ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା କଲେ ନୋଡ଼ାଲ ସଚିବ

ପୁରୀ: ପୁରୀ ଜିଲ୍ଳା ଦାୟିତ୍ତ୍ୱରେ ଥିବା ନୋଡ଼ାଲ ସଚିବ ତଥା ବିଜ୍ଞାନ ଓ ବୈଷୟିକ ବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁ ମୁଗମ ସ୍ଥାନୀୟ ସର୍କିଟ ହାଉସ ଠାରେ ପୁରୀ ଜିଲ୍ଳାର ସ୍ଥିତି ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଛନ୍ତି । ସରକାର ଲୋକମାନଙ୍କ ମୌଳିକ ଆବଶ୍ୟକତା ପୂରଣ ସହ ସେମାନଙ୍କ ବିକାଶ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି । ଯୋଗ୍ୟତା ଅନୁସାରେ ହିତାଧିକାରୀମାନଙ୍କୁ ଏହି ଯୋଜନାରେ ସାମିଲ କରି ତାର ସୁଫଳ ପାଇବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ପ୍ରକାଶ କରିଛନ୍ତି ନୋଡ଼ଲ ସଚିବ । ଯେକୌଣସି ଯୋଜନା ଓ ପ୍ରକଳ୍ପର ପ୍ରକୃତ ଲକ୍ଷ୍ୟ ସଂପର୍କରେ ଲୋକମାନଙ୍କୁ ସଚେତନ କରାଇବା ସହ ଯୋଗ୍ୟ ହିତାଧିକାରୀମାନଙ୍କୁ ଯୋଜନାରେ ସାମିଲ କରି ସଫଳତା ହାସଲ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ ଜିଲ୍ଳାପାଳ ଦିବ୍ୟଜ୍ୟୋତି ପରିଡ଼ା ଜିଲ୍ଳାର କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଛଭାରତ ମିଶନ, ସ୍ୱାସ୍ଥ୍ୟ, ଗ୍ରାମ୍ୟଜଳ ଯୋଗାଣ, ପଞ୍ଚଦଶ ଅର୍ଥ କମିଶନର ବିଭିନ୍ନ କାର୍ଯ୍ୟ, ସହରାଞ୍ଚଳରେ ୱାଟକୋ ଜଳଯୋଗାଣ, ପ୍ରାଣୀ ସମ୍ପଦ, ବିଦୁ୍ୟତ ପର୍ଯ୍ୟଟନ, କୃଷି, ଉଦ୍ୟନକୃଷି, ମୃତ୍ତିକା ସଂରକ୍ଷଣ, ଜଳସମ୍ପଦ ଇତ୍ୟାଦି ବିଭାଗ ସଂପର୍କରେ ନୋଡ଼ାଲ ସଚିବ ସମୀକ୍ଷା କରିବା ସହ କାର୍ଯ୍ୟରେ  ଉନ୍ନତି ପାଇଁ ବିବିଧ ପରାମର୍ଶ ଦେଇଥିଲେ । ବୈଠକ ପରେ କ୍ଷେତ୍ର ପରିଦର୍ଶନ କରି ଅରୁ ମୁଗମ୍ ବିଭାଗୀୟ ଅଧିକାରୀମାନଙ୍କୁ ବିଭିନ୍ନ ପରାମର୍ଶ ଦେବା ସହ ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।