ଏଡିଆର୍ ରିପୋର୍ଟ : ୨୩-୨୪ରେ ବିଜେପିକୁ ମିଳିଛି ୪୩୪ଠ କୋଟି

 ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷରେ ଜାତୀୟ ଦଳ ମଧ୍ୟରେ ସବୁଠୁ ଅଧିକ ଆୟ କରିଛି ଭାରତୀୟ ଜନତା ପାର୍ଟି (ବିଜେପି) । ନିର୍ବାଚନ ଅଧିକାର ସଂସ୍ଥା ଏଡିଆର୍ ବା ଗଣତାନ୍ତ୍ରିକ ସଂସ୍କାର ସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିଜେପି ୨୦୨୩-୨୪ ଆର୍ଥିକ ବର୍ଷରେ ବିଭିନ୍ନ କ୍ଷେତ୍ରରୁ ୪୩୪୦.୪୭ କୋଟି ଟଙ୍କା ଆୟ କରିଛି । ଏଡିଆର୍ ପ୍ରକାଶିତ ତାଲିକାରେ କ୍ରମାନ୍ୱୟରେ ଥିବା ୬ଟି ଦଳର  ଯେତିକି ଆୟ ତା’ର ୭୪.୫୭ ପ୍ରତିଶତ ଆୟ କେବଳ ବିଜେପି ପାଖରେ ରହିଛି । ତେବେ ୨୦୨୩-୨୪ରେ ଦଳ ଆୟ କରିଥିବା ୪୩୪୦.୪୭ କୋଟି ଟଙ୍କା ମଧ୍ୟରୁ ୫୦.୫୯ ପ୍ରତିଶତ ଅର୍ଥାତ ୨୨୧୧.୬୯ କୋଟି ଟଙ୍କା ଖର୍ଚ୍ଚ କରିଥିବା ବିଜେପି ଘୋଷଣା କରିଛି । ସେହିପରି ସେହି ଆର୍ଥିକ ବର୍ଷରେ କଂଗ୍ରେସର ଆୟ ୧୨୨୫.୧୨ କୋଟି ଟଙ୍କା ଥିବା ବେଳେ ସେଥିରୁ ୮୩.୬୯ ପ୍ରତିଶତ ଅର୍ଥାତ ୧୦୨୫.୨୫ କୋଟି ଟଙ୍କା କଂଗ୍ରେସ ଖର୍ଚ୍ଚ କରିଥିବା ଘୋଷଣା କରିଛି ।  କେବଳ ଇଲେକ୍ଟୋରାଲ୍ ବଣ୍ଡ ଜରିଆରେ ଏହି ଜାତୀୟ ଦଳ ଗୁଡ଼ିକ ଅଧିକ ପରିମାଣର ଅର୍ଥରାଶି ପାଇପାରୁଛନ୍ତି ବୋଲି ଏଡିଆର୍ ପକ୍ଷରୁ କୁହାଯାଇଛି ।  ଏହିକ୍ରମରେ ବିଜେପି ଇଲେକ୍ଟୋରାଲ୍ ବଣ୍ଡ ଜରିଆରେ ୧୬୮୫.୬୩ କୋଟି ଟଙ୍କା ପାଇଥିବା ବେଳେ କଂଗ୍ରେସ ୮୨୮.୩୬ କୋଟି ଟଙ୍କା ଏବଂ ଆମ୍ ଆଦମୀ ପାର୍ଟି (ଆପ) ୧୦.୧୫ କୋଟି ଟଙ୍କା ହାତେଇଛନ୍ତି । ଏହି ତିନୋଟି ଦଳର ଇଲେକ୍ଟୋରାଲ୍ ବଣ୍ଡ୍ ଜରିଆରେ ହାତେଇଥିବା ଅର୍ଥରାଶିକୁ ହିସାବକୁ ନେଲେ ମୋଟ୍ ଅର୍ଥରାଶିର ପରିମାଣ ହେଉଛି ୨୫୨୪.୧୩୬୧ କୋଟି ଟଙ୍କା ହେଉଛି । ଖାସ୍ ଏଇ କାରଣ ପାଇଁ ଗତବର୍ଷ ମେ ମାସରେ ଏହି ଇଲେକ୍ଟୋରାଲ୍ ବଣ୍ଡ୍କୁ ଅସାମ୍ବିଧାନିକ ଘୋଷଣା କରିବା ସହ ଏହା ଉପରେ ରୋକ୍ ଲଗାଇଥିଲେ ।
ଆର୍ଟିଆଇ ଜରିଆରେ ଏଡିଆର୍ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ପାଇଥିବା ତଥ୍ୟ ଅନୁସାରେ ୨୦୨୩-୨୪ ଆର୍ଥିକ ବର୍ଷରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ଇଲେକ୍ଟୋରାଲ୍ ବଣ୍ଡ ଜରିଆରେ ୪୫୦୭.୫୬ କୋଟି ଟଙ୍କାର ଅର୍ଥରାଶି ସଂଗ୍ରହ କରିଛନ୍ତି । ରିପୋର୍ଟ ଅନୁସାରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରୁ କଂଗ୍ରେସ ସର୍ବାଧିକ ୬୧୯.୬୭ କୋଟି ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିଥିବା ବେଳେ ସର୍ବନିମ୍ନ ଭାବେ ସିପିଆଇ (ଏମ୍) ୫୬.୨୯ କୋଟିଟଙ୍କା ଖର୍ଚ୍ଚ କରିଛି ।