ଇ-ପ୍ରଶାସନର ଜ୍ୱଳନ୍ତ ଉଦାହରଣ କେନ୍ଦୁଝରର ଶୁଆକାଟି ପଞ୍ଚାୟତ :ପାଇବ ଜାତୀୟ ଇ-ପ୍ରଶାସନ ପୁରସ୍କାର

ଭୁବନେଶ୍ୱର:  ପ୍ରଶାସନିକ କ୍ଷେତ୍ରରେ ଡିଜିଟାଲ ପ୍ରଯୁକ୍ତିର ସଦୁପଯୋଗ କରି ନାଗରିକଙ୍କୁ ସୁଶାସନ ଯୋଗାଇ ଦେଇଥିବା କେନ୍ଦୁଝର ଜିଲ୍ଲାର ଶୁଆକାଟି ପଞ୍ଚାୟତକୁ ଚଳିତ ବର୍ଷ ଜାତୀୟ ଇ-ପ୍ରଶାସନ ପୁରସ୍କାର-୨୦୨୫ ପ୍ରଦାନ କରାଯିବ । ଆସନ୍ତା ୨୨-୨୩ ତାରିଖରେ ଆନ୍ଧ୍ରପ୍ରଦେଶର ବିଶାଖା ପାଟଣାରେ ଅନୁଷ୍ଠିତ ହେବାକୁ ଥିବା ୨୮ତମ ଜାତୀୟ ଇ-ପ୍ରଶାସନ ସମ୍ମିଳନୀରେ ଶୁଆକାଟି ପଞ୍ଚାୟତକୁ ସ୍ୱତନ୍ତ୍ର ବିଚାରକ ବର୍ଗରେ ଏହି ପୁରସ୍କାର ଦିଆଯିବ । ପଞ୍ଚାୟତର ସରପଞ୍ଚ କୌତୁକ ନାଏକ ସମ୍ମିଳନୀରେ ପ୍ରମାଣପତ୍ର, ଟ୍ରଫି ଏବଂ ପୁରସ୍କାର ରାଶି ଗ୍ରହଣ କରିବେ ।  ଶୁଆକାଟି ବ୍ୟତୀତ ମହାରାଷ୍ଟ୍ର, ଗୁଜରାଟ ଏବଂ ତ୍ରିପୁରାର ଗୋଟିଏ ଲେଖାଏଁ ପଞ୍ଚାୟତକୁ ମଧ୍ୟ ଜାତୀୟ ଇ-ପ୍ରଶାସନ ପୁରସ୍କାର-୨୦୨୫ ପ୍ରଦାନ କରାଯିବ । ଡିଜିଟାଲ ନବସୃଜନ କିପରି ତୃଣମୂଳ ସ୍ତରରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ପ୍ରଭାବଶାଳୀ ସେବା ବିତରଣ ସୁଦୃଢ଼ କରିପାରିବ ତାହା ଏସବୁ ଗ୍ରାମପଞ୍ଚାୟତ ପ୍ରମାଣିତ କରିଛନ୍ତି । ସେବା ବିତରଣକୁ ସୁଗମ କରିବା ଏବଂ ଡିଜିଟାଲ୍ ପ୍ରଶାସନରେ ନବସୃଜନକୁ ପ୍ରୋସôାହିତ କରିବା ପାଇଁ ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ ସହିତ ମିଳିତ ଭାବରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପ୍ରଥମ ଥର ପାଇଁ ଜାତୀୟ ଇ-ପ୍ରଶାସନ ପୁରସ୍କାର ୨୦୨୫ ଅନ୍ତର୍ଗତ ଏକ ସ୍ୱତନ୍ତ୍ର ପୁରସ୍କାର ଆରମ୍ଭ କରିଛନ୍ତି । ଶୁଆକାଟି ପଞ୍ଚାୟତ କର୍ତ୍ତୃପକ୍ଷ ଆଧୁନିକ ପ୍ରଯୁକ୍ତି