ଓଡ଼ିଶାର ୩ ରେଳଲାଇନକୁ ‘ସ୍ୱତନ୍ତ୍ର ରେଳ ପ୍ରକଳ୍ପ’ ମାନ୍ୟତା : ବର୍ଷକୁ ହେଉଛି ୧୯୫ କିମି ରେଳ ଲାଇନ୍
ସଂସଦରେ ଓଡ଼ିଶାର ରେଳ ବିକାଶ ନେଇ ତଥ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ : ଜୁନାଗଡ ଓ ନବରଙ୍ଗପୁର ନୂଆ ରେଳ ଲାଇନ୍, ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ, ଜୟପୁର-ମାଲକାନଗିରି ନୂଆ ରେଳ ଲାଇନ ପ୍ରକଳ୍ପ ସମେତ ଓଡିଶାର ବହୁ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ବିଷୟରେ ଆଜି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ସୂଚନା ଦେଇଛନ୍ତି । ରେଳ ମନ୍ତ୍ରୀଙ୍କ ସୂଚନା ମୁତାବକ, ଜୁନାଗଡ଼ ଏବଂ ନବରଙ୍ଗପୁର (୧୧୬ କିଲୋମିଟର) ମଧ୍ୟରେ ନୂତନ ରେଳ ଲାଇନ କାମ ପାଇଁ ୨,୮୬୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହି ପ୍ରକଳ୍ପରେ ୩୭୬.୬୪ ହେକ୍ଟର ଘରୋଇ ଜମି ଅଧିଗ୍ରହଣ, ୫୮.୮୭ ହେକ୍ଟର ସରକାରୀ ଜମି ପୃଥକୀକରଣ ଏବଂ ୩୫୧.୬୮ ହେକ୍ଟର ଜଙ୍ଗଲ ଜମିର ପରିବର୍ତ୍ତନ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପକୁ ଜମି ଅଧିଗ୍ରହଣ ପାଇଁ ‘ସ୍ୱତନ୍ତ୍ର ରେଳ ପ୍ରକଳ୍ପ’ ଭାବରେ ଅଧିସୂଚିତ କରାଯାଇଛି । ରେଳ ମନ୍ତ୍ରୀ କହିଛନ୍ତି, ନବରଙ୍ଗପୁର-ଜୟପୁର (୪୧ କିଲୋମିଟର) ନୂତନ ଲାଇନ ପ୍ରକଳ୍ପକୁ ୭୪୮ କୋଟି ଟଙ୍କା ଅଟକଳ ସହିତ ଖର୍ଚ୍ଚ ସହଭାଗିତା ଭିତ୍ତିରେ ମଞ୍ଜୁର କରାଯାଇଛି । ଏହି ପ୍ରକଳ୍ପରେ ୨୯୧.୮୭ ହେକ୍ଟର ଘରୋଇ ଜମି ଅଧିଗ୍ରହଣ, ୩୩.୫୯ ହେକ୍ଟର ସରକାରୀ ଜମି ପୃଥକୀକରଣ ଏବଂ ୧୩.୪୭ ହେକ୍ଟର ଜଙ୍ଗଲ ଜମିର ପରିବର୍ତ୍ତନ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପ ପାଇଁ ଜମି ଓଡ଼ିଶା ସରକାର ଯୋଗାଇବାକୁ ଥିବାରୁ ରାଜ୍ୟ ସରକାର ଜମି ଅଧିଗ୍ରହଣ କରିଛନ୍ତି । ଏପର୍ଯ୍ୟନ୍ତ, ମୋଟ ୩୩୮.୯୪ ହେକ୍ଟର ଆବଶ୍ୟକ ଜମି ମଧ୍ୟରୁ ୧୨.୪୧ ହେକ୍ଟର ଜମି ଅଧିଗ୍ରହଣ କରାଯାଇଛି । ଇନ୍ଦ୍ରାବତୀ ନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି।
ସେହିପରି ଜୟପୁର-ମାଲକାନଗିରି (୧୩୦ କିଲୋମିଟର) ନୂତନ ରେଳ ଲାଇନ ପ୍ରକଳ୍ପକୁ ୨,୩୪୪ କୋଟି ଟଙ୍କା ବ୍ୟୟବରାଦ ଆଧାରରେ ଖର୍ଚ୍ଚ ସହଭାଗିତା ଭିତ୍ତିରେ ମଞ୍ଜୁର କରାଯାଇଛି । ଏହି ପ୍ରକଳ୍ପରେ ୫୦୫.୪୩ ହେକ୍ଟର ବ୍ୟକ୍ତିଗତ ଜମି ଅଧିଗ୍ରହଣ, ୧୬୯.୬୮ ହେକ୍ଟର ସରକାରୀ ଜମି ପୃଥକୀକରଣ ଏବଂ ୪୫୨.