ଇତିହାସ ରଚିଲା ନୂଆପଡ଼ା

  • ୮୩.୪୫% ଭୋଟ୍‌ ଅନିୟମିତତା ଅଭିଯୋଗ ମିଥ୍ୟା
  • କଡ଼ା ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗରୁମ୍‌

ଭୁବନେଶ୍ୱର : ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ଉପନିର୍ବାଚନରେ ମତଦାନ ୧୧ ନଭେମ୍ବର ୨୦୨୫ ତାରିଖ (ମଙ୍ଗଳବାର) ରେ ମୋଟାମୋଟି ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଛି । ଏଥିରେ ଐତିହାସିକ ୮୩.୪୫% ମତଦାନ ହୋଇଛି, ଯାହା ପୂର୍ବ ନିର୍ବାଚନ ତୁଳନାରେ ପାଖାପାଖି ୧୦% ଅଧିକ । ପୁରୁଷଙ୍କ ତୁଳନାରେ ଅଧିକ ମହିଳା ମତଦାନ କରିଛନ୍ତି । ଦେଶର ଅନ୍ୟ ଆଠଟି ବିଧାନସଭା ମଣ୍ଡଳୀରେ ସମାନ ସମୟରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନୂଆପଡ଼ାରେ ଅନ୍ୟ ଉପନିର୍ବାଚନ ତୁଳନାରେ ସର୍ବାଧିକ ମତଦାନ ରେକର୍ଡ କରାଯାଇଛି ।

     ସୁନାବେଡ଼ା ଅଞ୍ଚଳରେ ଥିବା ସମସ୍ତ ୮ଟି ସମ୍ବେଦନଶୀଳ ଓ ବାମପନ୍ଥୀ ଉଗ୍ରବାଦ  ପ୍ରଭାବିତ ପୋଲିଂ କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ସମ୍ପନ୍ନ ହୋଇଛି । ସେହିପରି ଜୟନ୍ତୀ ଛତ୍ରିଆଙ୍କ ଭୋଟ ଅନ୍ୟ ଜଣେ କେହି ଦେଇଦେବାର ଅଭିଯୋଗ ଆସିଥିଲା । ତାକୁ ଅତ୍ୟନ୍ତ ଗୁରୁତର ସହିତ ନେଇ ସେହି ଅଭିଯୋଗ ସମ୍ପର୍କରେ କ୍ଷେତ୍ର ଅଧିକାରୀ ଓ ପୁଲିଙ୍ଗ ଅଫିସରମାନେ ତତକ୍ଷଣାତ ଯାଞ୍ଚ କରିଥିଲେ । ଅଭିଯୋଗଟି ଭିତ୍ତିହୀନ ଓ ମିଥ୍ୟା ବୋଲି ଯାଞ୍ଚ ସମୟରେ ଜଣାପଡିଲା ।

