ଆସିନି ଗ୍ରୀଷ୍ମ: ପାଣି ପାଇଁ ରାଜରାସ୍ତାରେ ଧାରଣା
ବାରିପଦା: ଶେଷ ହୋଇନି ମାଘ । ଆରମ୍ଭ ହୋଇନି ଫାଲଗୁନ କିନ୍ତୁ ଫେବୃଆରୀ ମାସ ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେଲାଣି ଜଳକଷ୍ଟ । ଦଶ ଦିନ ହେଲା ପିଇବା ପାଣି ସମସ୍ୟାରେ ଘାଣ୍ଟି ହୋଇ ଆଜି ଗରା ବଲଟି ଧରି ରାଜରାସ୍ତାରେ ଶତାଧିକ ମହିଳା ଓ ପୁରୁଷ ଧାରଣାରେ ବସିଥିଲେ । ଫଳରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଯାତାୟତ ଠପ୍ ହୋଇଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ବାରିପଦା ପୌରପରିଷଦ ୨୫ ନମ୍ବର ୱାର୍ଡ ଦେବେନ୍ଦ୍ରପୁର ଅଞ୍ଚଳରେ ।
ଦେବେନ୍ଦ୍ରପୁର ଅଞ୍ଚଳରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପିଇବା ପାଣି ପାଇଁ ଏକ ପାଣିପମ୍ପର ବ୍ୟବସ୍ଥା କରାଯାଇଥିଲା । ଏହି ପାଣି ପମ୍ପ ଦ୍ୱାରା ସମସ୍ତଙ୍କର ପାଣିର ଆବଶ୍ୟକତା ମେଣ୍ଟିଯାଉଥିଲା । ହେଲେ ଏବେ ଉକ୍ତ ଅଞ୍ଚଳର ପାଖାପାଖି ୮ ଶହ ପରିବାର ହେଲେଣି । ୮ଶହ ପରିବାରକୁ ଏହି ପାଣି ପମ୍ପ ଉପରେ ନିର୍ଭର କରୁଥିଲେ ବି ଏହା ଶୋଷ ମେଣ୍ଟୁନାହିଁ । ଯୋଉଠି ଏଭଳି ୪ଟି ପାଣିପମ୍ପର ଆବଶ୍ୟକତା ରହିଛି, ସେଠାରେ ଏହି ଗୋଟିଏ ପାଣି ପମ୍ପ ଲୋକଙ୍କ ଆବଶ୍ୟକତାକୁ ମେଣ୍ଟାଇବା ଅସମ୍ଭବ ହୋଇପଡିଛି । ଯାହା ଏକ ବଡ଼ ସମସ୍ୟା ହୋଇ ଠିଆ ହୋଇଛି । ତେବେ ପାଣିପମ୍ପର ଚାବି ନଷ୍ଟ ହୋଇଯାଇଥିବା କାରଣରୁ ଆଜିକୁ ଏକ ସପ୍ତାହରୁ ଅଧିକ ସମୟ ଧରି ଏହି ପାଣି ପମ୍ପଟି ସମ୍ପୂର୍ଣ୍ଣ ବନ୍ଦ ହୋଇ ପଡିରହିଥିଲା । ଯାହାଫଳରେ ଶତାଧିକ ପରିବାର ପିଇବା ପାଣି ମୁନ୍ଦାଏ ପାଇଁ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଥିଲେ । ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ବାରମ୍ବାର ଏ ନେଇ ଅବଗତ କରାଇବା ପରେ ମଧ୍ୟ ସମସ୍ୟାର ସମାଧାନ ନହେବା କାରଣରୁ ଉତ୍ୟକ୍ତ ହୋଇଥିଲେ ଅଞ୍ଚଳବାସୀ । ତେଣୁ ଆଜି ଗରା ବାଲଟି ଧରି ଦେବେନ୍ଦ୍ରପୁର ଠାରେ ବାରିପଦା-ଜଳେଶ୍ୱର ରାସ୍ତାକୁ ଦୀର୍ଘ ଦୁଇଘଣ୍ଟାରୁ ଅଧିକ ସମୟ ଧରି ଅବରୋଧ କରିଥିଲେ । ସମସ୍ୟାର ସମାଧାନ ନହେବା ଯାଏଁ ରାସ୍ତାରୋକରେ ଅଟଳ ରହିଥିଲେ ଆନେ୍ଦାଳନକାରୀ । ଦୁଇ ଘଣ୍ଟା ପରେ ବାରିପଦା ମୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ସହ ତୁରନ୍ତ ଏହାର ସ୍ଥାୟୀ ସମାଧାନର ପ୍ରତିଶ୍ରୁତି ଦେବାପରେ ନିଜେ ଚାବି ଭାଙ୍ଗି ଲୋକଙ୍କୁ ପାଣି ଯୋଗାଇଦେବାରୁ ରାସ୍ତାରୋକରୁ ଓହରିଥିଲେ ଉତ୍ୟକ୍ତ ଲୋକେ । ତେବେ ଆଗାମୀ ଦିନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଲୋକେ ଦାବି କରିଛନ୍ତି ।