ଏନ୍ପିସିଆଇ ପକ୍ଷରୁ "ଷ୍ଟପ୍, ଥିଙ୍କ୍, ଆକ୍ଟ' ଅଭିଯାନ

 ଭୁବନେଶ୍ୱର : ଭାରତର ଡିଜିଟାଲ୍ ପେମେଣ୍ଟ ବିପ୍ଳବକୁ ଆଗକୁ ବଢ଼ାଉଥିବା ସଂସ୍ଥା ନ୍ୟାସନାଲ୍ ପେମେଂଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ପକ୍ଷରୁ ଡିଜିଟାଲ୍ ପେମେଣ୍ଟ ଉପଭୋକ୍ତାଙ୍କ ସୁରକ୍ଷା ସୁଦୃଢ଼ କରିବା ପାଇଁ “ଷ୍ଟପ୍, ଥିଙ୍କ୍, ଆକ୍ଟ” ନୀତିକୁ ସାମିଲ କରାଯାଇଛି । ଡିଜିଟାଲ୍ କାରବାର ବଢ଼ିବା ସହିତ ଏନ୍ପିସିଆଇ ଉପଭୋକ୍ତାମାନଙ୍କୁ ସତର୍କ ରହିବାକୁ ଏବଂ ଠକାମିରୁ ସୁରକ୍ଷିତ ରହିବା ପାଇଁ ଉତ୍ତମ ପରିଚାଳନା ଅବଲମ୍ବନ କରିବାକୁ ଅନୁରୋଧ କରିଛି । ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ଭାରତରେ ଡିଜିଟାଲ୍ କାରବାରର ମୁଖ୍ୟ ମାଧ୍ୟମ ହୋଇଛି ଯାହା ୨୦୨୪ରେ ସମୁଦାୟ ପେମେଣ୍ଟ ପରିମାଣର ୮୩% ଅଟେ । ୨୦୨୫ ଜୁନ୍ରେ ୟୁପିଆଇରେ ୧୮.୪୦ ବିଲିୟନ୍ କାରବାର ହୋଇଥିଲା ଯାହା ପରିମାଣରେ ୩୨% ଏବଂ ମୂଲ୍ୟରେ ୨୦% ବୃଦ୍ଧିକୁ ଦର୍ଶାଉଛି । ଗତ ପାଞ୍ଚ ବର୍ଷରେ ୟୁପିଆଇର ବ୍ୟବହାର ୭୪% ଚକ୍ରବୃଦ୍ଧି ହାରରେ (ସିଏଜିଆର୍) ବଢ଼ିିଛିି, ଯାହା ଏହାକୁ କାରବାର ପରିମାଣରେ ସର୍ବବୃହତ୍ ରିଟେଲ୍ ପେମେଣ୍ଟ ବ୍ୟବସ୍ଥାରେ ପରିଣତ କରିଛି । ଆରମ୍ଭରୁ ଆଜି ପର୍ଯ୍ୟନ୍ତ ୟୁପିଆଇରେ ୪୬୦ ନିୟୁତରୁ ଅଧିକ ଅନନ୍ୟ ଉପଭୋକ୍ତା ଯୋଡ଼ିପାରିଛି । ଏନ୍ପିସିଆଇର ଚିଫ୍ ରିସ୍କ ଅଫିସର ବିଶ୍ୱନାଥ କୃଷ୍ଣମୂର୍ତ୍ତି କହିଛନ୍ତି ସୋସିଆଲ୍ ଇଞ୍ଜିନିୟରିଂ ହେଉଛି ଯେତେବେଳେ ଠକମାନେ ଲୋଭ, ଭୟ ଏବଂ ଅଜ୍ଞତା ଭଳି ମାନବୀୟ ପ୍ରବୃତିକୁ ବ୍ୟବହାର କରି ଉପଭୋକ୍ତାମାନଙ୍କୁ ଠକିବାକୁ ଚେଷ୍ଟା କରନ୍ତି । ସେମାନେ ଉପଭୋକ୍ତାଙ୍କୁ ବିଶ୍ୱାସଯୋଗ୍ୟ ଦେଖାଯାଉଥିବା କାରବାର ଅନୁମୋଦନ କରିବାକୁ ପ୍ରଲୋଭିତ କରନ୍ତି । ତେଣୁ ଡିଜିଟାଲ୍ ପେମେଣ୍ଟକୁ ସୁରକ୍ଷିତ ଭାବେ ବ୍ୟବହାର କରିବା ଏବଂ ଠକାମିରୁ ଦୂରେଇ ରହିବା ଗୁରୁତ୍ୱପୂର୍ଣ୍ଣ । ଠକାମିର ପ୍ରାରମ୍ଭିକ ସଙ୍କେତ ଚିହ୍ନିବା ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ ଯାହା ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ, ନଗଦ ବିହୀନ ଅର୍ଥନୀତି ଗଠନ କରିବ ।