କାଶ୍ମୀରରେ ୨ ଆତଙ୍କବାଦୀ ନିପାତ
ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ବାନ୍ଦିପୋରା ଜିଲ୍ଲା ଗୁରେଜର ନୌଶେହରା ନାର୍ଡ ଅଞ୍ଚଳ ନିକଟ ନିୟନ୍ତ୍ରଣ ରେଖା (ଏଲଓସି) ରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ସେନା । ସୀମାରେ ସଜାଗ ଥିବା ସେନାର ଗୁଳିରେ ଟଳିଛନ୍ତି ୨ ଜଣ ଆତଙ୍କବାଦୀ । ଶ୍ରୀନଗର ସ୍ଥିତ ସେନାର ଚିନାର କର୍ପସ ଏକ୍ସ ରେ ଲେଖିଛି, ସମ୍ଭାବ୍ୟ ଅନୁପ୍ରବେଶ ପ୍ରୟାସ ସମ୍ପର୍କରେ ଜେକେପି ଦ୍ୱାରା ପ୍ରଦାନ କରାଯାଇଥିବା ଗୁପ୍ତ ସୂଚନା ଆଧାରରେ ଭାରତୀୟ ସେନା ଓ ପୁଲିସ ଦ୍ୱାରା ଗୁରେଜ ସେକ୍ଟରରେ ଏକ ମିଳିତ ଅଭିଯାନ ଆରମ୍ଭ କରାଯାଇଥିଲା । ଏହା ସହିତ ସତର୍କ ସୈନିକମାନେ ସନେ୍ଦହଜନକ କାର୍ଯ୍ୟକଳାପ ଦେଖି ଅନୁପ୍ରବେଶକାରୀଙ୍କୁ ଚ୍ୟାଲେଞ୍ଜ କରିଥିଲେ । ଯାହା ଫଳରେ ଆତଙ୍କବାଦୀମାନେ ଅଚାନକ ଗୁଳି ଚଳାଇଥିଲେ । ପାଲଟା ଆକ୍ରମଣରେ ଦୁଇ ଆତଙ୍କୀ ସଫା ହୋଇଯାଇଥିଲେ । ଏବେ ବି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲୁ ରହିଛି । ସୈନିକମାନଙ୍କୁ ସହାୟତା ପାଇଁ ଅତିରିକ୍ତ ସୈନିକଙ୍କୁ ସେହି ଅଞ୍ଚଳକୁ ପଠାଯାଇଛି । ପୂର୍ବରୁ ଅଗଷ୍ଟ ୨୫ ତାରିଖରେ ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରର ତୋର୍ନା ଅଞ୍ଚଳରେ ନିୟନ୍ତ୍ରଣ ରେଖା ପାଖରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସେନା ପଣ୍ଡ କରିଥିଲା । ଆଜିକୁ ମିଶାଇ ୧୨ ଦିନ ମଧ୍ୟରେ ଏହା ହେଉଛି ତୃତୀୟ ଅନୁପ୍ରବେଶ ଉଦ୍ୟମ । ଯାହାକୁ ସେନା ପଣ୍ଡ କରିଛି ।