ପୁଷ୍ପମିତ୍ର ମହାପାତ୍ର : "ଓଁ ବକ୍ରତୁଣ୍ଡ ମହାକାୟ, ସୂର୍ଯ୍ୟକୋଟି ସମପ୍ରଭ । ନିର୍ବିଘ୍ନଂ କୁରୁମେ ଦେବ ସର୍ବକାର୍ଯ୍ୟେଷୁ ସର୍ବଦା । ।' କୁହାଯାଏ ଶ୍ରୀଗଣେଶଙ୍କର ନାମକୁ ବାରମ୍ବାର ଜପ କରିବାରେ ସର୍ବଦୁଃଖ ଦୂର ହେବା ସଙ୍ଗେ ସମସ୍ତ ପ୍ରକାରର ବିଘ୍ନର ବିନାଶ ଘଟିଥାଏ । କୌଣସି ବି ଶୁଭକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବିଘ୍ନନାଶକ ଶ୍ରୀଗଣେଶଙ୍କୁ ବନ୍ଦନା କରାଯାଇଥାଏ । ପୁରାଣରେ ବର୍ଣ୍ଣିତ ରହିଛି ଯେ, ଯିଏ ଶ୍ରୀଗଣେଶଙ୍କୁ ଭକ୍ତି ଭାବନା ସହିତ ଆରାଧନା କରୁଥାଏ ସେ ସମସ୍ତ ପ୍ରକାରର ଭୟ ଓ ଦୁଃଖରୁ ମୁକ୍ତ ହୋଇ ସାରା ଜୀବନକୁ ଉପଭୋଗ କରିଥାଏ । ତେଣୁ ମହାଦେବଙ୍କ ପୁତ୍ର ତଥା ମାତା ପାର୍ବତୀଙ୍କ ନନ୍ଦନ ଶ୍ରୀଗଣେଶଙ୍କୁ ଗଣପତି, ଏକଦନ୍ତ, ଦେବବ୍ରତ, ଭୁବନପତି, ବିନାୟକ, ବିଘ୍ନେଶ୍ୱର, ଉଦନ୍ତ, ସୁମୁଖ, ସିଦ୍ଧିପ୍ରଦ, ସିଦ୍ଧିବିନାୟକ, ଗୌରୀନନ୍ଦନ, ମହାଗଣପତି, ଗଜାନନ ତଥା ଲମ୍ବୋଦର ଭାବେ ସ୍ମରଣ କରି ତାଙ୍କର ପ୍ରିୟ ଭକ୍ତମାନେ ଭକ୍ତିର ସହିତ ପୂଜାର୍ଚ୍ଚନା କରିଥାନ୍ତି। ଭାରତର ପ୍ରାୟ ସବୁ ରାଜ୍ୟରେ ଗଣେଶ ଚତୁର୍ଥ ପାଳିତ ହେଉଥିଲେ ମଧ୍ୟ ମହାରାଷ୍ଟ୍ର, ଗୋଆ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଓଡ଼ିଶା, ଗୁଜୁରାଟ, ତାମିଲନାଡୁ ଓ ମଧ୍ୟପ୍ରଦେଶ ପରି ରାଜ୍ୟରେ ବହୁ ଧୁମ୍ଧାମରେ ତଥା ଜାକଜମକରେ ବିଶେଷ ପର୍ବ ଭାବେ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଥାଏ । ଭାରତ ସମେତ ନେପାଳ, ଶ୍ରୀଲଙ୍କା, ଆମେରିକା, କାନାଡ଼ା, ଫିଜି ଓ ମରିସସ୍ ଆଦି ଦେଶରେ ମଧ୍ୟ ଗଣେଶ ଚତୁର୍ଥୀ ପାଳନ କରାଯାଇଥାଏ ।
ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଶ୍ରୀଗଣେଶଙ୍କର ମୃଣ୍ମୟ ପ୍ରତିମୂର୍ତ୍ତି ଓ ସାଜସଜ୍ଜା ପୂର୍ଣ୍ଣ ମେଢ଼ ସହିତ ପୂଜାର ଆୟୋଜନ ହୋଇଥାଏ। ଓଡ଼ିଶାର ଜଟଣୀ, ତାଳଚେର, ଭଦ୍ରକ, ଭୁବନେଶ୍ୱର, କଟକ, ବାଲେଶ୍ୱର ଏବଂ ବ୍ରହ୍ମପୁର ପରି ସହରରେ ଗଣେଶ ପୂଜା ବହୁ ଆଡ଼ମ୍ବର ସହକାରେ ପାଳିତ ହେବା ଦେଖାଯାଏ । ମୂଷିକ ବାହନରେ ବସି ହାତରେ ବିରାଟ ଲଡ଼ୁ ଧରିଥିବା ଶ୍ରୀଗଣେଶଙ୍କ ବିରାଟ ମୃଣ୍ମୟ ମୂର୍ତ୍ତି, ପ୍ରକାଣ୍ଡ ତୋରଣ ଓ ଆକର୍ଷଣୀୟ ମେଢ଼ ଗୁଡ଼ିକର ରଙ୍ଗୀନ ଆଲୋକସଜ୍ଜା ସେଠାକାର ପରିବେଶକୁ ଉତ୍ସବମୁଖର କରିଥାଏ। ଗଣେଶଚତୁର୍ଥୀ ଦିନର ପୂଜା ଠାରୁ ଆରମ୍ଭ କରି ମୂର୍ତ୍ତି ବିସର୍ଜନ ପର୍ଯ୍ୟନ୍ତ ପୂଜାସ୍ଥଳୀଗୁଡ଼ିକ ସବୁବେଳେ ଚଳଚଞ୍ଚଳ ରହିଥିବା ଦେଖାଯାଏ। ଓଡ଼ିଶାର ସମସ୍ତ ବିଦ୍ୟାଳୟ, କାର୍ଯ୍ୟାଳୟ ତଥା ବିଭିନ୍ନ ବ୍ୟାବସାୟିକ ଅନୁଷ୍ଠାନ ଗୁଡ଼ିକରେ ଭକ୍ତ ସହକାରେ ଶ୍ରୀଗଣେଶଙ୍କର ଆରାଧନା ହୋଇଥାଏ ।
ମୋ : ୯୪୩୭୨୨୫୬୮୯