଶାଳା ତହସିଲ । କେଉଁଠି କଳାପଥର ଲୁଟ ତ କେଉଁଠି ବେଆଇନ କ୍ରସର ଦୁର୍ଘଟଣା । ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ କଳାପଥର ହେଉ କି ବେଆଇନ କ୍ରସରରୁ ମୋଟା ଅଙ୍କର ଚାନ୍ଦା ଆଦାୟ ହୋଇ ନିର୍ବାଚନ ଖର୍ଚ୍ଚ ହେଉଛି ବୋଲି ସବୁ ସମୟରେ ଅଭିଯୋଗ ହେଇଆସୁଛି । ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ କୁସୁନପୁର ମୌଜାରେ ବେଆଇନ ଭାବରେ ଚାଲୁଛି ଆୟୁଷ ଷ୍ଟୋନ କ୍ରସର । ଏହି କ୍ରସର ଯାହାର ଖାତା ନଂ ୬୨୭/୨୦୯, ୬୨୭/୨୧୦,୬୨୭/୨୧୧, ପ୍ଲଟ ନଂ ୧୫୭୫, ୧୫୭୬, ୧୫୭୪/୨୨୭୪, ଏରିଆ ୧.୦୩ ଡ଼ିସିମିଲ ଉପରେ ରହିଛି । କୁନାପ୍ରଧାନ ନାମରେ ଥିବା ଏହି କ୍ରସର ପ୍ରଦୂଷଣ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛି ବୋଲି ବାରମ୍ବାର ଅଭିଯୋଗ ହେଉଛି । ଏହି କ୍ରସର ନିର୍ମାଣ କରିବାପାଇଁ ଅନେକ ନିୟମ ରହିଥିଲେ ମଧ୍ୟ ଗୋଟିଏ ହେଲେ ନିୟମ କାର୍ଯ୍ୟ କାରୀ କରାଯାଉନାହିଁ । କିଛି ଅସାଧୁ କର୍ମଚାରୀଙ୍କ ସହିତ ରହିଥିବା ଭିତିରି ସମ୍ପର୍କ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ଆଲୋଚନା ହେଉଥିବା ବେଳେ ନିୟମକୁ ଖୋଲା ଖୋଲି ଉଲ୍ଲଂଘନ କରି ଚାଲୁଛି ଏହି କ୍ରସର । 
ସମସ୍ତ କ୍ରସର ସାମ୍ନାରେ ସୂଚନା ଫଳକ ଲାଗିଥିବା ସ୍ଥଳେ ଏହି କ୍ରସରରେ ବ୍ୟତିକ୍ରମ ଦେଖାଯାଉଛି । କ୍ରସର ବାର୍ଷିକ ୨,୦୪,୦୦୦ ଘନମିଟର ଉତ୍ପାଦନ କରିବାକୁ ସୂଚନା ଅଧିକାରରେ ଉଲ୍ଲେଖ ରହିଛି । କ୍ରସର ନିର୍ମାଣ କରିବା ପୂର୍ବରୁ କ୍ରସର ଚତୃପାର୍ଶ୍ୱରେ ପାଚେରୀ ନିର୍ମାଣ ଏବଂ  ଚତୃପାର୍ଶ୍ୱ ରେ ଅତି କମରେ ଦୁଇ ଧାଡି କରି ୩୩% ବୃକ୍ଷ ରୋପଣ କରିବାର ନିୟମ ରହିଛି । କିନ୍ତୁ ବୃକ୍ଷ ରୋପଣ ତ ଦୂରର କଥା ଏହି କ୍ରସରର ଚତୃପାର୍ଶ୍ୱରେ ଦୁବ ଗଛଟିଏ ଲଗାଯାଇନାହିଁ । ପାଣି ପିଂକଲର ବ୍ୟବସ୍ଥା କରାଯାଇନାହିଁ । ଶ୍ରମିକ ମାନଙ୍କୁ ଶ୍ରମ କାର୍ଯ୍ୟାଳୟରେ ପଞ୍ଜିକରଣ କରାନଯାଇ ସେମାଙ୍କୁ କ୍ରସର ୟୁନିଟରେ ନିୟୋଜିତ କରାଯାଉଛି । ରାଜ୍ୟ ପଦ୍ରୁଷଣ ନିୟନ୍ତ୍ରଣ ବୋର୍ଡ ଠାରୁ ପରିଚାଳନା ଅନୁମତି ବା କନସେଣ୍ଟଟୁ ଅପରେଟ (ସିଟିଓ)ଓ ପରିବେଶ ଅନୁମତି ବା କନସେଣ୍ଟ ଟୁ କ୍ଲିୟରାନ୍ସ (ଏସି)ଏହି କ୍ରସରକୁ କିପରି ଅନୁମତି ଦିଆଯାଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ସୂଚନା ଅଧିକାର ତଥ୍ୟ ଯାହା କହୁଛି ତାହା ଏଠାରେ ବିପରୀତ କାର୍ଯ୍ୟକାରୀ କରାଯାଉଛି । ଏକ ବର୍ଷରୁ ଉର୍ଦ୍ଧ ସମୟ ଚାଲୁରହିଛି ଏହି କ୍ରସରରେ ବେଆଇନ ଭାବେ ହଜାର ହଜାର ଟ୍ରିପ କଳାପଥର ଗଛିତ ରହିଥିଲେ ମଧ୍ୟ ଚଢାଉ ହେଉ ନି ଜରିମାନା ଲଗାଯାଉନି । ବିଛାଖଣ୍ଡି ଅଞ୍ଚଳରୁ ବେଆଇନ ଭାବରେ ହଜାର ହଜାର ଟ୍ରିପର କଳାପଥର ଲୁଟ ହୋଇ ଏହି କ୍ରସରରେ ଗଛିତ କରି ରଖାଯାଇଥିବା ଅଭିଯୋଗ ହୋଇ ଆସୁଛି । ଏହି ବେଆଇନ ପଥରକୁ କ୍ରସରରେ ଭଙ୍ଗାଯାଇ ଚଢା ଦରରେ ଜିଲ୍ଲା ଓ ଜିଲ୍ଲା ବାହାରକୁ ବିକ୍ରି କରାଯାଉ ବେସ ମୁନାଫା କମାଉଛନ୍ତି କ୍ରସର ବ୍ୟବସାୟୀ । ଯାହା ଫଳରେ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି ସରକାର । ଏହା ଉପରେ ଖଣିବିଭାଗ, ପ୍ରଦୂଷଣ ବିଭାଗ ଏବଂ ରାଜସ୍ୱ ବିଭାଗର କୋହଳ ମନଭାବ ନାଁ କ୍ରସର ବ୍ୟବସାୟୀଙ୍କ ସହିତ ସୁସଂପର୍କରୁ ସବୁ ବେଆଇନକୁ ସମର୍ଥନ ଦେଇ ଆସୁଛନ୍ତି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ଉପରେ ବିଭାଗୀୟ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସାଧାରଣ ଜନତା ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି ।