ଆସ୍ଫାଳନର ପରିଣତି
ଆସ୍ଫାଳନ, ଅହଙ୍କାରକୁ ଆମ ଶାସ୍ତ୍ରରେ, ସଂସ୍କୃତିରେ ଢେର ନାପସନ୍ଦ କରାଯାଇଛି । ଅନେକ ମହାରଥୀଙ୍କ ଜୀବନାବସାନର କ୍ଷମତା, ବଡପଣର କି କରୁଣ ଓ ଦୟନୀୟ ପରିଣତି ହୁଏ ତା’ଦେଖାଇ ଦିଆଯାଇଛି । ଲୀଳା ପୁରୁଷୋତ୍ତମ ଭଗବାନ କୃଷ୍ଣ କେତେ ଅସମ୍ଭବକୁ ସମ୍ଭବ କରି ଦେବା ପରେ ନିଜେ କିପରି ବିଫଳତାରେ ବିଲୀନ ହୋଇଗଲର ତାହା ପୁରାଣବର୍ଣ୍ଣିତ । ଏତେବଡ ଯାଦବ ବଂଶର କି ପରିଣତି ହେଲା? ନିଜ ସନ୍ତାନ ଗୁଡାକ ଔଦ୍ଧତ୍ୟ ଓ ଚରିତ୍ରହୀନତା ଦୋଷରେ ଜର୍ଜରିତ ହୋଇ କାଦମ୍ବରୀ ପାନରେ ଉନ୍ମତ୍ତ ହୋଇ ନିଜ ନିଜ ମଧ୍ୟରେ ହଣାମରା ହୋଇ ସବଂଶେ ଲୋପ ପାଇଗଲେ । ନିଜ ବଂଶଧରମାନଙ୍କ ଏ ଦାରୁଣ ବିଲୁପ୍ତି କୃଷ୍ଣ ନିଜ ଆଖିରେ ଦେଖିଲେ, ନିଜେ ବି ଦୁର୍ବାସା ଅଭିଶପ୍ତ ଲୁହାଶରରେ ଜାରା ଶବର ଦ୍ୱାରା ବଧ ହେଲେ । ଏବଂ ସମାଜକୁ ଏହି ବାର୍ତ୍ତା ପ୍ରଦାନ କଲେ ଅହଂକାରର ଦିନେନା ଦିନେ ବିନାଶ ଅବଶ୍ୟମ୍ଭାବୀ । ତଥାବି ଆଜିର ମଣିଷ, ନେତୃବର୍ଗ ସତ୍ତା, ପ୍ରତିପତ୍ତିରେ ମୋହଗ୍ରସ୍ତ ହୋଇ ଏପରି ଅହଙ୍କାରୀ ହୋଇ ଯାଉଛି ଯେ ସେ ନିଜର ବୁଦ୍ଧି, ବିବେକ, ବିଚାରଶକ୍ତି ହରାଇ ଯେ କୈାଣସି ଅନୈତିକ ମାର୍ଗ ଆପଣେଇବାରେ ତିଳେ ମାତ୍ର ପଛଘୁଞ୍ଚା ଦେଉନି । ଆଜି ସମାଜରେ ଦିନକୁ ଦିନ ନୈତିକତାର ହାନି ଓ ହ୍ରାସରୁ ପ୍ରଗତିମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଆଜି ସମାଜରେ ହତ୍ୟା, ଧର୍ଷଣ, ତହବିଲ ତୋଷରପାତ, ଖଣିଖାଦାନ ଲୁଟତରାଜ, ଅଧିକାରୀ ମାନଙ୍କର ଜନତାଙ୍କ କଷ୍ଟାର୍ଜିତ ଧନରେ ରାଜକୀୟ ଉପଭୋଗ ଏବେ ରେକର୍ଡ ସୃଷ୍ଟି କରିବା ସହ ପ୍ରତ୍ୟହ ଖବର କାଗଜ ପୃଷ୍ଠା ମଣ୍ଡନ କରୁଛି । ମଦର ପ୍ରାବଲ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ପାଠ ପଢି ଆଜି ଯୁବଶକ୍ତି ଜୀବିକା ନପାଇ ଅନେକ ଅପସଂସ୍କୃତି କାର୍ଯ୍ୟରେ ଲିପ୍ତ ହେବା ସହ ଉତ୍ସୃଙ୍ଖଳିତ ହେବାରେ ଲାଗିଛନ୍ତି । ଆଜି ଦେଶରେ ଅସହିଷ୍ଣୁତା ବଢିବାରେ ଲାଗିଛି ସରକାର ଓ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ବଢିବାରେ ଲାଗିଛି । ପ୍ରତ୍ୟେକ ପ୍ରତ୍ୟେକଙ୍କ ଦୋଷ ତ୍ରୁଟି ଖୋଜିବାରେ ଅଭ୍ୟସ୍ତ । କିନ୍ତୁ କେହି ଜଣେ ହେଲେ ଏହି ଦୋଷ ତ୍ରୁଟିକୁ ସଜାଡିବା ପାଇଁ ଆଗଭର ନୁହଁନ୍ତି । ସମସ୍ତେ ଆଜି ନିଜର ଅହଙ୍କାରକୁ ନେଇ ଉନ୍ମତ୍ତ । ଏହା ଜାଣିସୁଦ୍ଧା ଅହଙ୍କାରର ଶେଷ ପରିଣତି ଅତ୍ୟନ୍ତ ଦୟନୀୟ ହୋଇଥାଏ ତଥାପି ଏ ମଣିଷ ନିଜର ମୋହ ,ମଦ, ଲାଳସାରୁ ନିଜକୁ ନିବୃତ୍ତ କରିପାରୁନି ଯାହା ସମାଜ ପାଇଁ ଶୁଭଙ୍କରୀ ନୁହଁ ।
ଉମାଶଙ୍କର ପ୍ରସାଦ,ଖୋର୍ଦ୍ଧ.ମୋ:୬୩୭୦୬ ୭୫୫୬୨