କଠୋର ହେଲା ଆଇଏମ୍ଏଫ୍ : ପାକିସ୍ତାନ ପାଇଁ ୧୧ କଡ଼ା ସର୍ତ୍ତ

ନୂଆଦିଲ୍ଲୀ: ଭାରତ-ପାକ୍ ଉତ୍ତେଜନା ସମୟରେ ଆଇଏମ୍ଏଫ୍ (ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି) ପାକିସ୍ତାନ୍କୁ ଶହେ କୋଟି ଡଲାର୍ ସହାୟତାକୁ ନେଇ ଆମେରିକାକୁ କଡ଼ା ସମାଲୋଚନା କରିଥିଲା ଭାରତ । ପାଣ୍ଠି ଦେବା ପୂର୍ବରୁ ଥରୁଟିଏ ବି ଯାଞ୍ଚ କରିବା ନିହାତି ଜରୁରି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ କଡ଼ା ମନ୍ତବ୍ୟ ପରେ ଆଜି ପାକିସ୍ତାନ ପ୍ରତି କଠୋର ହେବାକୁ ବାଧ୍ୟ ହୋଇଛି ଆଇଏମ୍ଏଫ୍ । ଆଗାମୀ ଦିନରେ ଆଇଏମ୍ଏଫ୍ ପକ୍ଷରୁ ବେଲ୍ଆଉଟ୍ ପ୍ୟାକେଜ୍ ପାଇବାକୁ ହେଲେ ଏଥିପାଇଁ ଆଜି ପାକିସ୍ତାନ ଆଗରେ ୧୧ଟି ସର୍ତ୍ତ ରଖିଛି ଆଇଏମ୍ଏଫ୍ । ଏହାସହ ପାକିସ୍ତାନକୁ ଚେତାବନୀ ଦେଇ କହିଛି ଯେ, ଆଇଏମ୍ଏଫ୍ ଦେଉଥିବା ପାଣ୍ଠିକୁ ଯଦି ପାକିସ୍ତାନ୍ ଅବୈଧ ଉପାୟରେ ଖର୍ଚ୍ଚ କରିବାକୁ ଚେଷ୍ଟା କରେ ତେବେ ଆଗାମୀ ଦିନରେ ଏହାର ଅସଲ ପରିଣାମ ଭୋଗିବ ।
ଅନ୍ତର୍ଜାତୀୟ ଗଣମାଧ୍ୟମ ‘ଟ୍ରିବୁ୍ୟନ୍’ରେ ପ୍ରକାଶିତ ଖବର ଅନୁଯାୟୀ ପାକ୍ ପାଇଁ ରଖାଯାଇଥିବା ୧୧ଟି ସର୍ତ୍ତ ହେଉଛି ଆଇଏମ୍ଏଫ୍ ପାଣ୍ଠିକୁ ଆଖି ଆଗରେ ରଖି ୧୭,୬୦୦ ଲକ୍ଷ କୋଟି ଟଙ୍କାର ନୂତନ ବଜେଟକୁ ପାକ୍ ସଂସଦର ଅନୁମୋଦନ, ପ୍ରାଦେଶିକସ୍ତରରେ କୃଷି ଆୟକରରେ ସଂସ୍କାର, ଶାସନ କାର୍ଯ୍ୟଯୋଜନା ବା ଶାସନ କାର୍ଯ୍ୟରେ ସଂସ୍କାର, ୨୦୨୭ ପରବର୍ତ୍ତୀ ଦୀର୍ଘକାଳୀନ ଆର୍ଥିକ କ୍ଷେତ୍ର ପ୍ରସ୍ତୁତି, ବାର୍ଷିକ ବିଦୁ୍ୟତ ଶୁଳ୍କ ପୁନଃ ନିର୍ଦ୍ଧାରଣ ବିଜ୍ଞପ୍ତି, ଅର୍ଦ୍ଧବାର୍ଷିକ ଗ୍ୟାସ ଶୁଳ୍କ ସମାୟୋଜନ ବିଜ୍ଞପ୍ତି, କ୍ୟାପ୍ଟିଭ୍ ପାୱାର୍ ଲେଭି ଅଧ୍ୟାଦେଶ ଲାଗୁ କରିବା, ଋଣସେବା ଉପରୁ ଅତିରିକ୍ତ ଦେୟ ହଟାଇବା, ସ୍ୱତନ୍ତ୍ର ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ପ୍ରୋତ୍ସାହନ ପାଇଁ ଯୋଜନା, ତିନି ବର୍ଷରୁ ଅଧିକ ପୁରୁଣା କାର ଆମଦାନୀ ଉପରୁ ପ୍ରତିବନ୍ଧକ ଉଠାଇବା ଏବଂ ବିକାଶ ଖର୍ଚ୍ଚ ପ୍ରତିଶ୍ରୁତି ଇତ୍ୟାଦି । ପ୍ରକାଶିତ ଖବର ଏହା ମଧ୍ୟ କୁହାଯାଇଛି ଯେ,  ଭାରତ-ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ବିଭିନ୍ନ ରାଷ୍ଟ୍ରକୁ ପାଣ୍ଠି ଦେଉଥିବା ଆଇଏମ୍ଏଫ୍ର କାର୍ଯ୍ୟକାରିତାରେ ମଧ୍ୟ ସମସ୍ୟା ଆଣିପାରେ । ତେବେ ଏହି ୧୧ଟି ସର୍ତ୍ତାବଳୀକୁ ମିଶାଇ ପାକ୍ ଉପରେ ଆଇଏମ୍ଏଫ୍ ଲଗାଇଥିବା ମୋଟ୍ ସର୍ତ୍ତାବଳୀ ସଂଖ୍ୟା ୫୦ ଛୁଇଁଛି ।