ଧୂଳିଧୂଆଁରେ ଅଣନିଶ୍ୱାସୀ କୋମଳମତି ଛାତ୍ରଛାତ୍ରୀ

ତାଳଚେର: ଆଜିର ଯୁବପିଢ଼ୀ ଆସନ୍ତାକାଲିର ଭବିଷ୍ୟତ । ପୂର୍ବ ପୁରୁଷରୁ ଏହି ପ୍ରଥା ରହି ଆସିଛି । ଆଜିର ତାଳଚେର ପୂର୍ବ ତାଳଚେର ଠାରୁ ଭିନ୍ନ; ଯେତେ ବେଳେ କୋଇଲା ନଗରୀ ସହରର ପରିଣତ ହେଲା, ତାଳଚେର ତା’ର ଅସ୍ଥିତ୍ୱ ଧିରେ ଧିରେ ହରାଇବାକୁ ବସିଲା ଏବଂ ସବୁ କିଛି ଲୀନ ହେଲା ଖଣିଖାଦାନରେ । ତାଳଚେର ଅଞ୍ଚଳବାସୀ ନିଜର ପୂର୍ବପୁରୁଷର ପୌତୃକ ସମ୍ପତି ଦେଶର ବିକାଶ ଦିଗରେ ଉତ୍ସର୍ଗ କରିଦେଇଥିବା ବେଳେ ପାଇଲେ ଧୂଳିଧୂଅାଁ, ପ୍ରଦୁ୍ୟଷିତ ବାୟୁମଣ୍ଡଳ, ଅପରିଷ୍କାର ଜଳ, ସ୍ୱଚ୍ଛତାବିହୀନ ପରିବେଶ, କୋଇଲା ଗୁଣ୍ଡ ଓ ମାରାତ୍ମକ ରୋଗ । ଧୂଳିଧୂଅାଁ ଯୋଗୁଁ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏହି କାରଣରୁ ନାକ, କାନ, ଆଖି, ପାଟିରେ ଧୂଳି ପ୍ରବେଶ କରିବା ଦ୍ୱାରା ଏଠିକାର ଅଂଚଳବାସୀ ବିଭିନ୍ନ ରୋଗର ଶୀକାର ହେଉଛନ୍ତିି ଯଥା କିଡ଼ନୀ, କ୍ୟାନସର୍, ଫୁସଫୁସ୍ ରୋଗ, ଯକ୍ଷ୍ମା, ଗ୍ୟାଷ୍ଟିକ୍, ଲଙ୍ଗର୍ସ, ହାର୍ଟ, ଶ୍ୱାସ ଇତ୍ୟାଦି ।  ଏପରିକି ବିଦ୍ୟାଳୟର କୁନିକୁନି ପିଲାମାନେ ଧୂଳିଧୂଅାଁରେ ଅଣନିଶ୍ୱାସୀ ହୋଇ ପାଠପଢୁଥିବା ଦେଖିବାକୁ ମିଳୁଛି ।
ତାଳଚେର ପୌରପରିଷଦ ଅନ୍ତର୍ଗତ ୱାର୍ଡ଼ ନଂ ୧୧ ଚାଳିଆକୂଟ୍ଟା ୱାର୍ଡ଼ବାସୀ ବର୍ଷତମାମ ଧୂଳିଧୂଅାଁରେ ଅଣନିଶ୍ୱାସୀ ହେଉଛନ୍ତି । ସେହିପରି ସେହି ୱାର୍ଡ଼ରେ ଥିବା ଚାଳିଆକୂଟ୍ଟା ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟଟି ୧୪୯ନମ୍ବର ଜାତୀୟ ରାଜପଥ କଡ଼ରେ ରହିଥିବା ହେତୁ ଏହି ଜାତୀୟ ରାଜପଥରେ ଦୈନନ୍ଦିନ ବିଭିନ୍ନ କୋଇଲା ଖଣିରୁ କୋଲକରିଡ଼ର ରାସ୍ତାଦେଇ ଟ୍ରକ ଗୁଡ଼ିକ ଜାତୀୟ ରାଜପଥରେ ବାହାରିଥାନ୍ତି । ଫଳରେ ରାସ୍ତାକଡ଼ରେ ବିଦ୍ୟାଳୟଟି ଥିବାରୁ ଅହରହ କୋଇଲା ଗୁଣ୍ଡ ଓ ଧୂଳି ଉଡ଼ି ସ୍କୁଲ ଭିତରକୁ ପ୍ରବେଶ କରୁଛି । ଯାହାକି ଛୋଟଛୋଟ ପିଲାମାନଙ୍କର  ପାଠପଢ଼ାରେ ବାଧାସୃଷ୍ଟି ହେଉଛି । ଏହି ଧୂଳି ଗୁଡ଼ିକ ଏତେ ପରିମାଣରେ ପଡ଼ି ରହୁଛି ଯେ, ତା’ଉପରେ ପାଦରେ ଚାଲିଗଲେ ପାଦର ଚିହ୍ନ ମଧ୍ୟ ରହିଯାଉଛି । ସ୍କୁଲଟି ସକାଳ ୧୦ଘଟିକା ଠାରୁ ଆରମ୍ଭ ହୋଇ ପ୍ରାର୍ଥନା ଶେଷ ହେବା ପରେ ପିଲାମାନେ ବାଟବନ୍ଦ କରି ଅଧ୍ୟୟନ କରୁଛନ୍ତି । ତଥାପି କବାଟର ଫାଙ୍କ ଦେଇ ଗୃହ ଭିତରକୁ ଧୂଳି ପଶି ଯାଉଛି । ଏପରି ପରିବେଶରେ ପିଲା ପାଠ କେମିତି ପଢ଼ିବେ ତାହା ଏକ ଅତି ଦୁଃଖଦାୟକ ଘଟଣା । ଏପରିକି ସ୍କୁଲରେ ରନ୍ଧାଯାଉଥିବା ଖାଦ୍ୟର ବର୍ଣ୍ଣ ମଧ୍ୟ କଳା ପଡ଼ିଯାଉଥିବା ସ୍ଥାନୀୟବାସୀ ଅଭିଯୋଗ କରୁଛନ୍ତି । ବାରମ୍ବାର ଏସମ୍ପର୍କରେ ପ୍ରଶାସନକୁ ଗୁହାରି କରିଥିଲେ ମଧ୍ୟ ଲୋକପ୍ରତିନିଧି ନା ପ୍ରଶାସନ କେହି ହେଲେ ଏହାର ପ୍ରତିକାର ପାଇଁ ଅଣ୍ଟା ଭିଡ଼ିନଥିବା କୁହାଯାଉଛି । ଏହି ଘଟଣାକୁ ନେଇ ସ୍ଥାନୀୟ ବ୍ଲକ ଏଜୁକେସନ୍ ଅଧିକାରୀ କିପରି ଭାବେ ଚୁପ୍ ରହିଛନ୍ତି ତାକୁ ନେଇ ଉଠୁଛି ପ୍ରଶ୍ନ ।  ତେଣୁ ତୁରନ୍ତ କାଳବିଳମ୍ବ ନ କରି ଏହାର ନିରାକରଣ ପାଇଁ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲାପ୍ରଶାନ ଦୃଷ୍ଟିଦେଇ କାର୍ଯ୍ୟକାରୀ କରାଯିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।