୮ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି


ଭୁବନେଶ୍ୱର, ୩୧ା୧୨ : ରାଜ୍ୟର ୮ ଜଣ ଆଇପିଏସ୍ ଅଫିସରଙ୍କୁ ମିଳିଛି ପଦୋନ୍ନତି । ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ବରିଷ୍ଠ ଆଇପିଏସ୍ ଅଫିସର ଯତୀନ୍ଦ୍ର କୋୟଲ ଓ ପ୍ରତୀକ ମହାନ୍ତି । ୨୦୦୦ ବ୍ୟାଚ୍ ଆଇପିଏସ୍ ଅଫିସର ଯତୀନ୍ଦ୍ର କୋୟଲଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି । ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ୨୦୦୦ ବ୍ୟାଚ୍ ଆଇପିଏସ୍ ଅଫିସର ପ୍ରତୀକ ମହାନ୍ତଙ୍କୁ ମଧ୍ୟ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଏବେ ସେ ସିଆଇଏସ୍ଏଫ୍ (ମୁଖ୍ୟାଳୟ)ରେ ଆଇଜି ପାହ୍ୟାରେ କାର୍ଯ୍ୟ କରୁଛନ୍ତି । ୨୦୦୭ ବ୍ୟାଚ୍ର ଆଇପିଏସ୍ ଅଫିସର ଅବିନାଶ କୁମାର, ସାର୍ଥକ ଷଡଙ୍ଗୀ ଓ ନିତି ଶେଖରଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଅବିନାଶ କୁମାର ଏବେ ସ୍ପେଶାଲ ଆର୍ମଡ ପୁଲିସର ଡିଆଇଜି ଭାବେ କାର୍ଯ୍ୟ କରୁଥିବା ବେଳେ ସାର୍ଥକ ଷଡଙ୍ଗୀ ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ବ୍ରହ୍ମପୁରରେ ଓ ନୀତି ଶେଖର ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଭାବେ କୋରାପୁଟରେ କାର୍ଯ୍ୟ କରୁଛନ୍ତି ।
୨୦୧୧ ବ୍ୟାଚ୍ର ଆଇପିଏସ୍ ଅଫିସର ପିନାକ ମିଶ୍ରଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ସେ ଏବେ ଭୁବନେଶ୍ୱର ଡିସିପି ଅଛନ୍ତି । ପିନାକ ମିଶ୍ରଙ୍କ ସହିତ ୨୦୧୧ ବ୍ୟାଚ୍ର ଆଉ ଦୁଇ ଆଇପିଏସ୍ ଅଫିସର ବି. ଯୁଗୋଳ କିଶୋର କୁମାର ଓ ବି. ଗଙ୍ଗାଧରଙ୍କ ମଧ୍ୟ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ବି. ଯୁଗୋଳ କିଶୋର କୁମାର ଓ ବି. ଗଙ୍ଗାଧର ଏବେ କଟକ ସ୍ଥିତ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟ କରୁଛନ୍ତି ।