୭୧ ହେକ୍ଟର ଜଙ୍ଗଲ ଜମିର ପରିବର୍ତ୍ତନ ଅନ୍ତର୍ଭୁକ୍ତ । ଏଥିପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ହାତକୁ ନିଆଯାଇଛି । ଏପର୍ଯ୍ୟନ୍ତ, ମୋଟ ୧,୧୨୮ ହେକ୍ଟର ଆବଶ୍ୟକ ଜମି ମଧ୍ୟରୁ ୧୬୭.୩୯ ହେକ୍ଟର ଜମି ଅଧିଗ୍ରହଣ କରାଯାଇଛି ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି । ଶ୍ରୀ ବୈଷ୍ଣବ ଆହୁରି ସୂଚନା ଦେଇଛନ୍ତିଯେ, ମାଲକାନଗିରି - ପାଣ୍ଡୁରଙ୍ଗପୁରମ ଭାୟା ଭଦ୍ରାଚଳମ୍ ଷ୍ଟେସନ (୧୭୪ କିଲୋମିଟର) ମଧ୍ୟରେ ନୂତନ ରେଳ ଲାଇନ କାର୍ଯ୍ୟ ୩,୫୯୨ କୋଟି ଟଙ୍କାରେ ମଞ୍ଜୁର କରାଯାଇଛି । ଏହି ପ୍ରକଳ୍ପରେ ୪୦୩.୨୩ ହେକ୍ଟର ବ୍ୟକ୍ତିଗତ ଜମି ଅଧିଗ୍ରହଣ, ୭୭.୭୬ ହେକ୍ଟର ସରକାରୀ ଜମି ପୃଥକୀକରଣ ଏବଂ ୩୨୦.୨୫ ହେକ୍ଟର ଜଙ୍ଗଲ ଜମିର ପରିବର୍ତ୍ତନ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପକୁ ଜମି ଅଧିଗ୍ରହଣ ପାଇଁ ‘ସ୍ୱତନ୍ତ୍ର ରେଳ ପ୍ରକଳ୍ପ’ ଭାବରେ ଅଧିସୂଚିତ କରାଯାଇଛି ।
ରେଳ ମନ୍ତ୍ରୀ କହିଛନ୍ତି, ୨୦୦୯-୨୦୧୪ ମଧ୍ୟରେ ଓଡିଶାକୁ ମାତ୍ର ୮୩୮ କୋଟି ଟଙ୍କାର ରେଳ ବଜେଟ ମିଳିଥିବା ବେଳେ କେବଳ ୨୦୨୫-୨୬ରେ ଏହାର ପ୍ରାୟ ୧୩ ଗୁଣ ଅଧିକ ୧୦,୫୯୯ କୋଟି ଟଙ୍କାର ରେଳ ବଜେଟ୍ ଆବଣ୍ଟନ କରାଯାଇଛି। ସେହିପରି ୨୦୦୯-୧୪ ମଧ୍ୟରେ ୨୬୭ କିଲୋମିଟର ନୂଆ ରେଳ ଟ୍ରାକ୍ କାମ ହୋଇଥିବା ବେଳେ ବାର୍ଷିକ ହାରାହାରି ରେଳ ଲାଇନ୍ ନିର୍ମାଣ ୫୩.୪ କିଲୋମିଟର ଥିଲା । ଅନ୍ୟପଟେ ୨୦୧୪-୨୫ ମଧ୍ୟରେ ୨୧୫୦ କିଲୋମିଟର ରେଳ ଟ୍ରାକ୍ ନିର୍ମାଣ କରାଯାଇଛି । ଅର୍ଥାତ୍ ବାର୍ଷିକ ହାରାହାରି ନୂଆ ରେଳ ଲାଇନ ନିର୍ମାଣ ୧୯୫.୪୫ କିଲୋମିଟର ରହିଛି । ଯାହାକି ୩.୫ ଗୁଣ ଅଧିକ । ଏପ୍ରିଲ୍ ୨୦୨୫ ସୁଦ୍ଧା ୬୭,୪୯୬ କୋଟି ଟଙ୍କା ବ୍ୟୟରେ ୧୯ଟି ନୂଆ ରେଳ ଲାଇନ ଏବଂ ୩୦ଟି ରେଳ ଲାଇନର ଦୋହରୀକରଣ ସମେତ ମୋଟ୍ ୪,୦୧୦ କିଲୋମିଟରର ୪୯ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି । ଏଥିମଧ୍ୟରୁ ୨୮,୦୪୩ କୋଟି ଟଙ୍କା ବ୍ୟୟରେ ୧୪୨୯ କିଲୋମିଟର ଲମ୍ବ ରେଳ ଲାଇନ କାମ ଶେଷ ହୋଇସାରିଛି । ନିକଟରେ ୧୧ଟି ରେଳ ଲାଇନ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଛି । ଏହାବ୍ୟତୀତ ୨୧ଟି ରେଳ ଲାଇନ୍ କାମ ବର୍ତ୍ତମାନ ଜାରି ରହିଛି । ଗତ ତିନି ବର୍ଷ ମଧ୍ୟରେ ୪,୮୪୩ କିଲୋମିଟର ଲମ୍ବ ମୋଟ୍ ୩୦ଟି ନୂଆ ରେଳ ଲାଇନ ଏବଂ ୪୬ଟି ରେଳ ଲାଇନର ଦୋହରୀକରଣ ପାଇଁ ସର୍ଭେ କରାଯାଇଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ ସୂଚନା ଦେଇଛନ୍ତି ।