କଏଦୀଙ୍କୁ ଆକ୍ରମଣ ଘଟଣା ; ଫସିବେ କି ଜେଲ କର୍ମଚାରୀ ; ତଦନ୍ତ ଆରମ୍ଭ କଲେ ଡିଆଇଜି
-
ଭୁବନେଶ୍ୱର, ୨ା୯ : ଝାରପଡ଼ା ଜେଲରେ ବିଚାରାଧିନ କଏଦୀଙ୍କୁ ଆକ୍ରମଣ ଘଟଣାକୁ ନେଇ ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି ଜେଲ୍ ବିଭାଗ ଏଡିଜି ଅମିତାଭ ଠାକୁର । କଟକ ଡିଭିଜନ୍ ଡିଆଇଜି ଅନୁସୟା ଜେନା ଏହି ମାମଲାର ତଦନ୍ତ କରିବେ । ରବିବାର ଦିନ ଝାରପଡ଼ା ଜେଲରେ ବିଚାରାଧିନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ଆକ୍ରମଣ ଘଟଣାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ । ଜେଲ ଭିତରେ କଏଦୀଙ୍କ ସୁରକ୍ଷାଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ, ଜେଲର କିଛି ଅଧିକାରୀ ବି ଏଥିରେ ସାମିଲ ଥିବା ଅଭିଯୋଗ ହେଉଛି । ଯାହାକୁ ନେଇ କେମିତି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ଝାରପଡ଼ା ଜେଲ ଯାଇ ତାହାର ତଦନ୍ତ କରିବେ ଡିଆଇଜି ଅନୁସୟା ଜେନା ।ଜେଲର ଗୁମର ଫିଟାଇବାରୁ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓ ତାଙ୍କ ଗ୍ୟାଙ୍ଗ୍ ବିଚାରାଧୀନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ମାଡ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି ।
ସୂଚନା ଯୋଗ୍ୟଯେ, ଝାରପଡ଼ା ଜେଲରେ ବିଚାରାଧୀନ କଏଦୀ ଥିବା ସୌମ୍ୟକାନ୍ତ ମହାନ୍ତି କିଛି ଦିନ ତଳେ ଭୁବନେଶ୍ୱର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣଙ୍କୁ ଚିଠି ଲେଖି ଜେଲ ଭିତରର ଗୁମର ଜଣାଇଥିଲେ । ଯେଉଁଥିରେ ଲେଖା ରହିଥିଲା ଯେ ଜେଲ ଭିତରେ ଗଞ୍ଜେଇ ଭର୍ତ୍ତି ବିଡି ଗୋଟା ୨୦୦ ଟଙ୍କାରେ ବିକ୍ରି ହେଉଛି । ଏହାଛଡା ଉନ୍ନତ ଧରଣର ରହିବା ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ୫୦ ହଜାର ଟଙ୍କା, ଟେଲିଫୋନ୍ ପାଇଁ ୫ ହଜାର ଟଙ୍କା, ମୁଲାକାତ ପାଇଁ ମାସକୁ ୧୦ ହଜାର, ରୁମ୍ରେ କୁଲର ଓ ଭଲ ଖାଇବା ପାଇଁ ଅତିରିକ୍ତ ଚାର୍ଜ ଦେବାକୁ ପଡୁଥିବା ନେଇ ସେ ଚିଠିରେ ଉଲ୍ଲେଖ କରିଥିଲେ । ଚିଠି ମିଳିବା ପରେ ଗତ ଶନିବାର ଅଚାନକ ଜେଲରେ ସ୍କ୍ୱାର୍ଡ ଚଢ଼ଉ କରି ମୋବାଇଲ ଓ ନିଶା ଦ୍ରବ୍ୟ ଜବତ କରି ଲକ୍ଷ୍ମୀସାଗର ଥାନାରେ ଜିମା ଦେଇଥିଲେ । ଏହି ଚଢ଼ଉର ଗୋଟିଏ ଦିନ ପରେ ଅର୍ଥାତ ରବିବାରି ସୌମ୍ୟକାନ୍ତଙ୍କ ଉପରେ ଆକ୍ରମଣ ହୋଇଛି । ଜେଲରେ ଥିବା ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓ ତାଙ୍କ ସହଯୋଗୀମାନେ ସୌମ୍ୟକାନ୍ତଙ୍କୁ ଆକ୍ରମଣ କରିଥିବା ସୌମ୍ୟ ଅଭିଯୋଗ କରିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାର ଖୋଳତାଡ ପାଇଁ ତଥା ଜେଲର କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ଜେଲ ବିଭାଗ ଏଡିଜି ଅମିତାଭ ଠାକୁର ।