ଆଫଗାନ୍ରେ ପାକ୍ର ଏୟାର୍ ଷ୍ଟ୍ରାଇକ୍, ୪୬ ମୃତ

ଆଫଗାନିସ୍ତାନରେ ଏୟାର୍ଷ୍ଟ୍ରାଇକ୍ କରିଛି ପାକିସ୍ତାନ୍ । ଆଫଗାନ୍ର ୭ ଗାଁକୁ ଟାର୍ଗେଟ୍ କରି ପାକିସ୍ତାନ ଫାଇଟର୍ ଜେଟ୍ ଯୋଗେ ବୋମା ବିସ୍ଫୋରଣ କରିଥିବା ବେଳେ ଏଥିରେ ୪୬ଜଣ ଆଫଗାନ ନାଗରିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି । ଏହି ଭୟଙ୍କର ଆକ୍ରମଣରେ ବାରମାଲ ସ୍ଥିତ ମର୍ଗବଜାର ଗାଁ ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଛି । ଗତକାଲି ମଧ୍ୟରାତ୍ରରେ ଏହି ଆକ୍ରମଣ ହୋଇଥିବା ତାଲିବାନ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ଏଥିପାଇଁ ସେ ପାକିସ୍ତାନକୁ ଦାୟୀ କରିଛନ୍ତି । ପାକିସ୍ତାନ ଜେଟ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ମନ୍ତ୍ରାଳୟ ପକ୍ଷରୁ ଅଭିଯୋଗ କରାଯାଇଛି । ସେପଟେ ପାକିସ୍ତାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ଆକ୍ରମଣ ସମ୍ପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ । କୁହାଯାଉଛି ଯେ ପାକିସ୍ତାନ ଦ୍ୱାରା କରାଯାଇଥିବା ଏହି ଏୟାର ଷ୍ଟ୍ରାଇକ୍ ପାକ୍ଟିକା ପ୍ରଦେଶର ବାରମଲ ଜିଲ୍ଲାରେ ଅନେକଙ୍କୁ ଆଘାତ ଦେଇଛି । ଆଫଗାନିସ୍ତାନ ଅଧିକାରୀଙ୍କ ଅନୁଯାୟୀ, ଏୟାର ଷ୍ଟ୍ରାଇକରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ । ତେବେ ଏଥିରେ ଅନେକ ଆଫଗାନ ନାଗରିକ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଗତ କିଛି ମାସ ହେଲା ଆଫଗାନିସ୍ତାନରେ ବଳବତ୍ତର ଥିବା ‘ପାକିସ୍ତାନୀ ତାଲିବାନ’ କିମ୍ବା ‘ତେହେରୀକ-ଇ-ତାଲିବାନ୍ ପାକିସ୍ତାନ’ (ଟିଟିପି)ର ସଦସ୍ୟ ପାକିସ୍ତାନ ସୈନ୍ୟବଳକୁ ଟାର୍ଗେଟ୍ କରି ବୋମା ମାଡ଼ କରିଛନ୍ତି ବୋଲି ପାକିସ୍ତାନ ଅଭିଯୋଗ କରି ଆସୁଛି । ତେଣୁ ଏହି ଅଭିଯୋଗ ଭିତ୍ତିରେ ପାକିସ୍ତାନ ଏୟାର୍ ଷ୍ଟ୍ରାଇକ୍ କରିଥାଇପାରେ ବୋଲି ବିଭିନ୍ନ ଗଣମାଧ୍ୟମରେ ଆଲୋଚନା ହେଉଛି । ସେପଟେ ତାଲିବାନ ଏକ ବିବୃତ୍ତି ଜାରି କରି କହିଛି ଯେ ଆଫଗାନିସ୍ତାନକୁ ତା'ର ଜମି ଏବଂ ସାର୍ବଭୌମତ୍ୱ ରକ୍ଷା କରିବାର ସମସ୍ତ ଅଧିକାର ରହିଛି । ଏହି ଆକ୍ରମଣକୁ ନିନ୍ଦା କରି ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ପାକିସ୍ତାନୀ ଯୁଦ୍ଧ ବିମାନ ଦ୍ୱାରା ଯେଉଁ ଅଞ୍ଚଳରେ ବୋମା ମାଡ କରାଯାଇଛି, ସେହି ଅଞ୍ଚଳରେ ୱାଜିରିସ୍ତାନୀ ଶରଣାର୍ଥୀ ମଧ୍ୟ ଥିଲେ ।