ନକଲି ରୟାଲଟି ପେପରରେ ବାଲି ଲୋଡିଂ ; ଟଙ୍କା ଦେଇ ଫସିଲେ ଗାଡ଼ିମାଲିକ

ଅନୁଗୁଳୁ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ୪ ଜଣ ଗାଡିମାଲିକ ମହାନଦୀରୁ ବାଲି ବୋଝଇ କରି ବଡ ଠକାମୀର ଶିକାର ହୋଇଥିବା ଜଣାପଡ଼ିଛି । ଗାଡି ମାଲିକମାନେ  ଧାର୍ଯ୍ୟ ମୂଲ୍ୟର ରୟାଲଟି ଦେଇ ବାଲି ବୋଝଇ କରିଥିବାବେଳେ, ନକଲି ରୟାଲଟି ପେପର ତାଙ୍କୁ ମିଳିଥିବା ସେମାନେ ଅଭିଯୋଗ କରିଛନ୍ତି । ଆଠମଲ୍ଲିକ ପୁଲିସ ରାତିରେ ଏହି ଗାଡ଼ିଗୁଡ଼ିକୁ ଯାଞ୍ଚ କରିବା ବେଳେ ଏହା ଜଣାପଡ଼ିଥିଲା ।
ସୂଚନାଯୋଗ୍ୟ ଯେ, ଆଠମଲ୍ଲିକ ସହର ସ୍ଥିତ ମହାନଦୀର ଘୋଡାମରା ସରକାରୀ ସ୍ୱୀକୃତି ପ୍ରାପ୍ତ ବାଲିଘାଟରୁ ହାଇୱା ଓ ଟିପରରେ ବାଲି ଲୋଡିଂ ହୋଇଥିଲା । ଗାଡି ମାଲିକମାନେ ଲିଜଧାରୀଙ୍କୁ ହାଇୱା ପିଛା ୧୦ହଜାର ୫୦୦ଟଙ୍କା ଦେଇ ରୟାଲଟି ଇ-ପେପର ଯୋଗେ ବାଲି ବୋଝଇ କରିଥିଲେ । କିଛି ଗାଡି ପଳାଇ ଯାଇଥିବା ବେଳେ, ହଠାତ ଆଠମଲ୍ଲିକ ପୁଲିସ କଲେଜ ନିକଟରେ ଯାଞ୍ଚ କରିଥିଲା । ଯାଞ୍ଚବେଳେ ୪ ଗାଡ଼ିର ରୟାଲଟି ପେପର ନକଲି ଥିବାରୁ ପୁଲିସ୍‌ ସମ୍ପୃକ୍ତ ୪ ଗାଡ଼ିକୁ ଜବତ କରିଥିଲା । ତେବେ ଗାଡ଼ି ମାଲିକମାନଙ୍କୁ ମିଳିଥିବା ଇ-ରୟାଲଟି ପେପରରେ ଥିବା କ୍ୟୁଆର କୋଡ଼କୁ ସ୍କାନ କରି ଏହା ଅସଲି କି ନକଲି ଜାଣିବାର ଆପ୍ସ ଅଦ୍ୟାବଧି କାହାରିକୁ ଦିଆଯାଇନାହିଁ । ଏହା କେବଳ ପୁଲିସ, ଖଣି ବିଭାଗ, ତହସିଲ, ଫରେଷ୍ଟ ଆଦି ଯାଞ୍ଚକାରୀ ବିଭାଗକୁ ସରକାର ପ୍ରଦାନ କରିଛନ୍ତି । ଏଣୁ ଗାଡି ମାଲିକଙ୍କ ପକ୍ଷେ ରୟାଲଟି ପେପେର ଅସଲି କି ନକଲି ଜାଣିବାର କ୍ଷମତା ନ ଥିବାରୁ ସେମାନେ ଅବାଧରେ ଫସିଥିବା ଅଭିଯୋଗ କରିଛନ୍ତି ।