ଅମାନିଆ ଚାଳକ
କିଛି ଦିନ ହେଲାଣି ସହରାଞ୍ଚଳ ଗୁଡ଼ିକରେ ବିଭିନ୍ନ ଟ୍ରାଫିକ୍ ଆଇନ୍ ଉଲଙ୍ଘନ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଆଇନ୍କୁ କଠୋର ଭାବରେ କାର୍ଯ୍ୟକାରୀ କରାଯାଉଛି । ନିଶାଗ୍ରସ୍ତ ହୋଇ ଗାଡ଼ି ଚଳାଇବା, ଗାଡ଼ିର ଉପଯୁକ୍ତ କାଗଜପତ୍ର ନଥାଇ ଗାଡ଼ି ଚଳାଇବା, ରଙ୍ଗ୍ ରୁଟ୍ରେ ଗାଡ଼ି ଚଳାଇବା, ବିକଟାଳ ହର୍ଣ୍ଣ୍ ବ୍ୟବହାର କରିବା, ଅତି ଉଚ୍ଚ ଶବ୍ଦ ସୃଷ୍ଟିକାରୀ ସାଇଲେନ୍ସର୍ ବ୍ୟବହାର କରିବା, ସିଟ୍ ବେଲ୍ଟ ନବାନ୍ଧି କିମ୍ବା ହେଲ୍ମେଟ ନପିନ୍ଧି ଗାଡ଼ି ଚଳାଇବା ଭଳି ବିଭିନ୍ନ ପ୍ରକାରର ଟାଫିକ୍ ଆଇନ୍ ଉଲଙ୍ଘନକାରୀମାନଙ୍କ ପାଇଁ ଏବେ ପୁଲିସ୍ ବିଭାଗ ଏବଂ ଟ୍ରାଫିକ୍ ବିଭାଗ ଦିନକୁ ଦିନ କଠୋର ହେବାରେ ଲାଗିଛନ୍ତିି । ଏହା ସତ୍ତ୍ୱେ ଅମାନିଆ ଗାଡ଼ି ଚାଳକଙ୍କ ସଂଖ୍ୟା କିଛି କମ୍ ନାହିଁ । ଅମାନିଆ ଗାଡ଼ି ଚାଳକମାନେ ଭାବୁଛନ୍ତି ଯେ ସେମାନଙ୍କୁ କେହି ଧରି ପାରିବେ ନାହିଁ କିମ୍ବା ଧରା ପଡ଼ିଲେ ସୁଦ୍ଧା ଘଟଣା ସ୍ଥଳରେ କିଛି ଲାଞ୍ଚ ଦେଇ ଖସିଯିବେ । ଅମାନିଆ ଗାଡ଼ି ଚାଳକଙ୍କର ଏ ପ୍ରକାରର ମନୋବୃତ୍ତି ପରିବହନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଘୁଣଖିଆ କାଠରେ ପରିଣତ କରି ଦେଉଛି । ସେମାନେ ଯେତେଥର ଧରା ପଡ଼ିଲେ ମଧ୍ୟ ଆଇନ୍ର ବ୍ୟବସ୍ଥାରେ ଥିବା ଦଣ୍ଡ, ଜୋରିମାନା ଇତ୍ୟାଦିକୁ ଭୟ କରୁନାହାନ୍ତି । ଏ କ୍ଷେତ୍ରରେ ସବୁଠାରୁ ଦୁଃଖଦାୟକ କଥାଟି ହେଲା ଅମାନିଆମାନେ ଦୁର୍ଘଟଣାଗ୍ରସ୍ତ ହୋଇ ନିଜେ ଯେତେବେଳେ ସଙ୍କଟାପନ୍ନ ହୋଇ ଯାଉଛନ୍ତି ସେତିକି ବେଳେ ଯାଇ ଅନୁଭବ କରୁଛନ୍ତି ଯେ ଆଇନ୍ର ଆବଶ୍ୟକତା ଅଛି । ସବୁବେଳେ ଆଇନ୍କୁ ଫାଙ୍କି ଦେବା ସମ୍ଭବ ନୁହେଁ କିମ୍ବା ସହଜ ନୁହେଁ । ଆଇନ୍କୁ ଫାଙ୍କିଦେଲେ ମଧ୍ୟ ଆଉ କେହିଜଣେ ଆଇନ୍ ଉଲଙ୍ଘନର ପରିଣାମ ସୂରୂପ ଦଣ୍ଡ ଦେବାକୁ ଛକି ବସିଛି ।
ନିକଟରେ ରାଜଧାନୀ ଭୁବନେଶ୍ୱରରେ ଅମାନିଆ ଚାଳକଙ୍କୁ ଧରି ଦଣ୍ଡିତ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପ୍ରାୟ ୪-୫ ମାସ ହେଲା ଏହିଭଳି ହେଲାଣି । ଏହାସତ୍ତ୍ୱେ କେଉଁଠି ଗଳି ପଶି ଆଇନ୍କୁ ନମାନିବା ପାଇଁ କିଛି ଲୋକ ବଦ୍ଧପରିକର । ହେଲେ ଚୋର ପାଇଁ ସବୁଦିନ ଅନ୍ଧାର ରାତି ନଥାଏ । କେତେବେଳେ ନା କେତେବେଳେ ସେମାନେ ଧରା ପଡ଼ିଯିବେ ଏବଂ ଧରା ପଡୁଛନ୍ତି ମଧ୍ୟ । ଗତ ସପ୍ତାହରେ ଅମାନିଆ ଚାଳକଙ୍କୁ ଧରିବା ପାଇଁ ଆରମ୍ଭ କରାଯାଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦ୍ୱିତୀୟ ଦିନରେ ଅମାନିଆ ଚାଳକଙ୍କ ନିକଟରୁ ୮୦ ହଜାର ଟଙ୍କା ଆଦାୟ କରାଯାଇଛି । ବର୍ତ୍ତମାନ ଦେଖାଯାଉଛି ଯେ ଏହି ଜୋରିମାନା ବ୍ୟବସ୍ଥା ମାଧ୍ୟମରେ ମୋଟର ଯାଇ ଆଇନ୍ ଉଲଙ୍ଘନକାରୀମାନଙ୍କୁ ସାବାଡ଼ କରିବା ସମ୍ଭବ ନୁହେଁ । ତେଣୁ ସେମାନଙ୍କୁ ସବୁଦିନ ପାଇଁ ଗାଡ଼ି ଚଳେଇବାର ଲାଇସେନ୍ସକୁ ରଦ୍ଦ କରି ଦେବାର ଏକ ବ୍ୟବସ୍ଥା ରହିଛି ଏବଂ ତାକୁ କାର୍ଯ୍ୟକାରୀ କରାଯିବା ଆବଶ୍ୟକ । ବର୍ତ୍ତମାନ ଦେଖାଯାଉଛି ଯେ ନାବାଳକ ଗାଡ଼ିଚାଳକଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିଲା ଏବଂ ବିଶେଷ କରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରଛାତ୍ରୀମାନେ ଏ ପ୍ରକାରର ଅପରାଧ କରୁଥିଲେ । ହେଲେ ଆଇନ୍କୁ କଡ଼ାକଡ଼ି କରାଯିବା ପରେ ବର୍ତ୍ତମାନ ଦେଖାଯାଉଛି ଯେ ଏ ପ୍ରକାରର ଅପରାଧ ଧୀରେ ଧୀରେ କମିବାରେ ଲାଗୁଛି । ବିଭିନ୍ନ ଅପରାଧ ପାଇଁ ଆଇନ୍ ଅଛି; କିନ୍ତୁ ଆଇନ୍କୁ କଡାକଡି ଭାବରେ ଲାଗୁ କରାଯାଉନାହିଁ । ଆଇନ୍କୁ କଡ଼ାକଡ଼ି ଭାବରେ ଲାଗୁ କରାଗଲେ ଅମାନିଆ ଚାଳକମାନେ ନିଜ ଜୀବନକୁ ବିପନ୍ନ କରିବା ସହିତ ରାସ୍ତାରେ ଯାତାୟତ କରୁଥିବା ଅନ୍ୟମାନଙ୍କ ଜବୀନକୁ ମଧ୍ୟ ଆଉ ସଂକଟାପନ୍ନ କରିପାରିବେ ନାହିଁ । ଏ କ୍ଷେତ୍ରରେ ବର୍ତ୍ତମାନ ଆଇନ୍କୁ କାର୍ଯ୍ୟକାରୀ କରୁଥିବା କର୍ତ୍ତୃପକ୍ଷମାନେ କଠୋର ହେବା ଆବଶ୍ୟକ । ଅମାନିଆ ଗାଡ଼ି ଚାଳକମାନେ କେବଳ ନିଜ ପାଇଁ ଅମାନିଆ ନୁହଁନ୍ତି, ସାଧାରଣ ଏବଂ ନିରୀହ ଲୋକଙ୍କର ଜୀବନକୁ ସଂକଟାପନ୍ନ କରିବାର କାରଣ ହୋଇପାରନ୍ତି । ଚାଳକଙ୍କର ଭୁଲ୍ ଯୋଗୁଁ ପ୍ରତିବର୍ଷ ରାଜ୍ୟରେ ଅନେକ ବ୍ୟକ୍ତି ଜୀବନ ହରାଉଛନ୍ତି ଏବଂ ପଙ୍ଗୁ ମଧ୍ୟ ହେଉଛନ୍ତି । ଏଭଳି ଘଟଣାକୁ ଦୃଷ୍ଟିରେ ରଖି ଅମାନିଆ ଗାଡ଼ି ଚାଳକମାନଙ୍କ ପ୍ରତି ଆଇନ୍ ଅତ୍ୟନ୍ତ କଠୋର ହେବା ଆବଶ୍ୟକ ।