ଗାଁରେ ହାତୀ ଆତଙ୍କ

ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଓ ସୁମଣ୍ଡଳ ଫ‌ରେଷ୍ଟ୍ ସେକ୍‌ସନ ଅଧୀନ ଅଙ୍ଗାରଗାଁ ଗ୍ରାମରେ ଗତକାଲି ରାତିରେ ଏକ ଦନ୍ତାହାତୀ ପଶି ଆତଙ୍କ ଖେଳାଇଛି। ବ୍ୟାପକ ଅମଳ ଧାନ ଓ ମକା ସମେତ ନଡ଼ିଆ ଏବଂ କଦଳୀ ଗଛକୁ ନଷ୍ଟ କରିଥିବା ଜଣାପଡ଼ିଛି। ବାଉରୀବନ୍ଧୁ ଜେନା ତାଙ୍କ ଘର ବାରିପଟେ ଅମଳ ଧାନ ବସ୍ତା ରଖିଥିବା ବେଳେ ମକା ସମେତ ବିଭିନ୍ନ ଗଛ ଲଗାଇଛନ୍ତି। ହାତୀଟି ରାତିରେ ପଶି ଧାନବସ୍ତା ଟାଣି ନେବା ସହ ମକା ଓ ବିଭିନ୍ନ ଗଛକୁ ଦଳିଚକଟି ନଷ୍ଟ କରିଦେଇଥିଲା।

ସେହିପରି ଦନ୍ତା ବାଲାଜୀ କାଜୁ ଫ୍ୟାକ୍ଟ୍ରିରେ ପଶି ନଡ଼ିଆ ଓ କଦଳୀ ଗଛ ସମେତ କାଜୁବସ୍ତା ନଷ୍ଟ କରିଥିବା ଜଣାପଡ଼ିଛି। ସିସି କ୍ୟାମେରା ଫୁଟେଜ୍‌ରେ ହାତୀର ଗତିବିଧି ସାମ୍ନାକୁ ଆସିବା ପରେ ଅଙ୍ଗାରଗାଁ ସମେତ ଆଖପାଖ ଗ୍ରାମରେ ବର୍ତ୍ତମାନ ଭୟର ବାତାବରଣ ଦେଖାଦେଇଛି। ଏପରିକି ହାତୀଟି ଜଣେ ବ୍ୟକ୍ତିଙ୍କ ଘରର ଝରକାକୁ ଶୁଣ୍ଢରେ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଆଗରୁ ବି ଏହି ଅଞ୍ଚଳରେ ହାତୀପଲ ପଶି ବ୍ୟାପକ କ୍ଷୟକ୍ଷତି କରିଥିଲେ। ବହୁଦିନ ଧରି ଏଠାରେ ୧୭ଟିକିଆ ହାତୀପଲ ଉପଦ୍ରବ ଜାରି ରଖିଥିଲେ। ସେଥିରୁ ୯ଟି ହାତୀ ସୀମାନ୍ତ ବରବରା ଜଙ୍ଗଲ ଦେଇ ପଳାଇଥିବା ବେଳେ ବଳକା ହାତୀ ଏଠାରେ ରହିଛନ୍ତି। ଉକ୍ତ ପଲରୁ ଦନ୍ତାଟି ଅଲଗା ହୋଇ ଏକୁଟିଆ ବୁଲୁଛି। ତୁରନ୍ତ ହାତୀପଲକୁ ଘଉଡ଼ାଇବା ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।