ଆଳୁ ବଜାରର ହାଲତ ମନ୍ଦ


ଓଡ଼ିଶାକୁ ପଶ୍ଚିମବଙ୍ଗରୁ ଆସିଥିବା ଆଳୁର ଆମଦାନୀ ବାଧାପ୍ରାପ୍ତ ହେବା ପରେ ଓଡ଼ିଶା ସାରା ସବୁଆଡେ ଆଳୁ ଦର ୫୦ ଟଙ୍କାରେ ପହଞ୍ଚିଛି । ଏହା ବର୍ତ୍ତମାନ ଏକ ରାଜନୀତିକ ବିତର୍କରେ ପରିଣତ ହୋଇ ସାରିଲାଣି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପର୍ଯ୍ୟନ୍ତ ରାଜନୀତିକ ସ୍ତରରେ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବଜାରରେ ଆଳୁ ଦର ସ୍ୱାଭାବିକ ଅବସ୍ଥାକୁ ଆସିନାହିଁ । ଉତ୍ତରପ୍ରଦେଶ ଓ ପଞ୍ଜାବରୁ ଓଡ଼ିଶାକୁ ଆଳୁ ଆମଦାନୀ ପାଇଁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି । ତାହା କିନ୍ତୁ ଆବଶ୍ୟକ ପରିମାଣରେ ଲୋକଙ୍କ ଚାହିଦା ମେଣ୍ଟାଇ ପାରୁନାହିଁ । ଏ ଦୃଷ୍ଟିରୁ ଦେଖିବାକୁ ଗଲେ ଓଡ଼ିଶାରେ ଆଳୁ ଉତ୍ପାଦନ ଚାହିଦା ମୁତାବକ ହେଉନଥିବାରୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି ଏବଂ ବିଭିନ୍ନ ସମୟରେ ବିଶେଷ କରି ବର୍ଷା ଋତୁରେ ଏହାର ଦର ପ୍ରତିବର୍ଷ କ୍ରମାଗତ ଭାବରେ ବିବାଦୀୟ ରହୁଛି । ଆଳୁ ଗୋଦାମ ଗୁଡ଼ିକରେ ଆଳୁର ଦର ଏବଂ ବଜାରରେ ଖାଉଟିମାନଙ୍କ ପାଇଁ ଆଳୁ ଦର ମଧ୍ୟରେ ଏକ ବିରାଟ ପାର୍ଥକ୍ୟ ସୃଷ୍ଟି ହେଉଥିବା ବେଳେ, ଦର ନିୟନ୍ତ୍ରଣ କରିବା କ୍ଷେତ୍ରରେ ଖାଦ୍ୟ ଓ ଯୋଗାଣ ବିଭାଗ ପ୍ରଭାବଶାଳୀ ପଦକ୍ଷେପ ନେଇଛନ୍ତି । ଏ ପ୍ରକାରର ପରିସ୍ଥିତିରେ ସବୁବେଳେ ଖାଉଟିମାନେ ହନ୍ତସନ୍ତ ହେଉଛନ୍ତି । ଅନ୍ୟପକ୍ଷରେ ଦେଖିବାକୁ ଗଲେ ପଶ୍ଚିମବଙ୍ଗର ଆଳୁ ବ୍ୟବସାୟୀମାନେ ସେମାନଙ୍କ ଶୀତଳ ଭଣ୍ଡାର ଖାଲି କରିବାକୁ ଚାହୁଁଛନ୍ତି । କିନ୍ତୁ କୌଣସି ନା କୌଣସି ଏକ ସ୍ଥାନରେ ସେମାନଙ୍କର ଆଳୁ ରପ୍ତାନୀ କ୍ଷେତ୍ରରେ ସମସ୍ୟା ଉପୁଜୁଛି । ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗର ଆଳୁ ଆବଶ୍ୟକ ମୁତାବକ ବଜାରରେ ଯଦି ପହଞ୍ଚିପାରନ୍ତା, ତାହା ହେଲେ ଏଠାରେ ଖାଉଟିମାନଙ୍କ ସାମର୍ଥ୍ୟ ଅନୁସାରେ ଦର ମଧ୍ୟ ହ୍ରାସ ହୁଅନ୍ତା । ତେବେ ସବୁର ମୂଳରେ ରହିଲା ଓଡ଼ିଶାର ଶୀତଳ ଭଣ୍ଡାରର ଅଭାବ ଏବଂ ଆଳୁ ଚାଷରେ ଚାଷୀମାନଙ୍କର ଅନିଚ୍ଛା । ବଜାର ସବୁବେଳେ ଚାହିଦା ଏବଂ ଯୋଗାଣକୁ ନେଇ ସରଗରମ ହୋଇଥାଏ । ଆଳୁ କ୍ଷେତ୍ରରେ ଓଡ଼ିଶାର ବଜାରରେ ବର୍ଷ ସାରା ଚାହିଦା ରହିଥିବା ସ୍ଥଳେ ବର୍ଷସାରା ଯୋଗାଣ ସମାନ ରହୁନାହିଁ । ଅନ୍ତତଃପକ୍ଷେ ଉତ୍ପାଦନ ନଥିଲେ ମଧ୍ୟ ଯୋଗାଣ ବ୍ୟବସ୍ଥାକୁ ନିରନ୍ତର ଏବଂ ସ୍ୱାଭାବିକ କରାଯାଇପାରିଲେ ବଜାର ଦର ଲୋକଙ୍କୁ ବାଧନ୍ତା ନାହିଁ । ବର୍ତ୍ତମାନ ବ୍ୟବସାୟୀ ସଂଘ ପରିବହନ କାର୍ଯ୍ୟରେ ସଂପୃକ୍ତ ଥିବା ଟ୍ରକ୍ ମାଲିକ ସଂଘ ଏବଂ ଖାଉଟି ସଂଘ ମଧ୍ୟରେ ସମନ୍ୱୟର ଅଭାବ ଦେଖା ଦେଉଛି । ଖାଦ୍ୟ ଓ ଯୋଗାଣ ବିଭାଗ ଧାର୍ଯ୍ୟ କରୁଥିବା ବଜାର ଦର ଉପରେ ପ୍ରକୃତ ନିୟନ୍ତ୍ରଣ କର୍ତ୍ତା କେହି ନାହାନ୍ତି । ଏଭଳି ପରିସ୍ଥିତିକୁ ନେଇ ସରକାରଙ୍କର ରାଜସ୍ୱ ମଧ୍ୟ ପ୍ରଭାବିତ ହେଉଛି । ଅନାବଶ୍ୟକ ସାମାଜିକ ଉତ୍ତେଜନା ମଧ୍ୟ ସୃଷ୍ଟି ହେଉଛି । ଏଭଳି ନ ହେବା ପାଇଁ ଏକ ସ୍ଥାୟୀ ପ୍ରତିକାରର ଆବଶ୍ୟକତା ରହିଥିବା ସ୍ଥଳେ ତାହା ହୋଇ ପାରୁନାହିଁ । ବଜାର ପରିଚାଳନା କ୍ଷେତ୍ରରେ ବ୍ୟବସାୟୀ ସଂଘର ଏକଚାଟିଆ କାରବାର ରହିଥିବା ସ୍ଥଳେ ଖାଉଟିମାନେ ଏହାକୁ କୌଣସି ପ୍ରକାରରେ ନିୟନ୍ତ୍ରଣ କରିପାରୁନାହାନ୍ତି । ଖାଉଟିଙ୍କୁ ସହଯୋଗ କରିବା ଭଳି ବ୍ୟବସ୍ଥା ସରକାରଙ୍କ ନିକଟରେ ବି ନାହିଁ । ତେବେ ବଜାର ଗୁଡ଼ିକରେ କେଉଁଠି କିଏ କେତେ ଦରରେ ଆଳୁ ବିକୁଛନ୍ତି, ତାହା ସହିତ ଅନ୍ୟାନ୍ୟ ପନିପରିବାର ଦର କେତେ ରହୁଛି ସେ ସମ୍ପର୍କରେ ପ୍ରତିଦିନ ବଜାରର ସ୍ଥିତି ସରକାରଙ୍କ ନିକଟରେ ରହିବା କଥା । 
ତେବେ କେବଳ ଆଳୁ ନୁହେଁ ଅନ୍ୟ ରାଜ୍ୟରୁ ଆସୁଥିବା ବିଲାତି ବାଇଗଣ, ବନ୍ଧାକୋବି ଏବଂ ଅନ୍ୟାନ୍ୟ ସବୁଜ ପନିପରିବାର ଦର ମଧ୍ୟ ଖାଉଟିମାନଙ୍କୁ ବାଧୁଛି । ଏ କ୍ଷେତ୍ରରେ ଚାଷୀମାନଙ୍କର ସ୍ୱାର୍ଥକୁ ଅଣଦେଖା କରାଯାଉଥିବାରୁ ଓଡ଼ିଶାରେ ଆଳୁ ଉତ୍ପାଦନ ହେଉ ନାହିଁ । ଏସବୁ ଦିଗକୁ ବିଚାର କରି ରାଜ୍ୟ ସରକାର ଆଳୁର ଯୋଗାଣ ଏବଂ ଚାହିଦା ଉପରେ ଦୃଷ୍ଟି ଦେଇ ଭାରସାମ୍ୟ ରକ୍ଷା କରିବା ଆବଶ୍ୟକ ।