ଆମାଜନରୁ ମୋବାଇଲ ଚୋରି ; ଲୁଟେରା ଗିରଫ
ଭୁବନେଶ୍ୱର, ୨ା୯ : ଆମାଜନ କମ୍ପାନୀର ସାମଗ୍ରୀକୁ ବିଭିନ୍ନ ଷ୍ଟୋରକୁ ଡେଲିଭରି କରୁଥିବା ଅଟୋ ଚାଳକ ଗିରଫ । ଡେଲିଭରି ସମୟରେ କରୁଥିବା ମୋବାଇଲ ଲୁଟ୍ । ଧରିପାରୁନଥିଲା କମ୍ପାନୀ । ଖୋଳରେ ମୋବାଇଲ ବଦଳରେ ପୁରାଉଥିଲା ଇଟା । ହେଲେ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ସବୁଦିନ ପରି ଏକ ଷ୍ଟୋରକୁ ଆମାଜନ କମ୍ପାନୀରୁ ମୋବାଇଲ ନେଇ ଯାଇଥିବା ବେଳେ ବାଟରେ ପ୍ୟାକେଟ ଖୋଲି ମୋବାଇଲ ଚୋରି ବେଳେ, ପିଛା କରି ଧରିଦେଲେ କମ୍ପାନୀ କର୍ମଚାରୀ । ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତ ଅଟୋ ଚାଳକକୁ ଗିରଫ କରିଛି । ତାଠାରୁ ୫ଟି ମୋବାଇଲ ଓ ନଗଦ ୩୦ ହଜାର ଟଙ୍କା ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, କେନ୍ଦ୍ରପଡ଼ା ଜିଲ୍ଲା ମାର୍ଶାଘାଇର ଶୁଭମ ନାୟକ । ଏଠାରେ ସେ ଚକେଇସିଆଣୀରେ ରହି ଏହି କମ୍ପାନୀର ମାଲ ଅଟୋରେ ଡେଲିଭରି କରୁଥିଲା ।
ସୂଚନା ଯୋଗ୍ୟଯେ, ମଞ୍ଚେଶ୍ୱର ଜୋନ୍-ବି ଅନ୍ତର୍ଗତ ପ୍ଲଟ୍ ନମ୍ବର-୬ଡିରେ ଅମାଜନ କମ୍ପାନୀର ଷ୍ଟୋର ରହିଛି । ଉକ୍ତ ଷ୍ଟୋରରୁ ବିଭିନ୍ନ ପ୍ରକାରର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଅଭିଯୁକ୍ତର ହେପାଜତରେ ଏକ ଅଟୋ ଯୋଗେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଥିବା ସବୁ-ଷ୍ଟୋରକୁ ପଠାଯାଇଥାଏ । ଏହି ଭିତରେ ଅଭିଯୁକ୍ତ ରାସ୍ତାରେ ଉକ୍ତ ପ୍ୟାକେଟ ଗୁଡ଼ିକ ଖୋଲି ତାହା ଭିତରୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ସବୁକୁ ନିୟମିତ ବ୍ୟବଧାନରେ ଚୋରୀ କରିଥାଏ । ଅଭିଯୁକ୍ତ ଏହିଭଳି ଗତ ଜୁଲାଇ ମାସରୁ ଚଳାଇ ଆସୁଥିଲେ ମଧ୍ୟ ଏହା ଗତ ଦୁଇ/ତିନି ତଳେ ଅଭିଯୋଗକାରୀ ମ୍ୟାନେଜର ରଞ୍ଜନ କୁମାର ଖୁଣ୍ଟିଆଙ୍କ ନଜରକୁ ଆସିଥିଲା । ପରେ ସେ ଘଟଣାର ଯାଞ୍ଚ କରିବା ବେଳେ, ଅଭିଯୁକ୍ତ ଜଣକ ପ୍ରାୟ ୯ଟି ଦାମୀ ମୋବାଇଲ ଓ ଏକ ଡ଼ିଜିଟାଲ ଫୋନ ଚୋରି କରିଥିବା ଜାଣିବାକୁ ପାଇଥିଲେ । ଏନେଇ ସେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିଛି ।