ଓଡ଼ିଶାରେ ଛତିଶଗଡ଼ ପୁଲିସର ଜୁଲମ: ଥାନାରେ ଏତଲା

 ଓଡ଼ିଶାରେ ଛତିଶଗଡ଼ ପୁଲିସ ଅନଧିକାର ପ୍ରବେଶ କରି ଓଡ଼ିଆ ସାମ୍ବାଦିକଙ୍କ ଉପରେ ଜୁଲମ କରିବା ସହ ସହଯୋଗୀଙ୍କୁ ଉଠାଇ ନେଇଛି। ଏନେଇ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନାରେ ଏତଲା ଦିଆଯିବାରୁ ପୁଲିସ ତନାଘନା ଆରମ୍ଭ କରିଛି। ଛତିଶଗଡ଼ ପୁଲିସର ଏଭଳି ବ୍ୟବହାର ଓଡ଼ିଆ ଅସ୍ମିତା ପ୍ରତି ଶକ୍ତ ଆଘାତ ବୋଲି ମତପ୍ରକାଶ ପାଇଛି। ଓଡ଼ିଶାର ସୀମାନ୍ତ ଗାଁ କୋଇଲିମୁଣ୍ଡାସ୍ଥିତ ଗୋଟିଏ ଢାବାକୁ ଆଜି ସକାଳେ ଛତିଶଗଡ଼ର ଅମଲିପଦର ଥାନାରୁ ୭ଜଣ ପୁଲିସ କର୍ମଚାରୀ ଆସିଥିଲେ। ଢାବା ମାଲିକଙ୍କୁ କୌଣସି କାରଣରୁ ଧମକ ଦେଉଥିଲେ। ଖବର ପାଇ ଚନ୍ଦାହାଣ୍ଡି ଅଞ୍ଚଳର ସମ୍ବାଦିକ ପୂର୍ଣ୍ଣଚନ୍ଦ୍ର ଟାକ୍ରି ନିଜ ସହଯୋଗୀ ସୂରଜ ବଗର୍ତ୍ତୀଙ୍କୁ ନେଇ ଢାବାରେ ପହଞ୍ଚିଥିଲେ। ଖବର ସଂଗ୍ରହ କରିବା ସମୟରେ ଛତିଶଗଡ଼ ପୁଲିସ ଗାଳିଗୁଲଜ କରିବା ଆରମ୍ଭ କରିଥିଲା। ପ୍ରତିବାଦ କରିବାରୁ ମାରପିଟ୍‌ କରିବାକୁ ପଛାଇ ନଥିଲା। ସାମ୍ବାଦିକଙ୍କ ଉପରେ ଏମିତି ଜୁଲମ କରିବାର ଦୃଶ୍ୟ ରେକର୍ଡ ହୋଇଥିବା ମୋବାଇଲ ଫୋନ୍‌ ଏବଂ ବୁମ୍‌ ଛଡ଼ାଇ ରଖିଥିଲା ଛତିଶଗଡ଼ ପୁଲିସ। କିଛି ସମୟ ଧରି ଆତଙ୍କ ସୃଷ୍ଟି କରିବା ପରେ ପୂର୍ଣ୍ଣଚନ୍ଦ୍ରଙ୍କ ସହଯୋଗୀ ସୂରଜଙ୍କୁ ବଳପୂର୍ବକ ଗାଡ଼ିରେ ବସାଇ ଅମଲିପଦର ଥାନାକୁ ନେଇଯାଇଥିଲା।

କୌଣସି ପ୍ରକାରେ ଘଟଣାସ୍ଥଳରୁ ଫେରି ପୂର୍ଣ୍ଣଚନ୍ଦ୍ର ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଥିଲେ। ଶେଷ ଖବର ସୁଦ୍ଧା ପୁଲିସ ମାମଲା ରୁଜୁ କରିନଥିଲା। ଚନ୍ଦାହାଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲ୍ଲାହର୍ଷଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ଖଗେଶ୍ୱର ଖୋସଲା ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ନବରଙ୍ଗପୁର ଏସ୍‌ପି ମିହିର କୁମାର ପଣ୍ଡାଙ୍କୁ ଅବଗତ କରିବାରୁ ଗରିଆବନ୍ଦ ଏସ୍‌ପିଙ୍କ ସହ ଯୋଗାଯୋଗ କରିଥିବା ଜଣାପଡ଼ିଛି। ସାମ୍ବାଦିକଙ୍କ ବୁମ୍‌ ଏବଂ ମୋବାଇଲ ଫୋନ୍‌ ଫେରାଇବା ନିମନ୍ତେ ଏସ୍‌ପି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଏହି ଘଟଣାରେ ଜିଲ୍ଲା ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଘ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ କଡ଼ା ପ୍ରତିବାଦ ଜଣାଇଛନ୍ତି। ଛତିଶଗଡ଼ ପୁଲିସ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରିଛନ୍ତି। ସେହିପରି କଂଗ୍ରେସ ନେତା କ୍ଷେମରାଜ ବାଘ ଛତିଶଗଡ଼ ପୁଲିସର ଗତିବିଧିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କାହା ଅନୁମତିରେ ଓଡ଼ିଶାରେ ପଶି ଢାବାରେ ଯାଞ୍ଚ କଲେ ବୋଲି ପଚାରିଛନ୍ତି। ଏଭଳି ଅନୁପ୍ରବେଶ ଓ ଜୁଲମକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି।