- କଳିଙ୍ଗ ଅତିଥି ନିବାସର ଉଦଘାଟନ କରିବେ ଦ୍ରୌପଦୀ
ଭୁବନେଶ୍ୱର : ଓଡିଶା ବିଧାନସଭାର ଶୀତ ଅଧିବେଶନ ଆସନ୍ତା ୨୭ରୁ ଆରମ୍ଭ ହେଉଥିବାବେଳେ ଏହି ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ଗୃହକୁ ସମ୍ବୋଧିତ କରିବେ । ଏହି ପରିପ୍ରେକ୍ଷୀରେ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ କିପରି ତ୍ରୁଟିଶୂନ୍ୟ ଓ ସଫଳତାର ସହ ସଂପନ୍ନ ହେବ ସେ ଉପରେ ବାଚସ୍ପତି ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ ସିଂହ, ପୋଲିସ୍ ମହାନିର୍ଦ୍ଦେଶକ ୱାଇ.ବି.ଖୁରାନିଆ, ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ସୁଧାଂଶୁ ଷଡଙ୍ଗୀ, ଓପିଟିସିଏଲ ସିଏମଡି ଭାସ୍କର ଜ୍ୟୋତି ଶର୍ମା, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ରାଧାକୃଷ୍ଣ ଶର୍ମା, ଭୁବନେଶ୍ୱର-କଟକ ପୋଲିସ କମିଶନର ଏସ୍ ଦେବ ଦତ୍ତ ସିଂହ, ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକ ଆର୍ପି କୋଚେ, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ବିଏମ୍ସି କମିଶନର ଚଞ୍ଚଳ ରାଣା, ବିଧାନସଭାର ସଚିବ ସତ୍ୟବ୍ରତ ରାଉତଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଅପରପକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଗାମୀ ନଭେମ୍ବର ୨୦ରେ ଝାରସୁଗୁଡ଼ା ଦେଇ ଛତିଶଗଡ଼ ଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ନଭେମ୍ବର ୨୭ରେ ରାଷ୍ଟ୍ରପତି ଓଡ଼ିଶା ଆସି ରାଜଭବନରେ ନୂଆ କଳିଙ୍ଗ ଅତିଥି ନିବାସର ଶୁଭ ଉଦ୍ଘାଟନ କରିବା ସହିତ ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିବେ । ରାଷ୍ଟ୍ରପତିଙ୍କ ଏହି ଗସ୍ତ ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ତରଫରୁ ପ୍ରସ୍ତୁତି ନେଇ ଆଜି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ରାଷ୍ଟ୍ରପତିଙ୍କ ନଭେମ୍ବର ୨୭ ତାରିଖରେ ଭୁବନେଶ୍ୱର ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପ୍ରସ୍ତୁତି ନେଇ ଆଲୋଚନା କରାଯାଇଥିଲେ । ସେଦିନ ରାଷ୍ଟ୍ରପତି ପୂର୍ବାହ୍ନ ୧୧ ଟା ୫୦ ମି. ସମୟରେ ନୂଆ ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ବାହାରି ଅପରାହ୍ନ ୨ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରି ରାଜଭବନରେ ପହଞ୍ଚିବେ । ମଧ୍ୟାହ୍ନ୍ନ ବିରତି ପରେ ଅପରାହ୍ଣ ୪ଟାରେ ରାଜଭବନ ସ୍ଥିତ ନୂଆ କଳିଙ୍ଗ ଅତିଥି ନିବାସର ଗୃହ ଉଦ୍ଘାଟନ କରିବେ । ଅପରାହ୍ନ ୪ଟା ୨୦ରେ ଓଡ଼ିଶା ବିଧାନସଭାରେ ପହଞ୍ଚିବେ ଏବଂ ୪.୩୦ ରୁ ୫.୩୦ ପର୍ଯ୍ୟନ୍ତ ବିଧାନ ସଭାର ସଦସ୍ୟ ସଦସ୍ୟାମାନଙ୍କୁ ସମ୍ବୋଧନ କରିବେ । ପରେ ପରେ ସେଦିନ ରାଷ୍ଟ୍ରପତି ରାଜଭବନଠାରେ ରାଜ୍ୟପାଳଙ୍କ ପକ୍ଷରୁ ଆୟୋଜିତ ରାତ୍ରଭୋଜନ କାର୍ଯ୍ୟକ୍ରମରେ ଯୋଗଦେବେ । ତା’ ପରଦିନ ୨୮ ତାରିଖ ସକାଳୁ ୯ଟା ୩୫ରେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ଲକ୍ଷେ୍ନ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।