ଜାଗୁଳେଇପାଟଣାର ପୂର୍ଣ୍ଣାବୟବ ଶ୍ରୀଜଗନ୍ନାଥ

ଜାଗୁଳେଇପାଟଣାର ପୂର୍ଣ୍ଣାବୟବ ଶ୍ରୀଜଗନ୍ନାଥ

କୃଷ୍ଣ ଚନ୍ଦ୍ର ସୁଆର : ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ସାମାଜିକ ଚଳଣି ଓ ସାଂସ୍କୃତିକ ପରମ୍ପରାର ପ୍ରତିନିଧି ସ୍ୱରୂପ  । ଓଡିଶାର ଜନଜୀବନ ସହ ସେ ଓତପ୍ରୋତ  ଭାବରେ ଜଡିତ । ଜନ୍ମଠାରୁ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ପ୍ରତିଟି ସ୍ତରରେ ଆମେ ତାଙ୍କୁ ସ୍ମରଣ, ମନନ ଓ ଭଜନ କରି ପରିଶେଷରେ ତାଙ୍କରି ନିର୍ମାଲ୍ୟ କଣିକାକୁ ଆଶା କରିଥାଉ । ଓଡ଼ିଆ ଜାତିର ପ୍ରାତଃ ସ୍ମରଣୀୟ ଆରାଧ୍ୟ ଠାକୁର ତଥା ପ୍ରାଣର ପ୍ରାଣ ହେଉଛନ୍ତି କଳାସାଆନ୍ତ । ଶୈବ, ଶକ୍ତି, ବୈଷ୍ଣବ, ଗାଣପତ୍ୟ, ବୌଦ୍ଧ ସବୁରି ସଂପ୍ରଦାୟ ଓ ଧର୍ମର ପ୍ରତୀକ ହେଉଛନ୍ତି ସେ । କେଉଁଠି କେମିତି ରୂପରେ ସେ ତାଙ୍କର ଲୀଳା ପ୍ରକଟିତ କରିଥାଆନ୍ତି । ତାହା ସାଧାରଣ ମଣିଷକୁ ଆଗୋଚର । ଲୀଳାମୟ ସେ । ତାଙ୍କ ଲୀଳା ମାନବୀୟ ହୋଇ ମଧ୍ୟ ଦିବ୍ୟ  । ସେ ଅନନ୍ତ ପୁରୁଷୋତ୍ତମ ନିରାକାର । ଐତିହାସିକ ଗୁରୁତ୍ୱ ବହନ କରୁଥିବା ଅନନ୍ତ ପୁରୁଷୋତ୍ତମ ପୀଠ ସୌନ୍ଦର୍ଯ୍ୟର ପ୍ରାଚୁର୍ଯ୍ୟରେ ଭରପୁର । ଖୋର୍ଦ୍ଧା ସହରଠାରୁ ଜାତୀୟ ରାଜପଥରେ ୫ କି.ମି. ଗଲେ ଜାଗୁଳେଇ ପାଟଣାଠାରେ ଏହି ଆଧ୍ୟାତ୍ମିକ ପୀଠ ସ୍ଥଳୀଟି ପଡେ । ଏଠାକୁ ଯିବାକୁ ଭଲ ଗମନା ଗମନର ସୁବିଧା ଅଛି । ଏଠି ମନ୍ଦିରରେ ହସ୍ତପାଦ ଥାଉ  ପୂର୍ଣ୍ଣବୟବ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାତା ସୁଭଦ୍ରାଙ୍କ ମୂର୍ତ୍ତି ବିଜେ କରିଥିବାରୁ ଏହା ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଇଂରେଜ ଶାସନ ବେଳର କଥା । ୧୮୭୭ ଖ୍ରୀ.ରେ ପୁରୀରେ ଭୋଇବଂଶର ଗଜପତି ମହାରାଜା ତୃତୀୟ ଦିବ୍ୟସିଂହ ଦେବ ଇଂରେଜମାନଙ୍କୁ ବିରୋଧ କରିବା କାରଣରୁ ଇଂରେଜମାନେ ତାଙ୍କୁ ଏକ ମିଥ୍ୟା ମୋକଦ୍ଦମାରେ ଜଡିତ କରାଇ କଳାପାଣି ନିର୍ବାସନ ଦଣ୍ଡରେ ଆଣ୍ଡାମାନ ନିକୋବର ଦୀପପୁଞ୍ଜକୁ ପଠାଇ ଦେଇଥିଲେ ।

