୭୫ ହଜାର ଟଙ୍କାର ସାଇବର ଲୁଟ୍ 

 ସାରସକଣା  : ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ବିଭିନ୍ନ ପଞ୍ଚାୟତର ଅଙ୍ଗନବାଡ଼ି ଦିଦିଙ୍କୁ ଫସାଇ ହିତାଧିକାରୀଙ୍କ ଠୁ ଟଙ୍କା ଲୁଟ୍ କଲେ ସାଇବର ଠକ । ପୋଲିସର ସୂଚନା ମୁତାବକ ଝାରପୋଖରୀଆ ଥାନାରେ ୧୫୦/୨୫ ଅନୁଯାୟୀ ରୁଜୁ ହୋଇଥିବା ମାମଲା ଅନୁସାରେ, ଝାରପୋଖରୀଆ ଥାନା ଅନ୍ତର୍ଗତ ବଡକଚିମ୍ବିଲା ଗ୍ରାମର ସୁନ୍ଦର ମୋହନ ନାଏକଙ୍କ ସ୍ତ୍ରୀ ମମତା ନାଏକଙ୍କ ଠାରୁ କେହି ଜଣେ ଦୁର୍ବୃତ୍ତ ୭୫ ହଜାର ଟଙ୍କା ଆକାଉଣ୍ଟରୁ ଠକି ନେଇଥିବା ଜଣାଯାଇଛି । ଘଟଣାକୁ କେନ୍ଦ୍ର କରି ତଦନ୍ତ ଜୋରଦାର ଚାଲିଥିବା ନେଇ ଥାନାଧିକାରୀ ପ୍ରକାଶ କରିଛନ୍ତି । ଗର୍ଭବତୀ ମହିଳା ମମତା ନାଏକଙ୍କ ସୂଚନା ମୁତାବକ ଗତ ୯ ତାରିଖ ଦିନ ୭୦୩୩୪୪୯୬୫୦ ବିଶିଷ୍ଟ ମୋବାଇଲ ନମ୍ବରରୁ ଜଣେ ବହୁଭାଷି ବ୍ୟକ୍ତି ଫୋନ କରି ଆଇସିଡ଼ିଏସ ଅଧିକାରୀ ପରିଚୟ ଦେଇ ସ୍ଥାନୀୟ ଅଙ୍ଗନବାଡି କର୍ମୀଙ୍କୁ ବିଭିନ୍ନ ବ୍ୟବସ୍ଥା ବାବଦରେ ପଚାରି ବୁଝିବା ସହିତ, ମମତା ନାଏକଙ୍କୁ ମଧ୍ୟ କନ୍ଫରେନ୍ସରେ ନେଇ ଅଙ୍ଗନବାଡିରୁ ସବୁ ସରକାରୀ ସୁବିଧା ପାଉଛନ୍ତି କି ନା ପଚାରିଥିଲେ । ତେବେ ମମତା ଯୋଜନାର ଟଙ୍କା ଆସିନାହିଁ କହିବାରୁ ଆକାଉଣ୍ଟକୁ ଯାଇ ଫୋନେ ପେ ୟୁପିଆଇରୁ ଟ୍ରନେଜକ୍ସନ ପାଇଁ ନିଦେ୍ର୍ଦଶ ଦେଲେ, ହିତାଧିକାରୀ ମହିଳା ଜଣଙ୍କ କିଛି ବୁଝିବା ପୂର୍ବରୁ ଆକାଉଣ୍ଟରୁ ୭୫ ହଜାର ଟଙ୍କା କଟି ଯାଇଥିଲା । ତେବେ ପୁଣି ଫୋନ ଆସିଥିବା ନମ୍ବରକୁ ଫୋନ କରିବାରୁ ୨୪ ଘଣ୍ଟା ଭିତରେ ତାହା ଫେରାଇ ଦିଆଯିବ ବୋଲି କହିଥିଲେ ମଧ୍ୟ ଟଙ୍କା ଫେରାଇ ନଥିଲେ ଏବଂ ପରେ ଫୋନ ଉଠାଇ ନଥିଲେ । ବାଧ୍ୟ ହୋଇ ମହିଳା ଜଣଙ୍କ ଝାରପୋଖରୀଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାକୁ ନେଇ ତଦନ୍ତ ଜୋରଦାର ଆରମ୍ଭ ହୋଇଥିବା ବେଳେ ସମାନ ଉପାୟରେ ବିଭିନ୍ନ ସ୍ଥାନରୁ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ଫସାଇ ଟଙ୍କା ଲୁଟ ହୋଇଥିବା ସୂଚନା ମିଳିଛି ।