ଆସିଲା ମେସେଜ ଧମକ : ମାୟାନଗରୀରେ ବିସ୍ଫୋରଣ ଘଟି ମରିବେ ୧ କୋଟି

 ମୁମ୍ବାଇ:  ମୁମ୍ବାଇ ପୁଲିସକୁ ମିଳିଛି ହ୍ୱାଟ୍ସଆପ ମେସେଜ । ବିସ୍ଫୋରଣରେ ଛାରଖାର ହୋଇଯିବ ମାୟାନଗରୀ ମୁମ୍ବାଇ । ସେଥିପାଇଁ ମୁମ୍ବାଇରେ ପ୍ରବେଶ କରିଛନ୍ତି ୧୪ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀ । ପ୍ରସ୍ତୁତ ହୋଇ ରହିଛି ୪ଶହ କେଜି ଆରଡିଏକ୍ସ । ଏହି ଧମକ ମିଳିବା ପରେ ହାଇ ଆର୍ଲଟରେ ରହିଛି ପୂରା ମୁମ୍ବାଇ ସହର । ଅନନ୍ତ ଚତୁର୍ଦ୍ଦଶୀ ବା ଆସନ୍ତକାଲି ଗଣେଶ ଉତ୍ସବର ଦଶମ ଦିନରେ ଏହି ବୋମା ବିସ୍ଫୋରଣ ହେବ ବୋଲି ଧମକ ମିଳିବା ପରେ ମୁମ୍ବାଇ ପୁଲିସ୍ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ଆସନ୍ତାକାଲି ଶନିବାର ମୁମ୍ବାଇରେ ଗଣେଶ ଉତ୍ସବର ଶେଷଦିନ ସହ ଭସାଣି ଉତ୍ସବ ଆୟୋଜିତ ହେବ । ଏଥିରେ ଲକ୍ଷ ଲକ୍ଷ ଲୋକ ସାମିଲ ହେବେ । ଟ୍ରାଫିକ୍ ପୁଲିସର ସରକାରୀ ହ୍ୱାଟ୍ସଆପ୍ ନମ୍ବରକୁ ପଠାଯାଇଥିବା ଏହି ବାର୍ତ୍ତାରେ ଦାବି କରାଯାଇଛି ଯେ ମୁମ୍ବାଇରେ ୩୪ଟି ଗାଡ଼ିରେ ମାନବ ବୋମା ରଖାଯାଇଛି ଓ ବିସ୍ଫୋରଣ ପରେ ପୂରା ସହର ଥରଥର ହେବ । ଏନେଇ କ୍ରାଇମବ୍ରାଞ୍ଚ ତନାଘନା ଆରମ୍ଭ କରିଛି । ଆତଙ୍କବାଦୀ ନିରୋଧୀ ସ୍କ୍ୱାଡ(ଏଟିଏସ) ଓ ଅନ୍ୟ ଏଜେନ୍ସିମାନଙ୍କୁ ଏନେଇ ସୂଚନା ଦିଆଯାଇଛି । ପ୍ରେରକ ନିଜକୁ "ଲସ୍କର-ଏ-ଜିହାଦି’ର ସଦସ୍ୟ ବୋଲି ପରିଚୟ ଦେଇ ଅଭିଯୋଗ କରିଛି ଯେ ୧୪ ଜଣ ପାକିସ୍ତାନୀ ଆତଙ୍କବାଦୀ ଭାରତରେ ପ୍ରବେଶ କରି ସାରିଛନ୍ତି । ଧମକରେ ଏହା ମଧ୍ୟ ଦାବି କରାଯାଇଛି କି ୪୦୦ କିଲୋଗ୍ରାମ ଆର୍ଡିଏକ୍ସ ବିସ୍ଫୋରଣ କରାଯିବ । ଯାହା ଫଳରେ ୧ କୋଟି ଲୋକଙ୍କ ମୃତୁ୍ୟ ହେବାର ସମ୍ଭାବନା ରହିଛି । ମୁମ୍ବାଇର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି କି ଏହି ଧମକ ଏକ ମିଥ୍ୟା ଖବର ପରି ମନେ ହେଉଛି, କିନ୍ତୁ ସାରା ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅଧିକାରୀମାନେ ସମସ୍ତ ଦୃଷ୍ଟିକୋଣରୁ ଘଟଣାର ତଦନ୍ତ କରୁଛନ୍ତି ଏବଂ ଧମକପୂର୍ଣ୍ଣ ବାର୍ତ୍ତା ପଛରେ ଥିବା ବ୍ୟକ୍ତିଙ୍କୁ ଖୋଜାଖୋଜି ଆରମ୍ଭ କରିଛନ୍ତି । ଏଥିରେ ଭୟଭୀତ ନହେବାକୁ  ଓ କୌଣସି ସନେ୍ଦହଜନକ ବସ୍ତୁ କିମ୍ବା ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ପୁଲିସକୁ ଖବର ଦେବାକୁ ମୁମ୍ବାଇବାସୀଙ୍କୁ କୁହାଯାଇଛି ।