ଉର୍ଦ୍ଦୁ ଏକାଡେମୀ  ପୁରସ୍କାର ବିତରଣ ଉତ୍ସବ

  ଭୁବନେଶ୍ୱର : ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ଆଜି ୨୦୨୩ ବର୍ଷ ପାଇଁ ତିନିଟି ବର୍ଗରେ ତିନିଜଣ ଲେଖକଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ପୁରସ୍କାର ବିତରଣ ଉସôବରେ ଉର୍ଦ୍ଦୁ ସାହିତ୍ୟର ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଭଦ୍ରକ ଜିଲ୍ଲାର ଜନାବ୍ ସେକ୍ ଅନୱର ହୁସେନଙ୍କୁ "ଅମଜଦ ନଜମୀ ପୁରସ୍କାର ୨୦୨୩’ ପ୍ରଦାନ କରାଯାଇଛି । ଏଥିସହ ୩ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି । କଟକ ଜିଲ୍ଲାର ଜନାବ୍ ଅବଦୁଲ ହକ୍ ବେତାବ୍ ଙ୍କୁ "ଡ଼ଃ କରାମତ୍ ଅଲ୍ଲୀ କରାମତ୍ ପୁରସ୍କାର ୨୦୨୩’ ପ୍ରଦାନ କରାଯାଇଛି । ଏଥିସହ ୨ ଲକ୍ଷ ଟଙ୍କାର ଅର୍ଥରାଶି, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି । କଟକ ଜିଲ୍ଲାର ଜନାବ୍ ସମିଉଲ୍ ହକ୍ ଶାକିରଙ୍କୁ "ଶ୍ରୀଯୁକ୍ତ ରଶ୍ମିକାନ୍ତ ରାହି ପୁରସ୍କାର ୨୦୨୩’ ପ୍ରଦାନ କରାଯାଇଛି । ଏଥିସହ ୧ ଲକ୍ଷ ଟଙ୍କାର ଅର୍ଥରାଶି, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି ।
ଆଜିର କାର୍ଯ୍ୟକ୍ରମରେ ବାଚସ୍ପତି  ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପୁରସ୍କାର-୨୦୨୩ ପ୍ରାପ୍ତ ସମସ୍ତ ଲେଖକମାନଙ୍କୁ ସେ ଶୁଭେଚ୍ଛା ଜଣାଇଥିଲେ । ଏଥିସହ ସେ କହିଥିଲେ ଯେ, ଉର୍ଦ୍ଦୁ ଭାଷା ଏକ ମଧୁର ଭାଷା । ବହୁ ଲେଖକ ଓ କବିମାନେ ନିଜର ସାହିତ୍ୟ ସର୍ଜନା ମାଧ୍ୟମରେ ଉର୍ଦ୍ଦୁ ଭାଷାକୁ ପରିପୁଷ୍ଟ କରିଛନ୍ତି । ପୁରସ୍କାର ପ୍ରାପ୍ତ ସମସ୍ତ ସାହିତ୍ୟିକମାନେ ଆଗାମୀ ଭବିଷ୍ୟତର ଉର୍ଦ୍ଦୁ ଲେଖକମାନଙ୍କ ପାଇଁ ପ୍ରେରଣାର ଉସô ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ ମତପ୍ରକାଶ କରିଥିଲେ ।  ବିଧାୟକ  ବାବୁ ସିଂ ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଉର୍ଦ୍ଦୁ ସାହିତ୍ୟର ବିଶିଷ୍ଟ ସାହିତ୍ୟିକ ଏବଂ ଅନୁବାଦ ସାହିତ୍ୟ ଉପରେ ଆଲୋକପାତ କରିଥିଲେ ।
ଏହା ସହିତ ଶାମ୍-ଏ-ଗଜଲ୍ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସଭାପତି ଜନାବ୍ ଖାଲିଦ୍ ରହିମ୍, ଉପସଭାପତି ଜନାବ୍ ନଫିସ୍ ମଞ୍ଜର ହସନ୍, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସଚିବ ସୁଚିସ୍ମିତା ମନ୍ତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।