ଆଜି ଘର ବାହୁଡ଼ିବେ ବଳଭଦ୍ର ହାତ ଛାଡ଼ିଥିଲେ, ଶଙ୍ଖ ଫୁଙ୍କିବେ

ଯାଜପୁର: ଘର ବାହୁଡ଼ିବେ ବଳଭଦ୍ର ଦାସ । ବିଜୁ ଜନତା ଦଳରେ ହେବେ ସାମିଲ । ଶଙ୍ଖ ଭବନରେ ଫୁଙ୍କିବେ ଶଙ୍ଖ । ବଳଭଦ୍ର ଦାସ ଯାଜପୁର ବିଧାୟକ ତଥା ବିଜେଡ଼ି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦାଦା ପୁଅ ଭାଇ । ସ୍ୱର୍ଗତ ଅଶୋକ ଦାସଙ୍କ ପୁତୁରା ବଳଭଦ୍ର ଜନତା ଦଳରୁ ରାଜନୀତି ଆରମ୍ଭ କରି ନିଜର ପରିଚୟ ସୃଷ୍ଟି କରିଥିଲେ ।
ଛାତ୍ର ଜୀବନରେ ଏନସି କଲେଜ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଦାଦା ସ୍ୱର୍ଗତ ଅଶୋକ ଦାସଙ୍କ ପାଖେ ପାଖେ ରହି ରାଜନୀତି ଗ୍ୟାନ ଆହରଣ କରିଥିବା ବଳଭଦ୍ର ୧୯୯୧ରେ ଲ୍ୟାଣ୍ଡଡ଼େଲପମେଣ୍ଟ ବ୍ୟାଙ୍କ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଜନତା ଦଳ (ଏସ)ରୁ ୨୦୦୨ ମସିହାରେ ବଳଭଦ୍ର ୨୯ ନଂ ଜେନାରୁ ଜିଲାପରିଷଦ ଜିଲା ପରିଷଦ ଆସନରୁ ନିର୍ବାଚନ ଲଢି ଅଳ୍ପ ଭୋଟରେ ହାରି ଯାଇଥିଲେ । ଅଶୋକ ଦାସଙ୍କ ଦେହାନ୍ତ ପରେ ୨୦୦୯ ମସିହା ମାର୍ଚ୍ଚ ୨୩ରେ ବଳଭଦ୍ର କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଦୀର୍ଘ ୧୫ ବର୍ଷ ଧରି କଂଗ୍ରେସରେ କାର୍ଯ୍ୟ କରି ଆସୁଥିବା ଭଳଭଦ୍ର ପ୍ରତ୍ୟେକ ନିର୍ବାଚନରେ ଯାଜପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବାକୁ ଆବେଦନ କରି ଆସୁଥିଲେ । ହେଲେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ଏଣୁ ଭଳଭଦ୍ର ଚଳିତ ନିର୍ବାଚନ ପାଇଁ ସେ କଂଗ୍ରେସରୁ ପ୍ରାର୍ଥୀ ହେବାକୁ ଥିବା ନିୟମ ମତେ ଅନଲାଇନ ଆବେଦନ କରିନଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ରାଜ୍ୟ ସଭାପତିଙ୍କ ପରାମର୍ଶ କ୍ରମେ ବଳଭଦ୍ର ଟିକେଟ ପାଇଁ ଆବେଦନ କରିଥିଲେ । କିନ୍ତୁ ରାଜ୍ୟ କଂଗ୍ରେସ ବଳଭଦ୍ରଙ୍କ ବଦଳରେ ସୁଦୀପ କୁମାର କରଙ୍କୁ ପ୍ରାର୍ଥୀ କରିଥିଲା । ସୁଦୀପଙ୍କୁ ପ୍ରାର୍ଥୀ କରିବା ପରେ ବଳଭଦ୍ର କଂଗ୍ରେସରୁ ଇସ୍ତଫା ଦେଇଥିଲେ । କଂଗ୍ରେସ କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରୁଥିବା ବଳଭଦ୍ର ଦଳ ଛାଡ଼ିବା ପରେ ସେ କୋଉ ଦଳକୁ ଯିବେ ବୋଲି କହିନଥିଲେ । ଅନେକ ସେ ବିଜେପି ଯିବେ ବୋଲି ଚର୍ଚ୍ଚା କରୁଥିଲେ ହେଁ ଶେଷରେ ସେ ଘରକୁ ଫେରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଆସନ୍ତାକାଲି ସେ ଶଙ୍ଖ ଭବନରେ ନିଜର ସମର୍ଥକଙ୍କ ସହ ବିଜେଡ଼ିରେ ମିଶିବେ ବୋଲି ଏହି ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ପ୍ରକାଶ କରିଥିବା ବେଳେ ମୋ ମା’ (ସନ୍ଧ୍ୟାରାଣୀ ଦାସ) କୋରେଇରୁ ଲଢିବେ ଆଉ ମୁଁ ଘରେ ବସିବି କେମିତି । ତେବେ ଯାଜପୁର ବିଧାୟକ ବବିଙ୍କ ଅନୁପସ୍ଥିତିର ସୁଯୋଗ ବିଜେପି ନେବାକୁ ଲାଗିପଡ଼ିଥିବା ବେଳେ ବଳଭଦ୍ରଙ୍କ ଘର ବାହୁଡ଼ା ବିଜେଡ଼ିକୁ ଅନେକ ସହାୟକ ହେବ ବୋଲି କୁହାଯାଉଛି ।