ଆୟୁଷ୍ମାନ ଯୋଜନାରେ ଦୁର୍ନୀତି


କେନ୍ଦ୍ର ସରକାରଙ୍କ ଏକ ଜନକଲ୍ୟାଣକାରୀ ସ୍ୱାସ୍ଥ୍ୟ ଯୋଜନା ଭାବରେ ଆୟୁଷ୍ମାନ ଭାରତ ଯୋଜନାକୁ ଅନେକ ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି । ଗତ ସପ୍ତାହରେ ଆମ ରାଜ୍ୟରେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇଛି । ତେବେ ଅନ୍ୟ ରାଜ୍ୟ ଗୁଡ଼ିକରେ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ବିପୁଳ ପରିମାଣର ଦୁର୍ନୀତି ହୋଇଥିବା ଲୋକଲୋଚନକୁ ଆସିଲାଣି । ଦିଲ୍ଲୀ, ପଶ୍ଚିମବଙ୍ଗ ଏବଂ ଝାରଖଣ୍ଡରେ ଏହି ଯୋଜନା ଅଧିନରେ ବଡ଼ଧରଣର ଦୁର୍ନୀତି କରାଯାଇ ବିପୁଳ ପରିମାଣର ଅର୍ଥ ଆତ୍ମସାତ୍ କରାଯାଇଛି । ଏହା ଜଣାପଡ଼ିବା ପରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ବା ଇଡି ପକ୍ଷରୁ ଏହି ୩ଟି ରାଜ୍ୟର ୨୧ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଏଥିରେ ବଡ଼ ବଡ଼ ସରକାରୀ ଅଧିକାରୀ, ବ୍ୟକ୍ତିବିଶେଷ ଏବଂ ଔଷଧ ଫାର୍ମ୍ ଉପରେ ଚଢ଼ାଉ ହୋଇଛି । 
ଆୟୁଷ୍ମାନ ଭାରତ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ସରକାର ଦେବାର ବ୍ୟବସ୍ଥା ରହିଛି । ଏ ପର୍ଯ୍ୟନ୍ତ ଦେଶରେ ୧୨ କୋଟି ଲୋକଙ୍କୁ ଏହି ଯୋଜନାର ହିତାଧିକାରୀ କରାଯାଇଛି । ୭୦ ବର୍ଷରୁ ଅଧିକ ବୟସର ଲୋକେ ମଧ୍ୟ ଏହି ଯୋଜନାର ହିତାଧିକାରୀ ହୋଇ ପାରିବେ । ଯହାକୁ ବୟୋବନ୍ଦନା ବୋଲି କୁହାଯାଉଛି । ହେଲେ ଏହି ଯୋଜନାରେ ହିତାଧିକାରୀମାନଙ୍କୁ ଚିକିତ୍ସା କରୁଥିବା ଚିକିତ୍ସାଳୟରୁ ଦୁର୍ନୀତି ଆରମ୍ଭ ହୋଇଛି । ଆଦୌ ଚିକିତ୍ସାଳୟକୁ ଯାଇନଥିବା ବ୍ୟକ୍ତିଙ୍କ ନାଁରେ ଚିକିତ୍ସା କରାଯାଇଥିବାର ମିଥ୍ୟା ବିଲ୍ ଭାଉଚର ପ୍ରସ୍ତୁତ କରି ଅର୍ଥ ଆତ୍ମସାତ୍ କରାଯାଇଛି । ଗତ ୨୦୨୩ ମସିହାରେ ସଂସଦରେ ସିଏଜି ରିପୋର୍ଟ୍ ଉପସ୍ଥାପନ ସମୟରେ କେତୋଟି ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାରେ ବ୍ୟାପକ ଭାବରେ ଦୁର୍ନୀତି ହୋଇଥିବା ବିଷୟ ଉଲ୍ଲେଖ କରାଯାଇଥିଲା । ଏହାପରେ ଏହି ଘଟଣା ଲୋକଲୋଚନକୁ  ଆସିଲା । ଏହି ୩ଟି ରାଜ୍ୟର ପ୍ରାୟ ୨୧୨ଟି ଡ଼ାକ୍ତରଖାନାରେ ଏ ପ୍ରକାରର ଦୁର୍ନୀତି ହୋଇଥିବା ଜଣାପଡ଼ିଛି । ଏହି ଦୁର୍ନୀତିରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଉଛନ୍ତି ସରକାରୀ ଅଧିକାରୀ । ଆଉ ବିଭିନ୍ନ ଫାମର୍୍ ଏବଂ ହସ୍ପିଟାଲ୍ର କର୍ତ୍ତୃପକ୍ଷ ଏହି ଦୁର୍ନୀତିରେ ସହଯୋଗ କରିଛନ୍ତି । 
