ପଣ୍ଡିତ ଭୁବନେଶ୍ୱର ମିଶ୍ର


ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କର ଜୀବନ ଥିଲା ସଂଗୀତମୟ । ସଂଗୀତ ବ୍ୟତୀତ ବୋଧହୁଏ ଜୀବନର ଅନ୍ୟ କୌଣସି ଦିଗକୁ ଏତେ ନିବିଡ଼ ଭାବେ ସେ ଚାହିଁନାହାନ୍ତି । ଏକଦା ସେ ପତ୍ରକାରଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ମୋର ଦୁଇଟି ଶତ୍ରୁ । ଗୋଟିଏ ବେସୁରା ଓ ଅନ୍ୟଟି ବେତାଳ । ଏଥିରେ ସ୍ପଷ୍ଟ ବୁଝିହୁଏ, ତାଙ୍କର ଜଗତ କେବଳ ସଂଗୀତ ହିଁ ଥିଲା । ସୌମ୍ୟକାନ୍ତ ଚେହେରା ସଙ୍ଗକୁ ମଧୁର କଥା ଓ ସ୍ନେହଭରା ଶିକ୍ଷା, ତାଙ୍କୁ ଯଥାର୍ଥରେ ପଣ୍ଡିତ ବା ଗୁରୁ ପଦବାଚ୍ୟ କରିଛି । ସେ ହେଉଛନ୍ତି ପ୍ରକୃତ ଗୁରୁ, ଯାହାଙ୍କ ପାଣ୍ଡିତ୍ୟ ଓ ବ୍ୟକ୍ତିତ୍ୱ ନିକଟରେ ଆପେ ଆପେ ମଥା ନତ ହୋଇଯାଏ । ମନ ଚାହେଁ ଯଥା ସମ୍ଭବ ସମ୍ମାନ ଦେବା ପାଇଁ । ଏହିପରି ଏକ ବିରାଟ ବ୍ୟକ୍ତିତ୍ୱ ପଣ୍ଡିତ ଭୁବନେଶ୍ୱର ମିଶ୍ର । ଓଡ଼ିଶାର ସଂଗୀତ ଜଗତ୍କୁ ତାଙ୍କ ଦାନ ଅତୁଳନୀୟ । ଓଡ଼ିଶୀ ହେଉ ବା ସୁଗମ ସଂଗୀତ ବା ଚଳଚ୍ଚିତ୍ର ସଂଗୀତ, ସବୁଥିରେ ତାଙ୍କର ମଧୁର ଅବଦାନ ଉପଭୋଗ୍ୟ । ଅଳ୍ପ କହୁଥିଲେ ଏବଂ ଅଧିକ ମଉନ ରହୁଥିଲେ ବୋଲି ବାପା ନାମ ଦେଇଥିଲେ ମୁନି । ତାଙ୍କର ପ୍ରକୃତି ସହ ନାମର ସୁନ୍ଦର ତାଳମେଳ ଥିଲା । ସେ ଥିଲେ ସ୍ୱରର ଯାଦୁକର । ଶ୍ରୀଜୟଦେବଙ୍କ ଅମର କୃତି ଗୀତାଗୋବିନ୍ଦର ଯେଉଁ ସ୍ୱରଗୁଡ଼ିକ କରିଯାଇଛନ୍ତି, ତାହା ବିଶ୍ୱ ପ୍ରସିଦ୍ଧ ହୋଇଛି ଓଡ଼ିଶୀ ନୃତ୍ୟ ମାଧ୍ୟମରେ । ସେହି ଗୀତଗୁଡ଼ିକ କେବଳ ଗାୟନରେ ମଧ୍ୟ ଶ୍ରୋତାଙ୍କ ହୃଦୟଗ୍ରାହୀ ହୋଇଛି । ଓଡ଼ିଶୀ ନୃତ୍ୟକୁ ତାଙ୍କର ଅବଦାନ ଚିରସ୍ମରଣୀୟ । ସଂଗୀତ, ନୃତ୍ୟର ମୂଳାଧାର । ଆଉ ସେହି ମୂଳାଧାରର କର୍ଣ୍ଣଧାର ପଣ୍ଡିତ ଭୁବନେଶ୍ୱର । ହିନ୍ଦୁସ୍ତାନୀ, କର୍ଣ୍ଣାଟକୀ ଏବଂ ଓଡ଼ିଶୀ ଶୈଳୀରେ ସେ ଥିଲେ ଦକ୍ଷ । ଯାହାସବୁ ସଂଯୋଜନା କରିଯାଇଛନ୍ତି, ଅନନ୍ୟ ଅସାଧାରଣ । ତାଙ୍କର ବେହେଲା ବାଦନ ବିଶ୍ୱ ପ୍ରସିଦ୍ଧ । ତାଙ୍କ ହାତରେ ବେହେଲା କେବଳ ବାଜୁ ନଥିଲା ସତେ ଯେପରି କହୁଥିଲା । ଗାୟକୀ ଅଙ୍ଗର ସ୍ୱତନ୍ତ୍ରତା, ରାଗର ଶୁଦ୍ଧତା ଓ ବାଦନ ଶୈଳୀର ମଧୁରତା, ତାଙ୍କ ବାଦନକୁ କରିଥିଲା ରସମୟ । ବ୍ୟକ୍ତିଗତ ଜୀବନର ସମସ୍ତ ଦୁଃଖ ସେ ଭୁଲିଯାଉଥିଲେ ସଂଗୀତ ମଧ୍ୟରେ । ତାଙ୍କର ନିଷ୍ଠାପରତା, ଅମାୟିକ ଭାବ, ସାଧୁତା, କରୁଥିବା କାର୍ଯ୍ୟ ପ୍ରତି ଆନୁଗତ୍ୟ ଏବଂ ସର୍ବୋପରି ତାଙ୍କର ସର୍ଜନା, ସଂଗୀତ ଜଗତରେ ତାଙ୍କୁ ଚିରକାଳ ପାଇଁ ଅମର କରିରଖିବ । ୧୯୨୭ ମସିହାରେ ଜନ୍ମ ହୋଇଥିଲେ ସଂଗୀତ ଦୁନିଆର ଏହି ମହାନ ସାଧକ ।
 ଅନୁପମା ଭୂୟାଁ,କଟକ