       ସେଠାରେ ଗଜପତି ରହିଥାନ୍ତି ସତ, କିନ୍ତୁ ତାଙ୍କ ମନ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାକୁଳ ହେଉଥାଏ । ସେ ଥିଲେ ଠାକୁରଙ୍କର ପରମଭକ୍ତ ଓ ରାଉତ  । ସେଠାରେ କିଛି ଦିନ ନିର୍ବାସନ ଦଣ୍ଡ କାଟିବା ପରେ ଏକଦା ମନମାରି ଏକଲା ବସି ଜଗନ୍ନାଥଙ୍କୁ ସ୍ମରଣ କଲାବେଳେ ଦେଖିଲେ କୂଳରେ କାଠପଟାଟିଏ ଲାଗିଛି  । କ’ଣ ଭାବିଲେ କେଜାଣି ମନକୁ ଦୃଢ କରି ପଟାଟିକୁ ଆଶ୍ରୟ କରି ହାତରେ  ଆହୁଲା ସାହାର୍ଯ୍ୟରେ ସମୁଦ୍ର ଭିତରକୁ ଚାଲିଗଲେ । ଠିକ୍‌ ବୁଡିଯାଉଥିବା ଲୋକ କୁଟାଖିଅକୁ ଆଶ୍ରୟ କଲାଭଳି । କାଳିଆ ଠାକୁରଙ୍କୁ ସ୍ମରଣ କରୁଥାନ୍ତି । ଲକ୍ଷହୀନ ଭାବେ ସମୁଦ୍ର ଜଳରାଶିରେ ଭାସି ଭାସି  ଦୀର୍ଘ ପଥ ଅତିକ୍ରମ କରିବା ପରେ ତାଙ୍କୁ ଦେଖାଗଲା ଅନ୍ୟ ଏକ ପାଶ୍ୱର୍ରେ ଦୂର ଦିଗ୍‌ବଳୟ । ସେ ପଟେ ବୃକ୍ଷଲତାର ଝାପ୍‌ସା ଦୃଶ୍ୟ । ମନରେ ସାହସ ସଞ୍ଚରିଲା ଭାସି ଭାସି ଯାଇ କୂଳରେ ଲାଗିଲେ । ଠାକୁରଙ୍କୁ ବିନମ୍ର ପ୍ରାର୍ଥନା ଓ ଧ୍ୟାନ ବଳରେ ସେ ଓଡ଼ିଶାର ଏକ ଅନାମଧ୍ୟେୟ ବେଳା ଭୂମିରେ ପହଞ୍ଚିଥିଲେ । ତା’ପରେ ସେ ଲୁକ୍କାୟିତ ଅବସ୍ଥାରେ ଶ୍ରୀକ୍ଷେତ୍ରରେ ପହଞ୍ଚିଚଲେ । ଇଂରେଜମାନେ ତାଙ୍କର ପହଞ୍ôଚବା ଖବର କୌଣସି ସୂତ୍ରରୁ ଜାଣି ତାଙ୍କୁ ପୁରୀରେ ନରଖି କଟକର ଏକ କାରାଗାରଟିରେ ରଖିଥିଲେ । ନିରୁପାୟ ହୋଇ ଅନ୍ଧାର କୋଠରୀ ଭିତରେ ରହିଥିଲେ ସୁଦ୍ଧା ତାଙ୍କ ମନ ପ୍ରାଣ ଥିଲା ଠାକୁରଙ୍କ ପାଖରେ । ସେ ବ୍ୟତିବ୍ୟସ୍ତ ହୋଇ ଉଠୁଥିଲେ କାଳିଆ ଠାକୁରଙ୍କ ଦର୍ଶନ ନିମନ୍ତେ । ଉପଯୁକ୍ତ ଭାବେ ଖାଦ୍ୟ ଜଳ ଗ୍ରହଣ କରୁନଥିଲେ । ସେଠାରେ ଥିବା ସମୟରେ ଏକଦା ବର୍ଷା, ବହଳ ଅନ୍ଧାର ରାତିରେ କାରଗାରର ସମସ୍ତ ଶୃଙ୍ଖଳ ଆପେ ଆପେ ଖୋଲିଯାଇଥିଲା । ସତେ ଯେମିତି ଏହା ଥିଲା ବିଧି ନିର୍ଦ୍ଦେଶ । ସେ ନିଜକୁ ବିଶ୍ୱାସ କରିପାରିଲେ ନାହିଁ । ବର୍ଷାରେ ବାହାରକୁ ବାହାରି ଆସି  ଚିନ୍ତାରେ ପଡିଲେ । ଯିବେ କୁଆଡେ ? ତୁହାକୁ ତୁହା ବର୍ଷା ଓ ବିଜୁଳି ଘଡଘଡି ହେଉଛି । ହଠାତ୍‌ ସେହି ଝାପସା ଆଲୋକରେ ଦେଖିଲେ କେହି ଜଣେ ସାଙ୍ଗରେ ଯିବା ପାଇଁ ପ୍ରବର୍ତ୍ତାଉଛି । ଦେହ ତାଙ୍କର ଶୀତେଇ ଉଠିଲା ବର୍ଷାରେ ଓଦା ଦେହରୁ ପାଣି ନିଗୁଡୁଥିବା ଅବସ୍ଥାରେ ସେ ତାଙ୍କୁ ଅନୁସରଣ କଲେ । ପାହାନ୍ତିଆ  ପହର ବେଳକୁ ଗଜପତି ଏକ ନିଛାଟିଆ ଜଙ୍ଗଲରେ ପହଞ୍ଚିଥିଲେ । ଦେଖିଲେ ପାଖରେ ଏକ ଛୋଟ କୁଡିଆ ଘର । କୁଡିଆ ଛ୍ରୁଆରେ ପଥଶ୍ରାନ୍ତ ଗଜପତି ଥକ୍‌କା ମାରି ବସି ପଡିଲେ । ସେ କୁଡିଆ ଘର ଥିଲା ବାବାଜୀ  ରଘୁବୀର ଦାସଙ୍କର । କୁଡିଆ ଭିତରକୁ ବାବାଜୀ ଡାକିଲେ ଗଜପତିଙ୍କୁ । ସେଠାରେ ସେ ନିଜ ପରିଚୟ ଦେଲେ ମୁଁ ଜଣେ ବାବାଜୀ ମୋ ନାଁ ଦୟାନିଧି ଦାସ । ସେ ବାବାଜୀ  ରଘୁବୀର ଦାସଙ୍କ ଠାରୁ ଶିଷ୍ୟତ୍ୱ  ଗ୍ରହଣ କଲେ । ସକାଳ ଆଲୋକରେ  କୁଡିଆରେ ପୂଜିତ ଶ୍ରୀଜୀଉଙ୍କ ଦର୍ଶନ କରି କାନ୍ଦି ପକାଇଲେ ଗଜପତି । ଠାକୁରଙ୍କୁ ଧ୍ୟାନ, ସେବା ପୂଜା ତଥା ଭିକ୍ଷା ବୃତ୍ତି କରି ଅନେକ ଦିନ ସେଠାରେ ରହିଗଲେ । 


       ମନରୁ ପାଶୋରି ପାରୁନଥିଲେ ଘନ ଅନ୍ଧାର ଓ ବର୍ଷଣ ମୁଖର ରାତିରେ ଇସାରା କରି କାରାଗାରରୁ ନେଇ ଆସିଥିବା ପ୍ରଭୁଙ୍କ ମହିମାକୁ । ସେଦିନ ବାଟ କଢ଼ାଇ ଆଣିଥିବା ଛାୟା ପୁରୁଷ ଥିଲେ ନିଜେ ମହାପ୍ରଭୁ ଜଗନ୍ନାଥ । କିଏ କହେ ତାଙ୍କର ହାତ ଗୋଡ ନାହିଁ ବୋଲି । ପତିତ ଉଦ୍ଧାର ନିମିତ୍ତ ପାଦ ନଥାଇ ବି ସେ ଚାଲିଛନ୍ତି, କାନ ନଥାଇ ବି ସେ ପତିତର ଆର୍ତ୍ତ ପ୍ରାର୍ଥନା ଶୁଣିଛନ୍ତି । ବେଶ୍ୟାସକ୍ତ ହୋଇ ପତିତ ସାଜିଥିବା ଭକ୍ତ ବଳରାମ ଦାସଙ୍କ ବାଲି ରଥରେ ସେ ବିଜେ ହୋଇଛନ୍ତି । ପତିତ ସାଲବେଗଙ୍କ ପ୍ରାର୍ଥନାରେ ସେ ରଥ ଅଟକାଇ ଦେଇଛନ୍ତି । ହାତ ନଥାଇ ବି ସେ ପତିତ ବୋଲାଉଥିବା ଦାସିଆ ବାଉରୀର ନଡିଆ ବାହୁ ଲମ୍ବାଇ ନେଇ ଯାଇଛନ୍ତି । ଦରିଦ୍ର ଓ ପତିତ ବନ୍ଧୁ ମହାନ୍ତିଙ୍କୁ ରତ୍ନଥାଳିରେ ସେ ପ୍ରସାଦ ପରିବେଷଣ କରିଛନ୍ତି । ଓଡ଼ିଆ ଜାତି ଓ ଗଜପତିଙ୍କ ସମ୍ମାନ ରକ୍ଷା ପାଇଁ ଅଶ୍ୱାରୋହୀ ଯୋଦ୍ଧା ରୂପେ ତରକାରୀ ଧାରଣ କରି କାଞ୍ଚି ରଣକ୍ଷେତ୍ରକୁ ଯୁଦ୍ଧ ଯାତ୍ରା କରିଛନ୍ତି । ଓଡ଼ିଆ କବି ଜୟଦେବଙ୍କ ଅସମ୍ପୂର୍ଣ୍ଣ ପାଦ ପୂରଣ ନିମିତ୍ତ ସ୍ୱୟଂ ଲେଖନୀଧାରଣ କରନ୍ତି । ଓଡ଼ିଆ ତରୁଣୀର ସୁଲଳିତ କଣ୍ଠ ନିସୃତ ଗୀତ ଗୋବିନ୍ଦ ଶ୍ରବଣରେ ଆକର୍ଷିତ ହୋଇ ବାଇଗଣ କିଆରିକୁ କଣ୍ଟା ଝଣ୍ଟାରେ ପିନ୍ଧା ବସନ ଚିରି ଶ୍ରୀମନ୍ଦିର ଫେରି ଆସନ୍ତି । ଭକ୍ତକବି ଦୀନକୃଷ୍ଣଙ୍କ ଅବମାନନା କରିଥିବା ଗଜପତିଙ୍କୁ କବିଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଦେବା ପାଇଁ ସେ ସ୍ୱପ୍ନାଦେଶ ଦେଇପାରନ୍ତି । ଆପଣାର ସେବକକୁ ରାଜରୋଷରୁ ରକ୍ଷା କରିବା ପାଇଁ ଅଲୌକିକ ଭାବେ ସ୍ୱ ଦାରୁ ବ୍ରହ୍ମଶରୀରର ମଥାରେ କେଶ ସୃଷ୍ଟି କରିପାରନ୍ତି । ଓଡ଼ିଆ ଜାତିର ଦୁର୍ଦ୍ଦିନ ସମୟରେ ଅର୍ଥାତ୍‌ ବହିଃଶତ୍ରୁର ଆକ୍ରମଣ ମୁହୂର୍ତ୍ତରେ ଓଡ଼ିଆମାନଙ୍କ ଦୁଃଖରେ ସମଦୁଃଖୀ ହୋଇ ବଣ, ଜଙ୍ଗଲ, ପର୍ବତ, ପାହାଡ, ନଦୀ ସମେତ ପାତାଳି ହୋଇ ବହୁ ଅପନ୍ତରା ସ୍ଥାନରେ ରହି କେଉଁଠି ଜାମୁକୋଳି, କାଙ୍କଣ ଓ ଫଳମୂଳ ଖାଇ ଆତ୍ମସନ୍ତୋଷ ଲାଭ କରନ୍ତି ।


