ଏସଟିଏଫ୍ ଜାଲରେ କୁଖ୍ୟାତ ଧଳାଜହର ବେପାରୀ କଟି

ଏସଟିଏଫ୍ ଜାଲରେ କୁଖ୍ୟାତ ଧଳାଜହର ବେପାରୀ କଟି


ଭୁବନେଶ୍ୱର, ୩୦ା୫ : ୨ବର୍ଷ ଜେଲରେ ରହିବା ପରେ ବି ଉତୁରିଲାନି ନିଶା, ପୁଣି କଟିକୁ ଗିରଫ କଲା ଏସଟିଏଫ୍ । ଜାମିନରେ ଆସିବା ପରେ ରାତା ରାତି ମୋଟା ଅଙ୍କର ଟଙ୍କା ରୋଜଗାର କରିବା ଆଶାରେ ପୁଣି ଆରମ୍ଭ କରିଥିଲା ନିଶା କାରବାର । ଏହି ଖବର ପାଇବା ପରେ ବୁଧବାର ଦିନ ଭୁବନେଶ୍ୱର ଏସଟିଏଫ୍ ଟିମ ତାକୁ ପୁଣି ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରାଯାଇଛି । ଗିରଫ ବେପାରୀ ହେଲା,ଏସ୍.କେ.ମହତାବ ଅଲ୍ଲୀ ଓରଫ କଟି (୩୯) । ତା ଘର ମୟୂରଭଞ୍ଜ ଜିଲ୍ଲା ବାରିପଦା ଥାନା ଅଞ୍ଚଳରେ ।
 ସୂଚନା ଅନୁଯାୟୀ, ଚଳିତ ବର୍ଷ ଫେବୃଆରୀ ମାସ ୨୧ ତାରିଖରେ ଏକ ଚଢ଼ାଉ ବେଳେ ୩୦୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ସେହି ଘଟଣାରେ କ୍ଷୀରସିନ୍ଧୁ ସାମଲ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । କିନ୍ତୁ ସେତେ ବେଳେ ଚକମା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଏସ୍.କେ ମହତାବ ଅଲ୍ଲୀ ଓରଫ (କଟି) । ଏହି ମାମଲାରେ ତଦନ୍ତ ଚାଲିଥିବା ବେଳେ କଟିକୁ ଗତକାଲି ଭୁବନେଶ୍ୱରରୁ ଗିରଫ କରାଯାଇଛି । ୨୦୨୦ ମସିହାରେ ମଧ୍ୟ ଏସଟିଏଫ୍ ପକ୍ଷରୁ କଟିକୁ ଗିରଫ କରାଯାଇଥିଲା । ସେତେ ବେଳେ ତାଠାରୁ ୩ କେଜି ୨୬୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା । ୨ବର୍ଷ ଜେଲରେ ରହିବା ପରେ ୨୦୨୨ ଅଗଷ୍ଟ ମାସରେ ତାଙ୍କୁ ଜାମିନ ମିଳିଥିଲା । ଜାମିନରେ ଆସିବା ପରେ ପୁଣି ଥରେ ସେ ନିଶା କାରବାର ଆରମ୍ଭ କରିଥିଲା । ତା ନାଁରେ ପୂର୍ବରୁ ମଧ୍ୟ ବେତନଟୀ ଓ ବାରିପଦା ଟାଉନ ଥାନା ସହିତ ମୟୂରଭଞ୍ଜ ଅବକାରୀ ଥାନାରେ ୬ଟି ମାମଲା ରହିଛି ।