ଆଧୁନିକ କାଳର ଭୋଜି ଆୟୋଜନ

    ଆଗରୁ ଭୋଜି ହେଲେ ଅତିଥି କିପରି ଶାନ୍ତିରେ ଖାଇକି ଫେରିବେ, ଖାଦ୍ୟ ଅପଚୟ ନହେବ, ବଳକା ଖାଦ୍ୟକୁ କିପରି କିଛି ଖାଇବାକୁ ପାଉନଥିବା ଗରିବ ଲୋକଙ୍କୁ ବାଣ୍ଟି ଦିଆଯିବ ସେ ବିଷୟକୁ ଦୃଷ୍ଟିରେ ରଖି ପରିବାର କୁଟୁମ୍ବ ମଧ୍ୟରେ ଆଲୋଚନା ହୋଇ ଭୋଜିର ଆୟୋଜନ ହେଉଥିଲା । କିନ୍ତୁ ଏବେର ଭୋଜିରେ ଲୋକଙ୍କୁ ଆମେ କେତେ ଦେଇପାରୁଛୁ, ଆମ ସମାଜରେ ଷ୍ଟାଟସ୍‌କୁ ନେଇ ଭୋଜିର ଆୟୋଜନ ହୁଏ । ସହରରେ ତ ଭୋଜି ମାନେହିଁ ଷ୍ଟାଟସ୍‌ । ଭୋଜି ଦେବା ଆଗରୁ ପରିବାର କୁଟୁମ୍ବ, ସାଙ୍ଗସାଥି, କିମ୍ୱା ବଂଧୁବାନ୍ଧବଙ୍କୁ ଦୁଇ ତିନିଟି ଶ୍ରେଣୀରେ ବିଭକ୍ତ କରିଦିଆଯାଏ । ଆଉ ସେ ଅନୁସାରେ ସତ୍କାର । 

ସରିତା ମହାନ୍ତି : ଭୋଜି ଭାରତୀୟ ପରମ୍ପରାର ଏକ ଅଭିନ୍ନ ଅଙ୍ଗ କହିଲେ ଭୁଲ ହେବନାହିଁ । ଏକୋଇଶିଆ, ଜନ୍ମଦିନ, ବ୍ରତଘର, ବିବାହ, ଏକଦଶାହରେ ପରିବାର କୁଟୁମ୍ବଙ୍କ ସହିତ ଶଖା ସହୋଦର ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ଦେଇ ଭୋଜିର ଆୟୋଜନ କରି ଖାଇବାକୁ ଦେବା ଆମ ଭାରତୀୟସଂସ୍କୃତିରେ ଏକ ବହୁ ପୁରୁଣା ପ୍ରଥା । “ଅତିଥି ଦେବୋ ଭବଃ” । ଭାରତରେ ଅତିଥିଙ୍କୁ ଦେବତୁଲ୍ୟ ସ୍ୱାଗତ ସତ୍କାର କରାଯାଏ । ଆମ ରାଜ୍ୟ ଓଡିଶାର ପ୍ରାଣର ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆନନ୍ଦ ବଜାରରେ ପ୍ରତିଦିନ ହଜାର ହଜାର ଭକ୍ତ ମହାପ୍ରସାଦ ସେବନ କରନ୍ତି । ମାଆ ଲକ୍ଷ୍ମୀଙ୍କ ରୋଷେଇ ଶାଳରେ ପ୍ରତିଦିନ ଛପନପଉଟି ଭୋଗ ରନ୍ଧାହୁଏ । ମହାପ୍ରସାଦ ଟିକେ ଖାଇ, ଟଙ୍କତୋରାଣି ପିଇ ଦେଲେ ଯେଉଁ ଅପୂର୍ବ ଆନନ୍ଦ, ଆତ୍ମତୃପ୍ତି ଓ ଶାନ୍ତି ମିଳେ ତାହା ଦୁନିଆଁର କୌଣସି ଭୋଜନରେ ନାହିଁ । ସମୟ ସହିତ ଆମ ସମାଜ ଆଧୁନିକତା ଆଡ଼କୁ ଗତିଶୀଳ ହେଲେ ମଧ୍ୟ ବଡ଼ ଦେଉଳର ରୋଷେଇ ଶାଳରେ ଏବେ ମଧ୍ୟ ଗ୍ୟାସ ଚୁଲ୍ଲାର ବ୍ୟବହାର ହୋଇନାହିଁ କି ମହାପ୍ରସାଦ ପ୍ରସ୍ତୁତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ହଜାର ହଜାର ବର୍ଷର ପୁରୁଣା ପ୍ରଥା ଓ ପରମ୍ପରାରେ ପ୍ରସ୍ତୁତ କାଳିଆର ମହାପ୍ରସାଦ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭୋକ ଶୋଷ ମେଣ୍ଟାଇଦିଏ । କେବେ କୌଣସି ଭକ୍ତ ତା ଦୁଆର ମୁହଁରୁ ଖାଲି ହାତରେ ଫେରିନାହିଁ । ଆଉ ଏଇ ଜଗନ୍ନାଥ ଧାମ ଓଡ଼ିଶା ମାଟିର ପ୍ରତ୍ୟେକ ମଣିଷ ମଧ୍ୟ ଅତିଥି ସତ୍କାର କରିବାରେ ଭାରତ ସମେତ ସାରା ବିଶ୍ୱରେ ଆଦର ଲାଭ କରିଛି ।


     କିନ୍ତୁ ବଡ ଦୁଃଖର ବିଷୟ ଏବେ ଆମ ସମାଜ ଆଧୁନିକତା ଆଡ଼କୁ ବଡ଼ ଗର୍ବର ସହ ଅଗ୍ରସର ହୋଇ ପରସ୍ପର ପ୍ରତି ବଡ଼ ବିଚିତ୍ର ବ୍ୟବହାର କରୁଛୁ । ମଣିଷ ଦୁନିଆଁରେ ବଞ୍ଚି ରହିବାର ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର ଓ ବାସଗୃହ । ଜୀବନ ଥିବା ଯାଏ ଏହି ତିନୋଟି ଆବଶ୍ୟକତା ପୂରଣ କରିବାକୁ ଯାଇ କେବଳ ଓଡ଼ିଶା ନୁହଁ ସାରା ବିଶ୍ୱର ମାନବଜାତି ସଦାସର୍ବଦା ସଂଘର୍ଷରତ । ବଡ଼ ଦୁଃଖର କଥା ଏହି ତିନୋଟିର ଆବଶ୍ୟକତା ହିଁ ଏବେ ମନୁଷ୍ୟର ଦୁଃଖ ଏବଂ ରୋଗର କାରଣ ପାଲଟିଛି । ଗାଁ ସହର ସବୁଠି ଖାଦ୍ୟ ଉତ୍ପାଦନ କମୁଛି କିନ୍ତୁ ଖାଦ୍ୟର ପ୍ରକାର ଭେଦ ବଢୁଛି । ଆମ ଓଡ଼ିଶାରେ ବାରମାସର ତେର ପରବ । ପର୍ବ ପର୍ବାଣି ସହିତ ବିଭିନ୍ନ ଆଞ୍ଚଳିକ ପରମ୍ପରା ଓ ଖାଦ୍ୟ ସମଗ୍ର ଓଡିଶାବାସୀଙ୍କୁ ଏକତା ସୂତ୍ରରେ ମଧ୍ୟ ବାନ୍ଧି ରଖୁଥିଲା । ଏବେ ତ ଅନେକ କାରଣ ମଧ୍ୟ ବାହାରିଲାଣି ଯେଉଁଥିରେ ଭୋଜିର ଆୟୋଜନ ସୁନିଶ୍ଚିତ । ଭୋଜି କରିବା ଏକ ସାମାନ୍ୟ କଥା ହୋଇଗଲାଣି । ଠିକ୍‌ ଅଛି ଅଭାବ ନଥିଲେ ସବୁଦିନ ପର୍ବ, ସବୁଦିନ ଭୋଜି । କିନ୍ତୁ ଅଭାବୀ ଲୋକକୁ ଯେଉଁ ଦିନ ଭଲ ଖାଇବା ମିଳିଯାଏ ସେହିଦିନ ତା’ର ପୂଜାପର୍ବ, ସେହିଦିନ ଭୋଜି । ୩୦/୩୫ ବର୍ଷ ପୂର୍ବେ ଗାଁ ରେ ଭୋଜିଟିଏ ହେଲେ ଆତ୍ମୀୟଙ୍କ ସହିତ କିଛି ଗରିବ ଲୋକ ଅପେକ୍ଷା କରି ରହିଥାନ୍ତି ନିର୍ଦ୍ଦିଷ୍ଟ ଦିନକୁ । କାରଣ ଭୋଜିର ବଳକା ଖାଦ୍ୟକୁ ଗାଁର ଗରିବ ଲୋକଙ୍କ ମଧ୍ୟରେ ବଣ୍ଟାଯାଏ । ଯାହାଦ୍ୱାରା ତାଙ୍କ ମୁହଁରେ ଟିକିଏ ହସ ଦେଖିବା ସହିତ ଖାଦ୍ୟ ଅପଚୟ ମଧ୍ୟ ହେଉନଥିଲା । କିନ୍ତୁ ବର୍ତ୍ତମାନର ଭୋଜି ଗାଁର ଗରିବଙ୍କ କଥା ଛାଡ଼ନ୍ତୁ ନିଜ ପରିବାର କୁଟୁମ୍ବ, ସଖା ସହୋଦର, ବନ୍ଧୁବାନ୍ଧବ ଶାନ୍ତିରେ ନୁହଁ ନିମନ୍ତ୍ରଣ ହୋଇଛି ବୋଲି ବଡ଼ ଦୟନୀୟ ଅବସ୍ଥାରେ ଖାଇଦେଇ ଆସନ୍ତି । ଆଗେ ଗାଁରେ ଭୋଜି ହେଲେ ଖାଦ୍ୟ ରାନ୍ଧିବା ଏବଂ ଭୋଜି ଖାଇବା ସ୍ଥାନକୁ ମାଟି ପକାଇ ଗୋବରରେ ଲିପା ଯାଉଥିଲା । ଜାମୁଡାଳ ଛାଉଣି କରି, ଟେଣ୍ଟ ବନ୍ଧା ଯାଉଥିଲା ଖରା, ବର୍ଷାରୁ ରକ୍ଷା ପାଇଁ । ନିଜ ପରିବାର କୁଟୁମ୍ବ ତଥା ବନ୍ଧୁବାନ୍ଧବଙ୍କ ସହଯୋଗରେ ଧାନ ପେଶିବା, ତେଲ ମସଲା, ପନିପରିବା କିଣା ସାଙ୍ଗକୁ ଏକାଠି ବସି ଗପସପ କରି ପରିବା କାଟିବାର ମଜା ଅଲଗା ଥିଲା । ଘରେ ଘରେ ସାଇତା ହୋଇଥବା ପିତ୍ତଳ ହଣ୍ଡା, ଲୁହା କଡେ଼ଇ, ପରାତ, ଶିଳ ଓ ହେମ ଦସ୍ତା, ପନିକି , ବାଉଁଶ କୁଲା, ଡ଼ଲା, ଝୁଡ଼ି ଭୋଜି ତିଆରି ବେଳେ ନା ଭଡ଼ାରେ ଆସୁଥିଲା ନା କିଣିବାକୁ ପଡୁଥିଲା । ଖନ୍ଦା ଖୋଳି କାଠ ଜାଳି ରୋଷେଇ ହେଉଥିଲା । ସବୁ ଘରୁଆ ଜିନିଷ ଏକାଠି କରିଦେଲେ ୫୦୦ ଲୋକଙ୍କ ଭୋଜିର ଆୟୋଜନ ସୁରୁଖୁରୁରେ ହୋଇଯାଉଥିଲା । ଭୋଜିର ଖାଦ୍ୟ କହିଲେ ଭାତ, କାନିକା, ଡାଲି, ଘାଣ୍ଟ ତରକାରୀ, ଖଟା, କ୍ଷୀରି, ପୁରି, ମାଛ, ମାଂସ ଯାହା ନିଜ ଘର ପ୍ରସ୍ତୁତି ମସଲା ଦ୍ରବ୍ୟ ବ୍ୟବାହର ହୋଇ ରନ୍ଧା ହେଉଥିଲା । ସବୁଠୁ ବଡ଼କଥା, ଭୋଜନ ଗ୍ରହଣ କରିବା ସ୍ଥାନରେ ବଡ଼ ବଡ଼ ପାଲ ପକାଇ ବସି ଶାଳପତ୍ର ତିଆରି ଖଲି କିମ୍ୱା ପଦ୍ମପତ୍ର ଓ ଚଉପତି(ଠୋଲା)ରେ ଖାଦ୍ୟ ପଚାରି ପଚାରି ବଡ଼ ଆଦର ପୂର୍ବକ ପରଶି ଦିଆଯାଉଥିଲା । ସେତେବେଳେ ପରିବାର କହିଲେ ଗୋଟିଏ ଗୋଟିଏ ପରିବାରରେ ସଦସ୍ୟ ସଂଖ୍ୟା ୨୫ /୩୦ ରୁ କମ୍‌ ନୁହଁ । ଶାନ୍ତିରେ ସମସ୍ତେ ଖାଇ ପିଇ ଘରର ବୟସ୍କ ବ୍ୟକ୍ତିଙ୍କ ପାଇଁ ସାଥିରେ ଘରକୁ ନେଇ ଆସୁଥିଲେ ।


      ସମୟ ସହ ଭୋଜିର ବ୍ୟବସ୍ଥାରେ ପରିବର୍ତ୍ତନ ହେଲା । “ବଫେ” ସିଷ୍ଟମ୍‌ ନାମକ ଭୋଜି ବ୍ୟବସ୍ଥା ସମସ୍ତଙ୍କୁ ଖୁବ୍‌ ଆକୃଷ୍ଟ କଲା । ସମାନ ସ୍ଥାନରେ ଖାଦ୍ୟ ରନ୍ଧା ହୋଇ ଟେବୁଲ୍‌ ଉପରେ ସଜାଡି ରଖିଦିଆଯାଏ । ଏବେର ଭୋଜିରେ ଖାଦ୍ୟର ନାମ ଗୁଡିକ ମଧ୍ୟରେ ଷ୍ଟାଟରରେ ଗୁପଚୁପ, ସୁଇଟକର୍ନ ଫ୍ରାଏ, ଦହିବରା, ପନିର ପକୋଡା, ଚିକେନ ପକୋଡ଼ା, ସୁପ୍‌ ଇତ୍ୟାଦି ଇତ୍ୟାଦି । ମେନ୍‌ କୋର୍ସରେ ଫ୍ରାଏଡ୍‌ ରାଇସ, ଜୀରା ରାଇସ, ଭେଜ ପୁଲାଓ, ପ୍ଲେନ୍‌ ରାଇସ, ଡ଼ାଲଫ୍ରାଏ, ମିକ୍ସ ଭେଜ୍‌, ଭାଜି, ଚିଲିପନିର, ପନିର ମସଲା, ମସରୁମ୍‌ ଚିଲି, କୋବି ଚିଲି, ମଟନ, ମାଛ, ଚିଙ୍ଗୁଡ଼ି, କଙ୍କଡା, ଛିଞ୍ଚଡା ଇତ୍ୟାଦି ମେନୁ ତିଆରି କଲାବେଳେ ଯେଉଁ ନାଁ ସବୁ ବଡ଼ ବଡ଼ ହୋଟେଲର ମେନୁରେ ଶୋଭା ପାଉଛି ସେ ସବୁ ନ ହୋଇପାରିଲେ , ଷ୍ଟାଟସ୍‌ ର କଥା । ଡେଜର୍ଟରେ ଛେନା ଖିରୀ, ମାଲପୁଆ, ରସାବଳୀ, ଆଇସକ୍ରିମ୍‌, ରସଗୋଲା, ଗୋଲାପ ଜାମୁ, ଜିଲାପି ଇତ୍ୟାଦି । ହୁଏତ ଆଉ କିଛି ବର୍ଷ ପରେ ଇଟାଲିଅନ୍‌,କୋରିଆ, ଆମେରିକାନ ଖାଦ୍ୟ ଲେଖି ଷ୍ଟଲ୍‌ ସଜଡା ହେବ । ବାଢ଼ିବା ଲୋକ ଛିଡ଼ା ହୋଇରହିବେ । ଖାଇବା ଲୋକ ଧାଡ଼ି କରି ଜଣ ଜଣକରି ପ୍ଲେଟ ଧରି ଖାଇବା ଆଣି ଛିଡା ହୋଇ ନଚେତ୍‌ ବୁଲି ବୁଲି ଖାଇବେ । କାରଣ ବସିବା ପାଇଁ ସିମୀତ ଚେୟାର ଥାଏ । ଏକା ସାଥିରେ କୁଟୁମ୍ବ, ବନ୍ଧୁବାନ୍ଧବ ଏକାଠି ହୋଇଗଲେ କଥା ସରିଲା । କାହା ପ୍ଲେଟ କାହା ଦେହରେ ତ କଉ ଛୋଟ ପିଲାର ମୁଣ୍ଡରେ ବାଜୁଥିବ । ଆଉ ପାଦ ପଡ଼ୁଥିବ ମାଛ କଣ୍ଟା ନଚେତ୍‌ ହାଡ଼ ଉପରେ । ଡଷ୍ଟବିନ୍‌ ଥାଇ ମଧ୍ୟ ଅନେକ ଲୋକ ଅଇଁଠା ତଳେ ପକାଇ ବୁଲି ବୁଲି ଖାଆନ୍ତି । ଖାଇବା ସ୍ଥାନର ସ୍ୱଚ୍ଛତା ପ୍ରତି କିଛି ଲୋକ ସଚେତନ ଥାଇ ମଧ୍ୟ ବଡ଼ କଷ୍ଟରେ ଖାଇ ଦେଇ ଗୃହକତ୍ର୍ତ୍ରାଙ୍କୁ ଉପହାର ଦେଇ କୃତ୍ରିମ ହସ ଫୁଟାଇ ଚୁପ୍‌ ଚାପ୍‌ ଚାଲି ଆସନ୍ତି । କାଳେ କେହି ଶୁଣି ଦେବ ଭାବି ଭୋଜି ସ୍ଥାନର ଗେଟ୍‌ ବାହାରେ ଆରଂଭ ହୁଏ ଭୋଜି ଖିଆ ଚର୍ଚ୍ଚା । କିଏ କହେ, “ଓହୋ ବହୁତ୍‌ ଗୁଡ଼ାଏ ଖାଇ କି ହାଲିଆ ଲାଗୁଛି” । କିଏ କହେ, “ମୁଁ ଖାଲି ଷ୍ଟାଟର ଖାଇ ପେଟ ଫୁଲ୍‌” । କିଏ କହେ, “ମୁଁ ସେଗୁଡା କିଛି ଖାଇନି, ଖାଲି ଭାତ ସାଙ୍ଗକୁ ମଟନ ନାଦିକି ଖାଇଦେଇଛି” । କିଏ କହେ, “ଏତେ ଭିଡ଼ରେ ମୁଁ ଅଣନିଃଶ୍ୱାସୀ ହୋଇଗଲି, ଖାଇବି କଣ?” କିଏ କହେ ବହୁତ୍‌ ଆଇଟମ ହୋଇଛି, ବହୁତ୍‌ ଖର୍ଚ୍ଚ କରିଛନ୍ତି କିନ୍ତୁ ଶାନ୍ତି ଲାଗିଲାନି । ଏମିତି ଅନେକ କଥା ଯାହା ଆଜିକାଲିର ଭୋଜି ଖାଇବା ପରେ ଚର୍ଚ୍ଚା ନ କଲେ ଖାଦ୍ୟ ହଜମ ହୁଏନି । ନ ଯାଇଥିବା ଘରଲୋକ ମୁହଁରୁ ଶୁଣିବ, ମୁଁ ଘରେ ଭାତ, ଡାଲମା, ଆଳୁ ଭର୍ତ୍ତାରେ ଶାନ୍ତି । ଏ ତ କେବଳ ଲୋକଙ୍କ କଥା । ଦେଖିବା ଶୁଣିବା ଜାଗା ହେଉଛି ଭୋଜିସ୍ଥଳ । କିଛି ଘଣ୍ଟା ଆଗରୁ ସାଜସଜ୍ଜା ପୂର୍ଣ୍ଣ ଜାଗାଟି ପ୍ଲାଷ୍ଟିକ ବୋତଲ, ଗ୍ଲାସ, ପେପର କପ୍‌, ଟିଶୁ ପେପର, ମାଛ କଣ୍ଟା ହାଡ଼ରେ ପୂର୍ଣ୍ଣ । ଚେୟାର ସବୁ ଏଠି ସେଠି ବିଛିନ୍ନ ହୋଇ ପଡିଥିବ । ଡଷ୍ଟ୍‌ ବିନ ଓଭର୍‌ଫ୍ଲୋ ହୋଇ ପେପର ପ୍ଲେଟ ସବୁ ଅଳିଆ ଗଦା ପରି ଜମା ହୋଇଥିବ । ସେ ଜାଗାକୁ ଦ୍ୱିତୀୟ ଥର ଗଲେ ଲାଗିବ ଏଠି ମଣିଷ ନୁହଁ ପଲ ପଲ କାଉ କୁକୁର ବୋଧହୁଏ ପଶିକି ଖାଇଛନ୍ତି । ପ୍ରାୟ ସବୁ ଭୋଜିରେ ଏପରି ଶୋଚନୀୟ ଅବସ୍ଥା ଏବେ ଦେଖିବାକୁ ମିଳୁଛି । ବଳକା ଖାଦ୍ୟକୁ ଜବରଦସ୍ତି ବନ୍ଧୁ ବାନ୍ଧବଙ୍କୁ ବଣ୍ଟା ଯାଏ । ଯାହାକୁ ସେମାନେ ନେଇ ତ ଯାଆନ୍ତି କିନ୍ତୁ ଦୁଇ ତିନି ଦିନ ଫ୍ରିଜ୍‌ ରେ ରଖି ଫୋପାଡ଼ିବା ସ୍ଥିର ।


   ଆଗରୁ ଭୋଜି ହେଲେ ଅତିଥି କିପରି ଶାନ୍ତିରେ ଖାଇକି ଫେରିବେ, ଖାଦ୍ୟ ଅପଚୟ ନହେବ, ବଳକା ଖାଦ୍ୟକୁ କିପରି କିଛି ଖାଇବାକୁ ପାଉନଥିବା ଗରିବ ଲୋକଙ୍କୁ ବାଣ୍ଟି ଦିଆଯିବ ସେ ବିଷୟକୁ ଦୃଷ୍ଟିରେ ରଖି ପରିବାର କୁଟୁମ୍ବ ମଧ୍ୟରେ ଆଲୋଚନା ହୋଇ ଭୋଜିର ଆୟୋଜନ ହେଉଥିଲା । କିନ୍ତୁ ଏବେର ଭୋଜିରେ ଲୋକଙ୍କୁ ଆମେ କେତେ ଦେଇପାରୁଛୁ, ଆମ ସମାଜରେ ଷ୍ଟାଟସ୍‌କୁ ନେଇ ଭୋଜିର ଆୟୋଜନ ହୁଏ । ସହରରେ ତ ଭୋଜି ମାନେହିଁ ଷ୍ଟାଟସ୍‌ । ଭୋଜି ଦେବା ଆଗରୁ ପରିବାର କୁଟୁମ୍ବ, ସାଙ୍ଗସାଥି, କିମ୍ୱା ବଂଧୁବାନ୍ଧବଙ୍କୁ ଦୁଇ ତିନିଟି ଶ୍ରେଣୀରେ ବିଭକ୍ତ କରିଦିଆଯାଏ । ଆଉ ସେ ଅନୁସାରେ ସତ୍କାର । ଆଉ ଗୋଟିଏ କଥା ଦେଖିବାକୁ ମିଳେ ଭିଆଇପି ଗେଷ୍ଟଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଥାଏ । ଯାହା ନିଜର ବେପାର ବାଣିଜ୍ୟ ବଢାଇବାରେ ସାହାଯ୍ୟ କରେ । ଏହା କେବଳ ଜଣଙ୍କର ବା ଗୋଟିଏ ପରିବାର ନୁହଁ ଏ ବ୍ୟବସ୍ଥା ଆମ ଓଡିଶାରେ ପ୍ରାୟ ସବୁଠି ଭୋଜିର ଏକ ଉନ୍ନତ ବ୍ୟବସ୍ଥା ରୂପରେ ସମାଜରେ ପ୍ରଚଳିତ । ସମସ୍ତେ ଏ ବ୍ୟବସ୍ଥାରେ ଅସନ୍ତୁଷ୍ଟ ହୋଇ ମଧ୍ୟ ଆଜି କାଲି ଏସବୁ ଚାଲିଛି କହି ପୁଣି ଏହି ପ୍ରକାର ପରବର୍ତ୍ତୀ ଭୋଜିକୁ ସାମ୍ନା କରନ୍ତି । ଆଉ ଚର୍ଚ୍ଚା ହୁଏ ଆଗ ଭଳି ଭୋଜିର ମଜା ଆଉ ନାହିଁ । ଯେହେତୁ ପରିବାର ଛୋଟ ହୋଇଛି, ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେଉଛି, ଉନ୍ନତ କ୍ୟାଟରିଂ ବ୍ୟବସ୍ଥା, ଟେଣ୍ଟ ସାଜସଜ୍ଜା କିଛି ଲୋକଙ୍କୁ ରୋଜଗାର କ୍ଷମ କରିଛି, ତଥା ସମୟ ଅଭାବରେ ଟଙ୍କା ଖର୍ଚ୍ଚ କରି ସୁରୁଖୁରୁରେ କାର୍ଯ୍ୟ ତୁଲାଇବା ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଶାନ୍ତିରେ ଖାଇବା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଅତିଥିଙ୍କୁ ନିମନ୍ତ୍ରଣ କରି ସ୍ୱଚ୍ଛତାର ସହିତ ଅତିଥି ସେବା ହୋଇ ପାରିଲେ ଅର୍ଥ ଓ ପରିଶ୍ରମ ସାର୍ଥକ ହୁଅନ୍ତା ବୋଲି ଏହି ଆଲେଖ୍ୟଟିର ଅବତାରଣା ।


    ଆମେ ଓଡ଼ିଆ । ଶ୍ରୀ ଜଗନ୍ନାଥଙ୍କ ନାମ ଓ ଧାମକୁ ଆଧାର କରି ସାରା ପୃଥିବୀରେ ଆମର ସଂସ୍କୃତି, ପରମ୍ପରା ଓ ପ୍ରଥା ଗୁଡ଼ିକ ବିକଶିତ । ଶତାବ୍ଦୀ ଶତାବ୍ଦୀ ଧରି ଜଗନ୍ନାଥ ସଂସ୍କୃତିର ସ୍ରୋତ ଓଡ଼ିଆ ଜାତିର ଜୀବନ ଚର୍ଯ୍ୟାକୁ ସୁନ୍ଦର, ସମୃଦ୍ଧ, ସୁଜନଶୀଳ ଓ ପରିପୂର୍ଣ୍ଣ କରିଆସିଛି । ଓଡ଼ିଆ ଜାତି ଜନ୍ମ ଠାରୁ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଜୀବନର ପ୍ରତିଟି ସ୍ତରରେ ଶ୍ରୀ ଜଗନ୍ନାଥଙ୍କ ସ୍ମରଣ, ମନନ ଓ ଭଜନରେ ମନୋନିବେଶ କରି ପରିଶେଷରେ ତାଙ୍କର ନିର୍ମାଲ୍ୟ କଣିକାକୁ ଅଶ୍ରା କରିଥାଏ । ତେଣୁ ଆମର ଖାଇବା, ପିନ୍ଧିବା ତଥା ଦିନଚର୍ଯ୍ୟାର ପ୍ରତ୍ୟେକ ପରିବର୍ତ୍ତନରେ ଆମର ପରିଚୟ ଅକ୍ଷୁଣ୍ଣ ରଖିବା ନିମନ୍ତେ ମଧ୍ୟ ପ୍ରୟାସ ଜରୁରି । ଆମ ଖାଦ୍ୟରେ ଓଡ଼ିଆ ଖାଦ୍ୟର ବାସ୍ନା, ଆମ ପୋଷାକରେ ଓଡ଼ିଆ ବସ୍ତ୍ରର ସୌନ୍ଦର୍ଯ୍ୟ, ଆମ କଥାରେ ଓଡିଆ ଭାଷାର ମାଧୁର୍ଯ୍ୟ ଚିର ସବୁଜ ରହି ଓଡ଼ିଆ ଜାତିକୁ ସମୃଦ୍ଧ କରୁ ଏହାହିଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।