ଆରମ୍ଭରୁ ଦ୍ୱନ୍ଦ୍ୱ : ଗାର୍ଡ ୱାଲ ପାଇଁ ବନ୍ଧ କାଟିଦେଲେ ଠିକାଦାର

 ଯାଜପୁର: ଜଳ ନିଷ୍କାସନ କରି ଗାର୍ଡ଼ୱାଲ କରିବା କଥା । କିନ୍ତୁ ଠିକାଦାର ତାହା ନକରି ମେସିନ୍ ଲଗାଇ ବନ୍ଧକାଟି ଦେଲେ । ଏକଥା ଜାଣିବାପରେ ସ୍ଥାନୀୟ ଲୋକେ କାର୍ଯ୍ୟକୁ ବିରୋଧ କରିଥିଲେ । ମେସିନ ଲଗାଇ କାଟିବା ଦ୍ୱାରା ବନ୍ଧ ଦୁର୍ବଳ ହେବା ସହିତ ବନ୍ଧ ଭାଙ୍ଗିଯିବା ଆଶଙ୍କା କରି କାର୍ଯ୍ୟକୁ ବନ୍ଦ କରିଥିଲେ । ଏହା ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ ବରପଦା ପଂଚାୟତର ଚିତ୍ର । ପଂଚାୟତ ତେଂଟାନାଳ ପାର୍ଶ୍ୱରେ ଗାର୍ଡୱାଲ୍ କରିବା ପାଇଁ କ୍ଷୁଦ୍ର ଜଳସେଚନ ଯାଜପୁର ଅଧିନରେ ପାଖାପାଖି ୧୬ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ତେବେ ଏହି କାର୍ଯ୍ୟ ଆରମ୍ଭରୁ ଦେଖା ଦେଇଛି ଦ୍ୱନ୍ଦ । ଗାର୍ଡ ୱାଲ୍ କରିବା ଆଳରେ ଠିକାଦାର ବନ୍ଧ କାଟି କାର୍ଯ୍ୟ ଆରମ୍ଭ କରିଥିଲେ । ଅଭିଯୋଗ ଅନୁଯାୟୀ ତେଂଟା ନାଳର ବାମ ପାର୍ଶ୍ୱରେ ଗାର୍ଡ ୱାଲ୍ କରିବା ପାଇଁ ସମ୍ପୃକ୍ତ ଠିକାଦାର ନାଳରୁ ପାଣି ସଫା କରି ନିର୍ମାଣ କାର୍ଯ୍ୟ ଆରମ୍ଭ ନକରି ବନ୍ଧକୁ ମେସିନ୍ ସାହଯ୍ୟରେ କାଟି ଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ବିଭାଗୀୟ ଅଧିକାରୀଙ୍କ ଠିକାଦାର ପୋଷଣ ନୀତି ଏବଂ ଠିକାଦାରଙ୍କ ମୁନାଫ୍ ଖୋର୍ ମନବୃତି ପାଇଁ ଏକର ଏକର ଚାଷ ଜମି ଜଳମଗ୍ନ ହେବ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।