ଓପି ଜିନ୍ଦଲ ଫୁଟବଲ କପ୍ ଉଦ୍ଘାଟିତ ଆଠମଲ୍ଲିକକୁ ହରାଇଲା ଝାରସୁଗୁଡା

  ଅନୁଗୁଳ :  ଉଦଘାଟନୀ ମୁକାବିଲାରେ ରୋମାଞ୍ଚକର ଲଢେଇ  । ଓ.ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଂଟର ଉଦଘାଟନୀ ମ୍ୟାଚରେ ଆଠମଲ୍ଲିକ ଦଳକୁ ପରାସ୍ତ କରି ଝାରସୁଗୁଡା ଦଳ ବିଜୟୀ ହୋଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ଦେବାରେ ସକ୍ଷମ ହୋଇଥିଲେ  । ଫଳରେ ମ୍ୟାଚର ଫଳାଫଳ ନିର୍ଣ୍ଣୟ ପାଇଁ  ପେନାଲଟି ସୁଟ୍-ଆଉଟର ସହାୟତା ନିଆଯାଇଥିଲା । ଆଉ ପେନାଲଟି ସୁଟରେ ଝାରସୁଗୁଡା ଦଳ ୪ଟି ଗୋଲ କରିବାରେ ସକ୍ଷମ ହୋଇଥିବା ବେଳେ ଆଠମଲ୍ଲିକ ଦଳ ମାତ୍ର ୨ଟି ଗୋଲ ଦେଇପାରିଥିଲା  । ଫଳରେ ଉଦଘାଟନୀ ମ୍ୟାଚରେ ବାଜି ମାରିନେଇଛି ଝାରସୁଗୁଡା ଦଳ । ଝାରସୁଗୁଡା ଦଳର ରାମ ହାଁସଦା ସର୍ବଶ୍ରେଷ୍ଠ ପ୍ରଦର୍ଶନକରି ପ୍ଲେୟାର  ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ଉଦଘାଟନୀ ଉସôବରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ପୌରପାଳିକାର ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜିନ୍ଦଲ ଷ୍ଟିଲର ସଭାପତି  ଅତୁଲ ଦୁବେ, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ ସିଠ, ଅନୁଗୁଳ କ୍ରିକେଟ ଆସୋସିଏସନର ସଂପାଦକ ସାଗର ନାଥ ମିଶ୍ର, ଜିଲ୍ଲା କ୍ରୀଡ଼ା ସାଂସଦ ସଦସ୍ୟ ଅଧିବକ୍ତା ପ୍ରଦୀପ ଦେବତା ଓ ରୁଚିର କୁମାର ଦାସ, ଜିନ୍ଦଲ ଫାଉଣ୍ଡେସନର ସହକାରୀ ମହାସଚିବ ସୁଶ୍ରୀ ମୈତ୍ରେୟୀ ମିଶ୍ର ଏବଂ ଜିନ୍ଦଲ ଷ୍ଟିଲର ସିଏସଆର ଜିଏମ ଜୟନ୍ତ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଗୁଳ ସହରର କଦମ ପଡିଆରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଂଟରେ ରାଜ୍ୟର ବଛା ବଛା ୧୨ଟି ଦଳ ଭାଗ ନେଇଛନ୍ତି । ଆସନ୍ତା ୧୮ ତାରିଖରେ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ୍ ଖେଳାଯିବ ।