ବ୍ୟବହାର କରି ନିରନ୍ତର ପଞ୍ଚାୟତବାସୀଙ୍କ କଲ୍ୟାଣ ପାଇଁ ପ୍ରୟାସ କରି ଆସୁଛନ୍ତି । ଏହି ପଞ୍ଚାୟତ ଡିଜିଟାଲ ସେବା ବିତରଣରେ ବିପ୍ଳବ ଆଣିଛି । ଏହା କେବଳ ବୈଷୟିକ ନବସୃଜନ ନୁହେଁ ବରଂ, ଏକ ସଶକ୍ତ ଏବଂ ଆତ୍ମନିର୍ଭର ପଞ୍ଚାୟତର ସ୍ୱପ୍ନ ସାକାର କରିବାର ପ୍ରେରଣାଦାୟକ ଯାତ୍ରାରେ ଅଗ୍ରସର ହେଉଛି । ଏଠାରେ ସବୁ ନାଗରିକକୁ ଦ୍ରୁତ, ସ୍ୱଚ୍ଛ ଏବଂ ସୁଗମ ସେବା ମିଳିପାରୁଛି । ଶୁଆକାଟି ପଞ୍ଚାୟତରେ ଅନଲାଇନ ସେବା ମାଧ୍ୟମରେ ଜନ୍ମ, ମୃତୁ୍ୟ, ବାସିନ୍ଦା, ବିବାହ, ଆୟ ପ୍ରମାଣପତ୍ର, ଆଧାର କାର୍ଡ ଏବଂ ଆୟୁଷ୍ମାନ କାର୍ଡ ଗୋଟିଏ କ୍ଲିକରେ ସହଜରେ ମିଳିପାରୁଛି  । ନରେଗା ପୋର୍ଟାଲରେ ଶ୍ରମିକମାନଙ୍କୁ ଜବ କାର୍ଡ ଯୋଗାଇ ଦେବାର ସୁବିଧା ଦିଆଯାଇଛି । ଇ-ଗ୍ରାମ ସ୍ୱରାଜର ନିୟମିତ ଅନୁଧ୍ୟାନ କରାଯିବା ସହିତ ଗ୍ରାମୀଣ ଆବାସ ପାଇଁ ଡିଜିଟାଲ ସର୍ଭେ କରାଯାଉଛି  । ଫଳରେ ପଞ୍ଚାୟତର ପ୍ରଶାସନିକ ପରିଚାଳନା ସରଳ, ସୂଚାରୁ, ସ୍ୱଚ୍ଛ ଏବଂ ପ୍ରଭାବୀ ହୋଇପାରିଛି ।  ଫେସବୁକରେ ପଞ୍ଚାୟତର ସୂଚନା ନିୟମିତ ରୂପେ ସେୟାର କରାଯାଉଛି । ଏହା ମାଧ୍ୟମରେ ଜନସାଧାରଣଙ୍କୁ ନୂଆ ଯୋଜନା, ସେବା ଏବଂ ପଞ୍ଚାୟତର ଉପଲବ୍ଧି ସମ୍ପର୍କରେ ଅବଗତ କରାଯାଉଛି । ଶୁଆକାଟି ପଞ୍ଚାୟତରେ ଜଳ ଯୋଗାଣ ଏବଂ ସ୍ୱଚ୍ଛତାକୁ ସର୍ବୋଚ୍ଚÿ ପ୍ରାଥମିକତା ଦିଆଯାଇଛି । ଏହାସହିତ ଏକ ପ୍ରଭାବଶାଳୀ ଅଭିଯୋଗ ସମାଧାନ ବ୍ୟବସ୍ଥା ବିକଶିତ କରାଯାଇଛି ।  ଏ ସମ୍ପର୍କରେ ପଞ୍ଚାୟତବାସୀ କୁହନ୍ତି, ମୋବାଇଲ ଜରିଆରେ ସେମାନଙ୍କୁ ସମସ୍ତ ସୂଚନା ମିଳିପାରୁଛି । ଏହା ସେମାନଙ୍କର ସମୟ ଏବଂ ଅର୍ଥ ସଞ୍ଚୟ କରୁଛି  । ଡିଜିଟାଲ ସେବା ମାଧ୍ୟମରେ ଗାଁ ଲୋକଙ୍କୁ ଘରେ ବସି ସବୁ ସୁବିଧା ମିଳିଯାଉଛି ।