     ଗଜପତିଙ୍କ ଚିତ୍ତରେ ଚିନ୍ତାମଣି ବସା ବାନ୍ଧି ରହିଲେ । ଦର୍ଶନ ବିହୁନେ ଅତ୍ୟନ୍ତ ମ୍ରିୟମାଣ ହେଲେ । ସେଠି ଅବସ୍ଥାନ ସମୟରେ ଜମା ତାଙ୍କୁ ଭୁଲି ପାରିଲେ ନାହିଁ । ଗଜପତିଙ୍କୁ ପୂର୍ଣ୍ଣ ବିଗ୍ରହ ସର୍ତ୍ତ ନିର୍ମାଣ କରି ପୂଜା କରିବାକୁ ସ୍ୱପ୍ନାଦେଶ ହୋଇଥିଲା । ଗୁପ୍ତରେ ସେ ଡାକିଲେ ବିଶ୍ୱକର୍ମାଙ୍କୁ । ଜାଗୁଲେଇ ପାଟଣାର ଦକ୍ଷିଣ ଦିଗରେ ଥିବା ବେରୁହାଁ ଗ୍ରାମର ଜଣେ ଧୋବା ପରିବାର ବାଡିରେ ଦାରୁ ପ୍ରକଟ ହୋଇଥିବା ସ୍ୱପ୍ନାଦେଶ ହୋଇଥିଲା । ଫଳରେ ରାଜା ବେରୁହାଁ ଗ୍ରାମରୁ ଦାରୁ ଆଣି ତିନି ଠାକୁରଙ୍କ ପୂର୍ଣ୍ଣବିଗ୍ରହ ନିର୍ମାଣ କରାଇଲେ । କଳ୍ପନାରେ ଥିଲା ହାତ, ଗୋଡ ଥିବା ସେହି ନିଶୂନ ରାତିରେ ଦେଖିଥିବା ବିଶ୍ୱନିୟନ୍ତାଙ୍କ ସେହି ମୂର୍ତ୍ତିକୁ । ମୂର୍ତ୍ତି ନିର୍ମାଣ ଶେଷ ହେବା ପରେ ଗଜପତି ପ୍ରାଣ ପ୍ରତିଷ୍ଠା ନିମନ୍ତେ ଠାକୁରଙ୍କ ଶରଣାପନ୍ନ ହେଲେ । ସ୍ୱପ୍ନାଦେଶ ହେଲା, ଯିଏ ପ୍ରାଣ ପ୍ରତିଷ୍ଠା କରିବ ସେ ଆସୁଛନ୍ତି । ବଡ ଆଶ୍ଚର୍ଯ୍ୟର କଥା ଜଗନ୍ନାଥଙ୍କ ସ୍ୱପ୍ନାଦେଶ ଲାଭ କରି ତତ୍‌ ପରଦିନ ସେଠାରେ କେରଳରୁ ଜଣେ ନୈଷ୍ଠିକ ବ୍ରାହ୍ମଣ ପ୍ରାଣବନ୍ଧୁ କାଉଲ ନାମରେ ଜନୈକ ବ୍ୟକ୍ତି ଆସି ପହଞ୍ଚିଲେ । ଦାରୁଦିଅଁ ପ୍ରତିଷ୍ଠା ହେଲେ ଓ ଏକ ସୁନ୍ଦର କୁଡିଆରେ ପୂଜା ପାଇଲେ । ମଠରେ ଥିବା ଠାକୁରଙ୍କ ସିଂହାସନର ଉତ୍ତରପାଶ୍ୱର୍ରେ ମା’ ମହାଲକ୍ଷ୍ମୀ ପୂଜା ପାଉଥିବା ବେଳେ ମଧ୍ୟ ଭାଗରେ ଯଜ୍ଞବେଦୀ ରହିଛି । ଦକ୍ଷିଣ ପାଶ୍ୱର୍ରେ ମହାଦେବ ଓ ମଠ ପ୍ରତିଷ୍ଠା ତାଙ୍କ ଗୁରୁଗାଦି ରହିଛି । ପଶ୍ଚିମ ଦିଗରେ ରୋଷ ଘର ଏବଂ କାରୁଣ କୁଣ୍ଡ ଅବସ୍ଥିତ ଥିବାବେଳେ ପୂର୍ବରେ ଗୀତା ଭବନ ଓ ଅରୁଣସ୍ତମ୍ଭ ରହିଛି । ଦକ୍ଷିଣ ଦିଗରେ ଥିବା ବାରୁଣ କୁଣ୍ଡରେ ସ୍ନାନ କରି ପ୍ରଭୁଙ୍କ ନିକଟରେ ନିଃସନ୍ତାନ ମହିଳାମାନେ ମାନସିକ ରଖିଲେ ସନ୍ତାନ ପ୍ରାପ୍ତ ହୁଅନ୍ତି ବୋଲି ବିଶ୍ୱାସ ରହିଛି । ଆଖ ପାଖର ବହୁ ଲୋକେ ମଧ୍ୟ ଆସି ଠାକୁରଙ୍କୁ ଦର୍ଶନ କରିବା ସହ ଅତ୍ୟନ୍ତ ନିଷ୍ଠାର ସହ ପୂଜାର୍ଚ୍ଚନା କଲେ । ସେହି