କୌଣସି ଏକ ସରକାରୀ ଯୋଜନାର କାର୍ଯ୍ୟକାରୀତା କ୍ଷେତ୍ରରେ ହିତାଧିକାରୀ ଚୟନ ଏବଂ ହିତାଧିକାରୀ ନ୍ୟାୟପୂର୍ଣ୍ଣ ଓ ଉଚିତ୍ ମାର୍ଗରେ ଯୋଜନାରେ ଲାଭ ପାଉଛନ୍ତି କି ନାହିଁ ତାହା ଦେଖିବା ପାଇଁ ଏକ ସରକାରୀ କଳ ରହିଛି । ଏ କ୍ଷେତ୍ରରେ ଯଦି କୌଣସି ପ୍ରକାରର ଦୁର୍ନୀତିର ସୂଚନା ମିଳୁଛି ତେବେ ନିଶ୍ଚିତ ରୂପେ ହିତାଧିକାରୀ ଚୟନ ଏବଂ ଯୋଗ୍ୟ ହିତାଧିକାରୀ କି ନୁହେଁ ତାହା ନିର୍ଦ୍ଧାରଣ କରିବା ଯୋଜନା ସମ୍ପର୍କିତ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କର କାମ । ପ୍ରଥମ କଥା ହେଲା ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ଅର୍ନ୍ତଭୁକ୍ତ କରି ଯୋଜନାର ଲାଭ ନେବା । ଦ୍ୱିତୀୟ କଥାଟି ହେଲା ହିତାଧିକାରୀ ପାଉଥିବା ଲାଭକୁ ଆଉ କେହି ଜଣେ ହଡପ୍ କରି ନେବା । ବିଭିନ୍ନ ଯୋଜନାରେ ହେଉଥିବା ଦୁର୍ନୀତି ସାଧାରଣତଃ ଏହି ଦୁଇ ପ୍ରକାରର । ଆଗରୁ ଓଡ଼ିଶାରେ ଅଯୋଗ୍ୟ ହିତାଧିକାରୀମାନେ ରାସନ୍ କାର୍ଡ୍ ନେଇଥିଲେ । ପରେ ଧରା ପଡ଼ିଯିବାରୁ ସେମାନଙ୍କ ମଧ୍ୟରୁ ଅନେକ ନେଇଥିବା ରାସନ୍ର ମୂଲ୍ୟକୁ ଟଙ୍କା ଆକାରରେ ସରକାରଙ୍କୁ ଫେରାଇ ଦେଇଛନ୍ତି । ଦ୍ୱିତୀୟ ଦୁର୍ନୀତିଟି ହେଉଛି ରାସନ୍ କାର୍ଡ୍ଧାରୀ ଓଡ଼ିଶାରେ ନାହାନ୍ତି । ହେଲେ ତାଙ୍କ ବାବଦରେ ଆସିଥିବା ରାସନ୍କୁ ଆଉ କେହି ଭୂତ ବ୍ୟକ୍ତି ନିୟମିତ ଭାବରେ ଉଠାଇ ଚାଲିଛନ୍ତି । ଏ ପର୍ଯ୍ୟନ୍ତ ଏ ପ୍ରକାରର ଭୂତ ବ୍ୟକ୍ତିମାନେ ଧରା ପଡ଼ିନାହାନ୍ତି । ଭବିଷ୍ୟତରେ ଏଭଳି ଭୂତ ବ୍ୟକ୍ତିଙ୍କୁ ଓଡ଼ିଶା ସରକାର ଧରିବେ ବୋଲି ଆଶା କରାଯାଏ ।  ତେବେ ଆୟୁଷ୍ମାନ୍ ଭାରତ ଯୋଜନାର ଅର୍ଥକୁ ଆତ୍ମସାତ୍ କରିଥିବା ତିନିଟି ରାଜ୍ୟର ଅଧିକାରୀମାନେ କିଭଳି ପରିସ୍ଥିତିରେ ଆତ୍ମସାତ୍ କରିଛନ୍ତି ଏହା ଉପରେ ତଦନ୍ତ ହେବାର ଆବଶ୍ୟକତା ରହିଛି । କେବଳ ସେତିକି ନୁହେଁ, ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ଧରା ହେବା ଏବଂ ଏହି ଅପରାଧ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ହେବା ମଧ୍ୟ ଉଚିତ୍ ।