ଏନ୍ଏଚ୍ ସମ୍ପ୍ରସାରଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

  ତାଳଚେର : ତାଳଚେର ତାଳବେଡ଼ା ଛକ ଠାରୁ ବଅଁରପାଳ ପର୍ଯ୍ୟନ୍ତ ଦୈନିକ ଦୁର୍ଘଟଣା ଘଟି ବହୁ ଧନଜୀବନ ଚାଲିଯାଉଛି । ଯାହାକି ଏ ଅଞ୍ଚଳ ପାଇଁ ଅତ୍ୟନ୍ତ ଭୟାବହ ପରିସ୍ଥିତି ଓ ଚିନ୍ତାଜନକ ବିଷୟ ହୋଇପଡ଼ିଛି । ବଡ଼ ଦୁଃଖ ଓ ପରିତାପର ବିଷୟ ଗତ ୫ ତାରିଖ ଗୁରୁବାର ଦିନ ଗୋଟିଏ ଦିନରେ ପୃଥକ୍ ପୃଥକ୍ ଦୁର୍ଘଟଣାରେ ୩ଟି ନିରୀହ ଜୀବନ ଚାଲିଯାଇଛି । ଯାହାକି ଉଦ୍ବେଗଜନକ ପରିସ୍ଥିତି ସୃଷ୍ଟି କରିଛି । ପ୍ରତ୍ୟେକ ଦିନ ଜାତୀୟ ରାଜପଥରେ ହଜାର ହଜାର ଭାରୀଯାନ ଯିବା ଆସିବା ଫଳରେ ସର୍ବସାଧାରଣ ଯାତାୟତ ନିମନ୍ତେ ସୁରକ୍ଷିତ ମଣୁନାହାନ୍ତି । ଜାତୀୟ ରାଜପଥ ସବୁବେଳେ ବିପଦପୂର୍ଣ୍ଣ ରହୁଛି । ଭାରୀଯାନ ଗୁଡ଼ିକର ଦ୍ରୁତଗତି ଓ ବେପରୁଆ ଗାଡ଼ି ଚାଳନା ସହିତ ପିଚୁ ନଥିରୁ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଖାଲଖମଣା ଯାତ୍ରୀମାନଙ୍କୁ ବିପଦକୁ ଟାଣି ନେଉଛି ବୋଲି ଏକ ୫ଦଫା ଦାବିପତ୍ର ଅନୁଗୋଳ ଜିଲ୍ଲାପାଳଙ୍କୁ ସନ୍ଥପଡ଼ା ବାସୀଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । ସନ୍ଥପଡ଼ା ସରପଂଚ, ସମିତି ସଭ୍ୟା ଅନିତା ପାଣି, ଜିଲ୍ଳାପରିଷଦ ସଭ୍ୟ ବଭୁପ୍ରସାଦ ପତି, ପୌରପରିଷଦ ନଗରପାଳ ପବିତ୍ର ଭୂତିଆ, ବ୍ଲକ ଚେୟାରମ୍ୟାନ ହେମଲତା ମହାନ୍ତି, ବିନତୀ ପରିଡ଼ା, ଶୁଭଶ୍ରୀ ଦେବତା, ବ୍ରଜନାଥ ପୁର ସରପଂଚ ନରେଶ ବେହେରା, କରୁଣାକର ସାହୁ, ଆନନ୍ଦ ପ୍ରଧାନ, ନରେଶ ଚନ୍ଦ୍ର ନାୟକ ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ଗୁଡ଼ିକ ମଧ୍ୟରେ ତାଳବେଡ଼ା ଛକ ଠାରୁ ବହ୍ଲର ଛକ ଦେଇ ବଅଁରପାଳ ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ପିଚୁ, ରାସ୍ତାର ସଂପ୍ରସାରଣ ଓ ମଝିଭାଗରେ ଡ଼ିଭାଡ଼ର ସହ ନୂତନ ରାସ୍ତା ନିର୍ମାଣ, ଉକ୍ତ ରାଜପଥରେ ଭାରୀଯାନ ବା ହାଲୁକା ଯାନ ସମସ୍ତଙ୍କର ଘଂଟା ପ୍ରତି ୨୦କିମି ବେଗ, ଜାତୀୟ ରାଜପଥର ଉଭୟପାଣ୍ୱର୍ରେ ଥିବା ଗ୍ରାମ ଗୁଡ଼ିକର ପ୍ରତି ଛକରେ ଟ୍ରାଫିକ ପୋଲିସ୍ ନିୟୋଜିତ, ଯାନବାହାନ ଚଳାଚଳ ନିୟନ୍ତ୍ରଣ କରାଯାଉ, ପିଚୁ ରାସ୍ତା ଉପରେ କୌଣସି ଭାରୀଯାନ ହାଲୁକା ଯାନ ପାର୍କିଙ୍ଗ କରିବା ନିଷଧ କରାଯାଉ ଓ ଆଇନକୁ କଡ଼ାକଡ଼ି ଭାବେ ପାଳନ କରାଯାଉ, ତାଳବେଡ଼ା ଛକ ଠାରୁ ବଅଁରପାଳ ପର୍ଯ୍ୟନ୍ତ ଆଲୋକୀକରଣ ଇତ୍ୟାଦି କରାଯାଉ ନତୁବା ବାଧ୍ୟ ହୋଇ ରାସ୍ତାରୋକ ଆନେ୍ଦାଳନ କରିବାକୁ ଚରମ ନିଷ୍ପତ୍ତି ନିଆଯିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ।