ବିହାରରେ ଚାଲିବ କାହା ରାଜ୍‌ ? ଆଜି କହିବ ଇଭିଏମ୍‌

ଭୁବନେଶ୍ୱର : ବିହାରରେ କିଏ ଜିତିବ, ଏନଡ଼ିଏ ନା ମହାଗଠବନ୍ଧନ  ? କିଏ ହେବେ ମୁଖ୍ୟମନ୍ତ୍ରୀ, ନୀତିଶ କୁମାର ନା ତେଜସ୍ୱୀ ଯାଦବ ? ଆସନ୍ତାକାଲି ଇଭିଏମ ଏହାର ଉତ୍ତର ଦେବ । ଯାହା ଉପରେ ଏବେ ସାରା ଦେଶର ଆଖି ରହିଛି । ଏକଜିଟ୍‌ ପୋଲ୍‌ ଅନୁଯାୟୀ ଏନଡ଼ିଏ ଜିତିବ ଓ ସରକାର ଗଢ଼ିବ । ହେଲେ ଅତୀତରେ ବିହାର ସଂକ୍ରାନ୍ତୀୟ ଅନେକ ଏକଜିଟ୍‌ ପୋଲ୍‌ ଭୁଲ୍‌ ପ୍ରମାଣିତ ହୋଇଛି । ତେଣୁ ତେଜସ୍ୱୀ ବି ବାଜିମାତ୍‌ କରିବାକୁ ଆଶା ରଖିଛନ୍ତି ।


      ସୂଚନାଯୋଗ୍ୟଯେ, ବିହାରରେ ଏଥର ରେକଡର଼୍ ମତଦାନ ହୋଇଛି । ୬୭.୩୧% ମତଦାନ ହାର ଏଯାବତ୍‌ ସର୍ବାଧିକ ବୋଲି ପରିଗଣିତ କରାଯାଉଛି । ୨,୬୧୬ ପ୍ରାର୍ଥୀଙ୍କ ମଧ୍ୟରୁ କେହିବି ପୁନଃ ନିର୍ବାଚନ ପାଇଁ ଅନୁରୋଧ କରିନାହାନ୍ତି । ୧୨ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କ ପାଖରୁ ମଧ୍ୟ ପୁନଃନିର୍ବାଚନ ପାଇଁ ଅନୁରୋଧ କରାଯାଇନାହିଁ । ଚୂଡାନ୍ତ ଭୋଟର ତାଲିକାରେ ୭ କୋଟି ୪୫ ଲକ୍ଷ ଭୋଟରଙ୍କ ନାମ ରହିଛି । ୨୪୩ ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଗଣନା ବ୍ୟବସ୍ଥା କରାଯାଇଛି । ୨୪୩ ଜଣ ଗଣନା ପର୍ଯ୍ୟବେକ୍ଷକ ଏବଂ ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ୨୪୩ ରିଟର୍ଣ୍ଣିଂ ଅଫିସରଙ୍କ ନେତୃତ୍ୱରେ ଭୋଟ ଗଣନା କରାଯିବ । ପ୍ରତ୍ୟେକ ଟେବୁଲରେ ଜଣେ ଗଣନା ସୁପରଭାଇଜର, ଗଣନା ସହାୟକ ଏବଂ ମାଇକ୍ରୋ-ଅବଜରଭର ରହିବେ । ମୋଟ୍‌ ଉପରେ ୪,୩୭୨ ଗଣନା ଟେବୁଲ ରହିଛି । ପ୍ରାର୍ଥୀଙ୍କ ଦ୍ୱାରା ନିଯୁକ୍ତ ୧୮ ହଜାରରୁ ଅଧିକ ଗଣନା ପ୍ରତିନିଧି ମଧ୍ୟ ଗଣନା ପ୍ରକ୍ରିୟା ତଦାରଖ କରିବେ ।


     ଆସନ୍ତାକାଲି ସକାଳ ୮ଟାରେ ଗଣନା ଆରମ୍ଭ ହେବ । ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରଥମେ ପୋଷ୍ଟାଲ୍‌ ବାଲଟ୍‌ ଗଣନା ଆରମ୍ଭ ହେବ । ତା’ପରେ ସକାଳ ୮.୩୦ଟାରେ ଇଭିଏମ୍‌ ଗଣନା ଆରମ୍ଭ ହେବ । ଇଭିଏମ୍‌ ଗଣନାର ଶେଷ ପର୍ଯ୍ୟାୟ ପୂର୍ବରୁ ପୋଷ୍ଟାଲ୍‌ ବାଲଟ୍‌ ଗଣନା ସମାପ୍ତ ହେବା ବାଧ୍ୟତାମୂଳକ । ପ୍ରାର୍ଥୀ କିମ୍ବା ସେମାନଙ୍କ ଗଣନା ପ୍ରତିନିଧିଙ୍କ ଉପସ୍ଥିତିରେ ପୋଷ୍ଟାଲ୍‌ ବାଲଟ୍‌ ଗଣନା କରାଯିବ । ଇଭିଏମ୍‌ ଗଣନା ସମୟରେ, କଣ୍ଟ୍ରୋଲ ୟୁନିଟ୍‌ଗୁଡିକୁ ଗଣନା ଟେବୁଲକୁ ଅଣାଯାଇ ଫର୍ମ ୧୭ ସି(ଭାଗ ୧) ରେ ଥିବା ରେକର୍ଡ ସହିତ ଏହାର କ୍ରମିକ ସଂଖ୍ୟା ମେଳ ଖାଉଛି କି ନାହିଂ ଯାଞ୍ଚ କରାଯିବ । ଇ.ଭି.ଏମ୍‌ ରେ ରେକର୍ଡ ହୋଇଥିବା ଭୋଟ ସଂଖ୍ୟା ଫର୍ମ ୧୭ସିର ଏଣ୍ଟ୍ରି ସହିତ ପୁନଃ-ଯାଞ୍ଚ କରାଯାଏ । ଯଦି ମେଳ ନଥାଏ, ତେବେ ସେହି ମତଦାନ କେନ୍ଦ୍ରର ଭି.ଭି.ପ୍ୟାଟ୍‌ ସ୍ଲିପ୍‌ ବାଧ୍ୟତାମୂଳକ ଭାବରେ ଗଣନା କରାଯିବ । ଇସିଆଇର ପୋର୍ଟାଲରେ ଭୋଟ୍‌ ଗଣତି ସଂକ୍ରାନ୍ତରେ ଅପଡେ଼ଟ ଦିଆଯିବ । ଅନ୍ୟ କୌଣସି ଉତ୍ସ ଉପରେ ନିର୍ଭର ନହୋଇ, ସଠିକ୍‌ ଏବଂ ଯାଞ୍ଚ କରାଯାଇଥିବା ସୂଚନା ପାଇଁ କେବଳ ଏହି ପୋର୍ଟାଲ ଅନୁଶୀଳନ କରିବାକୁ ପରାମର୍ଶ ଦିଆଯାଇଛି ।