କଳାବ୍ୟାଜ୍ ପିନ୍ଧି ବନ କର୍ମଚାରୀଙ୍କ ପ୍ରତିବାଦ
ଭବାନୀପାଟଣା : କଳାବ୍ୟାଜ୍ ପରିଧାନ କରି ବିଭିନ୍ନ ଦାବି ନେଇ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଉତ୍ତର ବନଖଣ୍ଡ କର୍ମଚାରୀମାନେ ପ୍ରତିବାଦ କରିଛନ୍ତି । ଓଡ଼ିଶା କାର୍ଯ୍ୟକାରିଣୀ ସଂଘର ଆହ୍ୱାନକ୍ରମେ ବନପାଳ ବିଶିକେଶନ କରୁଆଁଙ୍କ ନେତୃତ୍ୱରେ କେସିଙ୍ଗା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଅଣ-ଗେଜେଟେଡ ବନ କର୍ମଚାରୀ ସଂଘ ବିଭିନ୍ନ ଦାବି ନେଇ କଳା ବ୍ୟାଜ୍ ପରିଧାନ କରିଛନ୍ତି । ହିନେ୍ଦାଳ ଫରେଷ୍ଟ ଗାର୍ଡ ପ୍ରହଲ୍ଲାଦ ପ୍ରଧାନଙ୍କ ହତ୍ୟାରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ତାଙ୍କ ପରିବାରକୁ ଏକ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ, ଫରେଷ୍ଟ କମିଶନ ଗଠନ, ବନ କର୍ମଚାରୀଙ୍କୁ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ, ଇନ୍ସୁରାନ୍ସ ପ୍ୟାକେଜ୍ ପ୍ରଭୁତି ଦାବି କରିଛନ୍ତି । ଆଜିଠାରୁ ଆସନ୍ତା ଜୁନ ୨୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପିନ୍ଧି ଶାନ୍ତିପୂର୍ଣ୍ଣ ଭାବେ ଦାବି ରଖିଥିବାବେଳେ, ସରକାର ଯଦି କର୍ଣ୍ଣପାତ ନ କରନ୍ତି ତାହେଲେ ଆସନ୍ତା ଜୁନ ୨୨ ତାରିଖରୁ ସାମୂହିକ ଛୁଟିରେ ରହିବେ ବୋଲି ବନପାଳ ଶ୍ରୀ କରୁଆଁଙ୍କ ସମେତ ଫକୀର ବିଶ୍ୱାଳ, ଯଶୋବନ୍ତ ନାଏକ, ଶ୍ରୀମୁଖ ମେହେର, ଯଶୋବନ୍ତ ପାତ୍ର, ପାରିଜାତ ବାଗ, ବନରକ୍ଷୀ ନିଗମ କୁମାର ସାହୁ, ସୁଜାତା ବାଗ, ରୁକ୍ମଣୀ ମାଝୀ, ରାଜଲକ୍ଷ୍ମୀ ପ୍ରଧାନ, ଧନଞ୍ଜୟ ନିଆଳ ପ୍ରମୁଖ ଚେତାବନୀ ଦେଇଛନ୍ତି । ତା ସହିତ ଯଦି ଆଗାମୀ ଦିନରେ ସରକାର ଦାବି ପୂରଣ ନ କରନ୍ତି ତାହେଲେ ଭୁବନେଶ୍ୱର ରାଜ ରାସ୍ତାରେ ଆନେ୍ଦାଳନ କରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ବୁଗୁଡା : ଢେଙ୍କାନାଳ ଜିଲ୍ଲାର ହିନେ୍ଦାଳ ବନାଞ୍ଚଳ ଅଧିନରେ କାର୍ଯ୍ୟରତ ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନଙ୍କୁ ମେ’ ମାସ ୨୪ ତାରିଖରେ ନିର୍ମମ ଭାବେ ହତ୍ୟା କରାଯିବା ଘଟଣାକୁ ନେଇ ରାଜ୍ୟ ବନକର୍ମଚାରୀ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ତିନୋଟି ଦାବି ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ମାତ୍ର ରାଜା ସରକାର ଦାବି ତ୍ରୟକୁ ଅଣଦେଖା