ସ୍ଥାନଟି ପରବର୍ତ୍ତୀ ସମୟରେ ଜାଗୁଳେଇ ପାଟଣା ଭାବେ ପ୍ରସିଦ୍ଧି ଅର୍ଜନ କଲା ଓ କୁଡିଆଟି ବଡ ସୁନ୍ଦର ମନ୍ଦିର ଓ ଆଧ୍ୟାତ୍ମିକ କ୍ଷେତ୍ର ଭାବରେ ସବୁରି ପ୍ରିୟ ହୋଇଥିଲା । କିନ୍ତୁ ଗଜପତି ଆଜି ନାହାନ୍ତି କି ତାଙ୍କ ଗୁରୁ ରଘୁବୀର ଦାସ ମଧ୍ୟ ନାହାନ୍ତି । କିନ୍ତୁ ତାଙ୍କର କୀର୍ତ୍ତି ସବୁଦିନ ଅକ୍ଷୁଣ୍ଣ ହୋଇ ରହିବା ସଙ୍ଗେ ସ୍ମରଣୀୟ ହୋଇ ରହିଛି କାଳକାଳକୁ । ଖଣ୍ଡପଡାର ତକ୍ରାଳୀନ ରାଜା ନରେନ୍ଦ୍ର ଦେବ ସେଠାରେ ଏକ ପୁଷ୍କରିଣୀ ଖେଳାଇଥିଲେ । ଭକ୍ତମାନଙ୍କ ମିଳିତ ଉଦ୍ୟମରେ ମନ୍ଦିର ପରିଚାଳନା ନିମନ୍ତେ କେତେକ ଜମି ମଧ୍ୟ କ୍ରୟ କରାଯାଇଛି । ମହାପ୍ରଭୁ ଖୁବ୍‌ ପ୍ରଚାରିତ ହୋଇଯାଇଛନ୍ତି ‘ଶ୍ରୀରଙ୍କନାଥ ଦେବ’ ଭାବରେ । ଗୋଟିଏ ଚକା ଉପରେ ମହାପ୍ରଭୁ ଦଣ୍ଡୀୟମାନ ହୋଇଛନ୍ତି । ହାତ, ଗୋଡ ସବୁ ଅଛି । ତାଙ୍କ ଚକାଆଖି ସତେ ଯେମିତି ଚାଲୁଥିବା ମୁଦ୍ରାରେ ମୁଗ୍‌୍‌ଧ କରୁଛି ଅଗଣିତ ଭକ୍ତଙ୍କୁ ।


       କାଳିଆ ସାଆନ୍ତାଙ୍କ ପୂର୍ଣ୍ଣବିଗ୍ରହ ଏଠାରେ ପୂଜା ପାଉଛନ୍ତି । ପୁରୀରେ ଦେବସ୍ନାନ ପୂର୍ଣ୍ଣିମାରେ ତିନିଠାକୁର ଭକ୍ତଙ୍କ ହାତୀ ବେଶରେ ଦର୍ଶନ ଦେଉଥିବା ବେଳେ ଏଠି ବେଶ ହୁଏ ନାହିଁ । କେବଳ ବାହୁଡା ଯାତ୍ରା ପରଦିନ ଏଠାରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀକ୍ଷେତ୍ରରେ ନବକଳେବର ନୀତି ବହୁ ଯାକଜକମରେ ହେଉଥିବା ବେଳେ ଏଠାରେ କେବଳ କପଡା ଲାଗି ହୋଇଯାଏ । ଏଠାକାର ରଥଯାତ୍ରା ବହୁ ପ୍ରାଚୀନ । କେହି ଏହା ସଠିକ୍‌ କହିପାରିବେ ନାହିଁ କେବେଠାରୁ  ଅନୁଷ୍ଠିତ ହୋଇଆସୁଛି । ତେବେ ପୁରୀ ଭଳି ଏହି ପୀଠରେ ପୂର୍ବରୁ ତିନିରଥ ହେଉଥିଲା । କିନ୍ତୁ କୌଣସି ଅସୁବିଧା ଦୃଷ୍ଟିରୁ ଏହା ଦୀର୍ଘଦିନ ହେବ ବନ୍ଦ ରହିଥିଲା ବୋଲି କେତେକ ଗ୍ରାମବାସୀ କହନ୍ତି । ସ୍ଥାନୀୟ ଭକ୍ତ, ଶ୍ରଦ୍ଧାଳୁ ଓ ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ପୁନଶ୍ଚ ୧୯୮୦ ମସିହାରୁ ଆନନ୍ଦ ଉଲ୍ଲାସ ମଧ୍ୟରେ ରଥଯାତ୍ରା ଆରମ୍ଭ ହୋଇଛି । ଗୋଟିଏ ରଥରେ ତିନିଠାକୁର ମାଉସୀଘର ଯାଇଥାନ୍ତି । ରଥଯାତ୍ରାରେ ବହୁ ଲୋକ ସମାଗମ ହୁଏ । ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଭକ୍ତ ପୂର୍ଣ୍ଣାବୟବ ଠାକୁରଙ୍କ ଦର୍ଶନ ନିମନ୍ତେ ଆସନ୍ତି । ବଡ ଦେଉଳର ନୀତି ପରି ରଥଯାତ୍ରା ଦିନ ପ୍ରାତଃ ସମୟରେ ଠାକୁରଙ୍କ ମଙ୍ଗଳ ଆଳତି ତତ୍‌ ପରେ ପରେ ସ୍ନାନ ନୀତି ସଂପନ୍ନ ହୋଇଥାଏ । ଏହା ପରେ ବସ୍ତ୍ର, ଫୁଲ ଓ ଚନ୍ଦନ ଲାଗି କରାଯାଇଥାଏ । ପରେ ଆମ୍ବ କଦଳୀ, ସେଓ ନଡିଆକୁ ନେଇ ବାଳଭୋଗ ହୋଇ ସିଙ୍ଗାର ଆଳତି ହୋଇଥାଏ । ମଧ୍ୟାହ୍ନରେ ଠାକୁରଙ୍କ ଖେଚୁଡି ଭୋଗ ହୋଇଥାଏ । ପୂର୍ବାହ୍ନରେ ରଥ ପ୍ରତିଷ୍ଠା ସହ ଅପରାହ୍ନରେ  କେଛଡା ନୀତି ସଂପନ୍ନ ହୁଏ । ପୂର୍ବ ନିର୍ଦ୍ଧାରିତ ନୀତି ମୁତାବକ ଠିକ୍‌ ଅପରାହ୍ନ ୩ଟାରେ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥାଏ । ପ୍ରଥମେ ବଳଭଦ୍ରଙ୍କ ପହଣ୍ଡି ହୋଇଥାଏ । ସୁନ୍ଦର ଫୁଲ ଟାହିଆରେ ସୁସଜ୍ଜିତ ବଡ ଠାକୁର ଭକ୍ତଙ୍କ ଗହଣରେ ଟହଲି ଟୁହଲି ରଥାରୂଢ ହୋଇଥାନ୍ତି । ଏହା ପରେ ମା’ ସୁଭଦ୍ରା ଓ ଶେଷରେ ଜଗତର ନାଥ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ରଥାରୂଢ ହୋଇଥାନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବେଳେ ଭକ୍ତମାନଙ୍କ ହରିବୋଲ ଓ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଯାଇଥାଏ ମନ୍ଦିର ପରିସର । ତିନିଠାକୁର ରଥାରୂଢ ହେବା ପରେ ଛେରା ପହଁରା ହୋଇଥାଏ ।

     

