ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକୋତ୍ସବ
ତାଳଚେର: ସ୍ଥାନୀୟ ମହୁଲପାଳ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ‘ଉଦୟମ -୨୦୨୫’ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଉପଜିଲ୍ଲାପାଳ ତଥା ବିଦ୍ୟାଳୟ ଚେୟାରମ୍ୟାନ ସମୀର କୁମାର ଜେନା, ବିଧାୟକ ବ୍ରଜକିଶୋର ପ୍ରଧାନ, ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ମେଜର ସୁବ୍ରତ କୁମାର ଦାସ, ଅଭିଭାବକ ସଂଘ ସଭାପତି ବସନ୍ତ କୁମାର ନାୟକ ଏବଂ ବିଦ୍ୟାଳୟ ଅଧ୍ୟକ୍ଷ ଅମିତ କୁମାର ସାମନ୍ତରାୟ ପ୍ରମୁଖ ମଂଚାସୀନ ଥିଲେ । ଅତିଥିଗଣ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ପରେ ସ୍ୱାଗତ ସଙ୍ଗୀତ ସହ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସାମନ୍ତରାୟ ଅତିଥି ପରିଚୟ ଦେବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ଆଦର୍ଶ ବିଦ୍ୟାଳୟରେ ଅଧ୍ୟବସାୟ ବଳରେ ପାଠପଢ଼ି ଆଦର୍ଶ ମଣିଷ ହୋଇ ରାଷ୍ଟ୍ର ଗଠନରେ ନିଜକୁ ନିୟୋଜିତ କରିବା ସହ ଶୃଙ୍ଖଳିତ, ସଂସ୍କାରୀ ଏବଂ ମାର୍ଜିତ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ପ୍ରେରଣାଦାୟୀ ଓ ସାରଗର୍ଭକ କଥା କହିଥିଲେ । ବିଦ୍ୟାଳୟର ବିଭିନ୍ନ ଆନୁସଙ୍ଗିକ ଅବ୍ୟବସ୍ଥା ଓ ସମସ୍ୟା ସମ୍ପର୍କରେ ବିଦ୍ୟାଳୟ କମିଟି ସଭାପତି ବସନ୍ତ କୁମାର ନାୟକ ଅତିଥିଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ପୂର୍ବରୁ ବିଦ୍ୟାଳୟରେ ଆୟୋଜିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ବିଦ୍ୟାଳୟର କଳା ଶିକ୍ଷୟିତ୍ରୀ ରୂପାଲି ରୁଚିସ୍ମିତ କରଙ୍କ ତାଲିମରେ ଛାତ୍ରଛାତ୍ରୀମାନେ ଆଙ୍କିଥିବା ସୁନ୍ଦର ଚିତ୍ର ଓ କାରୁକାର୍ଯ୍ୟ ଅତିଥିମାନେ ବୁଲି ଦେଖିବା ସହ ଭୁୟସୀ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୃତ୍ୟ, ସାମାଜିକ ସଚେତନାତ୍ମକ ନାଟିକା ଓ ସଙ୍ଗୀତ ପରିବେଷଣ କରିଥିଲେ । ବିଦ୍ୟାଳୟର ଇଂରାଜୀ ଶିକ୍ଷୟିତ୍ରୀ ରେସ୍ମା ମହାନନ୍ଦ ମଂଚ ପରିଚାଳନା କରିଥିବା ବେଳେ ଆଇଟି ଶିକ୍ଷକ ଅମଳେନ୍ଦୁ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।