କରୁଥିବା ପ୍ରତିବାଦରେ ରାଜ୍ୟ ସଂଘର ନିଷ୍ପତ୍ତିକ୍ରମେ ବୁଗୁଡା ବନାଞ୍ଚଳ ଅଧିନରେ କାର୍ଯ୍ୟରତ ବନପାଳ ଓ କ୍ଷେତ୍ର କର୍ମଚାରୀମାନେ ସୋମବାର ଦିନଠୁ କଳାବ୍ୟାଜ୍ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଥିବା ଜଣାଯାଇଛି । ବୁଗୁଡା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କର୍ମଚାରୀମାନେ ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ଏଭଳି ଶାନ୍ତିପୂର୍ଣ୍ଣ ଭାବେ ଏପରି ପ୍ରତିବାଦ କରିବେ ବୋଲି ଜଣାଯାଇଛି । ଅନ୍ୟପକ୍ଷରେ ରାଜ୍ୟ ସରକାର ଦାବିଗୁଡିକ ପୂରଣ ଦିଗରେ ଧ୍ୟାନ ନ ଦେଲେ ଆସନ୍ତା ୨୨ ତାରିଖରୁ କର୍ମଚାରୀମାନେ ସମୂହ ଛୁଟିରେ ରହି ଅନଶନ କରିବାକୁ ବାଧ୍ୟ ହେବେ ବୋଲି ସଂଘ ନିଷ୍ପତ୍ତି ଗ୍ରହଣ କରିଥିବା ଜଣାଯାଇଛି । ତେବେ ବନକର୍ମଚାରୀଙ୍କ ବିଭିନ୍ନ ଦାବି ମଧ୍ୟରେ ଶିକାରୀ ଗୁଳିରେ ମୃତ କର୍ମଚାରୀଙ୍କ ପରିବାରକୁ ଏକ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିବା, ବନ କର୍ମଚାରୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବା ଏବଂ ଫରେଷ୍ଟ କମିଶନ ଗଠନ ପରି ଅନ୍ୟାନ୍ୟ ଦାବିଗୁଡିକ ପୂରଣ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବି କରାଯାଇଛି ।
ନୂଆପଡା : ରାଜ୍ୟ ବନ କାର୍ଯ୍ୟକାରିଣୀ ସଂଘର ଆହ୍ୱାନକ୍ରମେ ଖଡ଼ିଆଳ ରେଞ୍ଜ ଅଣ ଗେଜେଟ ବନ କର୍ମଚାରୀ ସଂଘ ବିଭିନ୍ନ ଦାବି ନେଇ କଳା ବ୍ୟାଜ୍ ପରିଧାନ କରିଛନ୍ତି । ହିନେ୍ଦାଳ ଫରେଷ୍ଟ ଗାର୍ଡ ପ୍ରହହ୍ଲାଦ ପ୍ରଧାନଙ୍କ ହତ୍ୟାରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ତାଙ୍କ ପରିବାରକୁ ଏକ କୋଟି ଟଙ୍କାର ସହଯୋଗ ରାଶି ପ୍ରଦାନ, ଫରେଷ୍ଟ କମିଶନ ଗଠନ, ବନ କର୍ମଚାରୀଙ୍କୁ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ, ଇନ୍ସୁରାନ୍ସ ପେକେଜ ଆଦି ଦାବି କରିଛନ୍ତି କର୍ମଚାରୀ । ଆଜି ଠାରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍ ପିନ୍ଧି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିବାବେଳେ ସରକାର ନ ଶୁଣିଲେ ଆସନ୍ତା ୨୨ ତାରିଖରୁ ସାମୂହିକ ଛୁଟିରେ ରହିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଆଜିର ଶାନ୍ତିପୂର୍ଣ୍ଣ ଆନେ୍ଦାଳନରେ ଫରେଷ୍ଟର ଘନଶ୍ୟାମ ଶବର, ନରେଶ ଦଣ୍ଡସେନା, ସୁଦାମ ବାଗ, ପ୍ରସନ୍ନ ହଂସ, ରାଜେଶ ହରିଜନ, ବିରେନ୍ଦ୍ର ମାଝୀ, ଦିନ ବାଗ, ଅଜୟ ବନଛୋର, ସିଲଭା ସାହୁ, ତପଶ୍ୱନୀ ସାଗର, ମୋନାଲି ରାଉତ, ସୁଜାତା ବଡମାଳି, ଦୀପ୍ତି ଭୋଇ, ମଦନ ସବର, ସ୍ୱର୍ଣ୍ଣ ସୁନାନୀ, ସାରଦା ବଡ଼ମାଳି,ଜୟନ୍ତୀ ମାଝୀ, ନିବେଦିତା ନାୟକଙ୍କ ସମେତ ଅନ୍ୟାନ୍ୟ ଫରେଷ୍ଟର, ଫରେଷ୍ଟଗାର୍ଡ ଉପସ୍ଥିତ ଥିଲେ ।
ଗୋଲାମୁଣ୍ଡା : ରାଜ୍ୟ ବନକର୍ମଚାରୀ ସଂଘର ଆହ୍ୱାନକ୍ରମେ ବିଭିନ୍ନ ଦାବି ନେଇ କଳାହାଣ୍ଡି ଜିଲ୍ଲା ଉତ୍ତର ଓ ଦକ୍ଷିଣ ବନଖଣ୍ଡ ଅଧିନସ୍ଥରେ ଥିବା ସମସ୍ତ ବନକର୍ମଚାରୀମାନେ କଳାବ୍ୟାଜ୍ ପରିଧାନ କରି ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ଦାବି ଗୁଡ଼ିକ ମଧ୍ୟରେ ହିନେ୍ଦାଳ ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନଙ୍କ ପରିବାରଙ୍କୁ ଏକ କୋଟି ଅନୁକମ୍ପା ସହାୟତା ଯୋଗାଇଦେବା, ଫରେଷ୍ଟ କମିଶନ୍ ଗଠନ କରିବା, କେଡର୍ ପରିମାର୍ଜନ, ତାଲିମ ନିଯୁକ୍ତି ପ୍ରକ୍ରିୟା ଏବଂ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି, ବନ କ୍ଷେତ୍ର ଅଧିକାରୀମାନଙ୍କୁ ପୁଲିସ ବିଭାଗ ଭଳି ସାଲେରୀ ଆକାଉଣ୍ଟ ଇନ୍ସୁରେନ୍ସ ପ୍ୟାକେଜ ଯେକୌଣସି ଜାତୀୟ ବ୍ୟାଙ୍କ ଜରିଆରେ ପ୍ରଦାନ କରିବା ଇତ୍ୟାଦି ଦାବି ଗୁଡ଼ିକରୁ ବାଦ୍ ପଡିଛନ୍ତି । ବାରମ୍ବାର ଶିକାରୀମାନଙ୍କ ଗୁଳିରେ ଜୀବନ ହରାଇବା ସହ ସୁରକ୍ଷା ଅଭାବ ଏମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବନବିଭାଗ କର୍ମଚାରୀମାନେ ବାରମ୍ବାର ରାଜ୍ୟ ସରକାରଙ୍କୁ ନିଜର ସମସ୍ୟା ଓ ଦାବି ସମ୍ପର୍କରେ ଜଣାଇଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଉତ୍ତର ଓ ଦକ୍ଷିଣ ବନଖଣ୍ଡର ସମସ୍ତ ବନକର୍ମଚାରୀମାନେ ନିଜ ନିଜ ବନାଞ୍ଚଳ କାର୍ଯ୍ୟାଳୟ ଠାରେ ଜୁନ୍ ୧୫ ତାରିଖ ଠାରୁ ୨୧ପର୍ଯ୍ୟନ୍ତ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରଛନ୍ତି । ଏବଂ ଚେତାବନୀ ଦେଇଛନ୍ତି ଯେ, ଯଦି ଆଗାମୀ ଦିନରେ ସରକାର କର୍ଣ୍ଣ ଗୋଚର ନ କରନ୍ତି, ତେବେ ୨୨/୦୬/୨୦୨୫ଠାରୁ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସାମୂହିକ ଛୁଟିରେ ରହି ଭବାନୀପାଟଣା ସର୍କଲ ଅଫିସ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଧାରଣା ଦେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।