    ଏହାପରେ ରଥରେ ପାଶ୍ୱର୍ ଦେବତା ଓ ଅଶ୍ୱ ଖଞ୍ଜା ଯାଇଥାଏ । ତିନି ଠାକୁରଙ୍କୁ ନୂତନ ବସ୍ତ୍ର ଲାଗି କରାଯାଇ ସୁଗନ୍ଧିତ ଫୁଲ ଅଳଙ୍କାରରେ ସୁସଜ୍ଜିତ କରାଯାଇଥାଏ । ଶହ ଶହ ଭକ୍ତ ରଥାରୂଢ ତିନିଠାକୁରଙ୍କୁ ଦର୍ଶନ କରିଥାନ୍ତି । ଅପରାହ୍ନ ପ୍ରାୟ ପାଞ୍ଚଟା ବେଳେ ରଥଟଣା ଆରମ୍ଭ ହୋଇଥାଏ । ଭକ୍ତମାନେ ରଥକୁ ଟାଣି ନେଇ ମାଉସୀ ଘରେ ପହଞ୍ଚାଇ ଦେଇଥାନ୍ତି । ପରେ ତିନି ଠାକୁର ଗୁଣ୍ଡିଚା ମନ୍ଦିରକୁ ବିଜେ ହେଇଥାନ୍ତି । ଏହି ରଥଟଣା ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବା ସାଙ୍ଗକୁ ଭକ୍ତ, ଶ୍ରଦ୍ଧାଳୁ, ସନ୍ଥ, ସାଧୁ, ମନ୍ଦିର ପରିଚାଳନା କମିଟିର ସଦସ୍ୟ, ଆଇନ ଶୃଙ୍ଖଳା ରକ୍ଷା ଲାଗି ପୋଲିସ ଫୋର୍ସ, ଖୋର୍ଦ୍ଧା ଏସପି ଟାଉନ ଥାନାଧିକାରୀ ଉପସ୍ଥିତ ରହିଥାନ୍ତି । ଏବେ ଏହି ରଥଯାତ୍ରା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଭକ୍ତିଭାବ ସୃଷ୍ଟି କରିବା ସହ ଭାବଗତ ସଂପର୍କ ଯୋଡ଼ିବାରେ ବହୁ ସହାୟକ ହୋଇଥାଏ । ୧୯୮୧ ମସିହା ମେ ମାସ ୨୧ ତାରିଖରେ ଦୁର୍ଭାଗ୍ୟବଶତଃ ମଠ ମହନ୍ତ ଅଖିଳେଶ୍ୱର ପୂଜାପାଠ ସାରି ଦୀପ ଲଗାଇ ଫେରିବା ପରେ ହଠାତ୍‌ ଦୀପ ନିଆଁରେ ମଠ ପୋଡ଼ି ଯାଇଥିବା ବେଳେ ନିଆଁ ଠାକୁରଙ୍କୁ କିନ୍ତୁ ଛୁଇଁ ପାରିନଥିଲେ । ସଂପ୍ରତି ଜାଗୁଳାଇପାଟଣା ମନ୍ଦିରକୁ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କ ସମାଗମ ବୃଦ୍ଧି ପାଇବା ବିଶେଷ ଉଲ୍ଲେଖଯୋଗ୍ୟ । ପର୍ଯ୍ୟଟନ ଓ ସଂସ୍କୃତି ବିଭଗ ତରଫରୁ ଏଠାରେ ଏକ ଯାତ୍ରୀନିବାସ ନିର୍ମାଣ କରାଗଲେ ପର୍ଯ୍ୟଟକମାନେ ଉପକୃତ ହୁଅନ୍ତେ । ତେବେ ଏହି ପ୍ରାଚୀନ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ପ୍ରତି ଅଧିକ ଧ୍ୟାନ ଦେବା ଜରୁରି ମନେ ହୁଏ ।


ଏମ୍‌.ଆଇ.ଜି.ୱାନ ୪୨/୧
ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀ
ଭୁବନେଶ୍ୱର, ମୋ-୯୧୭୮୦୮୭୬୩