    ସୂଚନାଯୋଗ୍ୟଯେ, ଜୟନ୍ତୀ ଛତ୍ରିଆ ନିଜେ ନିଜର ଭୋଟ ଦେଇଥିଲେ । ଏହି ସ୍ପଷ୍ଟିକରଣ, ବିଭ୍ରାନ୍ତି ଦୂରକରିବା ଓ ମତଦାନ ପ୍ରକ୍ରିୟାର ସ୍ୱଚ୍ଛତାର ପରିପ୍ରକାଶ ଉଦ୍ଦେଶ୍ୟରେ ଦିଆଯାଉଛି । ଭୋଟ୍‌ର ଗୁପ୍ତତାକୁ ସଂପୂର୍ଣ୍ଣ ଭାବରେ ରକ୍ଷା କରିବା, ସ୍ୱାଧୀନ/ମୁକ୍ତ ଏବଂ ନ୍ୟାୟସଂଗତ ନିର୍ବାଚନର ମୂଳ ଆଧାର । ଦୁଇଜଣ ପ୍ରିଜାଇଡିଂ ଅଫିସର ଏହାର ଉଲ୍ଲଂଘନ କରିଥିବାରୁ ସେମାନଙ୍କୁ ତତକ୍ଷଣାତ ନିଲମ୍ବନ କରାଯାଇଛି । ଇସିଆଇଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ଧନଞ୍ଜୟ ମଲ୍ଲିକ ଓ ସନ୍ଦୀପ ସ୍ୱାଇଁଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ମତଦାନ ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପୋଲିଂ ଷ୍ଟେସନ ୮୦ ଓ ୨୪୬ରେ ସମ୍ପୂର୍ଣ୍ଣ ଇଭିଏମ ସେଟ ଓ ପୋଲିଂ ଷ୍ଟେସନ ୨୯୮ରେ କେବଳ ଭିଭିପ୍ୟାଟ ପରିବର୍ତ୍ତନ କରାଯାଇଥିଲା । ବୁଥ ନଂ–୧୧ରେ ରଙ୍ଗୀନ ଭୋଟର ତାଲିକା ବ୍ୟବହାର ହେଉଥିବା ଅଭିଯୋଗ ଆସିଥିଲା । ସେହି ସ୍ଥାନରେ ନିଯୋଜିତ ଅଧିକାରୀ ତତକ୍ଷଣାତ ଯାଞ୍ଚ କରି, ପୋଲିଂ କେନ୍ଦ୍ର ବାହାରେ ଦୁଇଜଣ ବ୍ୟକ୍ତିଙ୍କୁ ଏହିପରି ତାଲିକା ସହ ପାଇଥିଲେ । ସେହି ତାଲିକାଗୁଡ଼ିକୁ ତୁରନ୍ତ ଜବତ କରାଯାଇ ଆଗକୁ ଯେପରି ଏଭଳି ରଙ୍ଗୀନ ଭୋଟର ତାଲିକା ବ୍ୟବହାର କରାନଯିବ  ତାହା ସୁନିଶ୍ଚିତ କରାଯାଇଥିଲା ।


      ପୋଲିଂ ଷ୍ଟେସନ ନଂ–୨୫୦ରେ ଭୋଟିଂ ତଥ୍ୟ ମେଳ ନଖାଇବାର ଅଭିଯୋଗ ଆସିଥିଲା । ଯାଞ୍ଚ ପରେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଜଣାପଡିଥିଲା । ଏଠାରେ ସ୍ପଷ୍ଟ କରାଯାଉଛି ସେହି ପୋଲିଂ ଷ୍ଟେସନର ଇଭିଏମର ତଥ୍ୟ ଓ ଫର୍ମ ୧୭ ଇର ତଥ୍ୟ ପୂରାପୂରି ମେଳ ଖାଉଛି । ମତଦାନ ଶେଷ ହେବାପରେ ସମସ୍ତ ଇଭିଏମ ଏବଂ ଭିଭିପ୍ୟାଟକୁ ନିର୍ଦ୍ଧିଷ୍ଟ ଷ୍ଟ୍ରଙ୍ଗରୁମରେ ତିନିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ରଖାଯାଇଛି । ଷ୍ଟ୍ରଙ୍ଗରୁମଟି ୨୪ ଘଣ୍ଟା ସିସିଟିଭି ନିରୀକ୍ଷଣରେ ରହିଛି । ମେସିନଗୁଡିକର ମୁଦ ଓ ସଂରକ୍ଷଣ ପ୍ରକ୍ରିୟା ସମସ୍ତ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଭିଡିଓଗ୍ରାଫ ସହ ସମ୍ପନ୍ନ ହୋଇଛି । ଭୋଟ ଗଣତି ପାଇଁ ମତଗଣନା ଟେବୁଲ, ପର୍ଯ୍ୟବେକ୍ଷକ ନିଯୁକ୍ତି, ସିସିଟିଭି ନିରୀକ୍ଷଣର ବ୍ୟବସ୍ଥା ଓ ଷ୍ଟ୍ରଙ୍ଗରୁମର ପର୍ଯ୍ୟବେକ୍ଷଣ ହୋଇଥିବାବେଳେ ଗଣମାଧ୍ୟମ ଓ ଜନସାଧାରଣଙ୍କୁ ତୁରନ୍ତ ନିର୍ବାଚନୀ ତଥ୍ୟ ପ୍ରଦାନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।